କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସାରା ରାଜ୍ୟରେ ଭୋଟର୍ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ଚାଲିଛି। ଏହି ପ୍ରକ୍ରିୟାରେ କେହି ଜଣେ ବି ଯୋଗ୍ୟ ମତଦାତା ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍.ଏସ୍. ଗୋପାଳନ କହିଛନ୍ତି।
ସିଇଓ ଶ୍ରୀ ଗୋପାଳନଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏସଆଇଆର ଏବଂ ଡିଜିଟାଇଜେସନ୍ ସ୍ଥିତି ଉପରେ ଆଲୋଚନା ହୋଇଛି। ଜୁଲାଇ ୫ରେ ପ୍ରକାଶ ପାଇବାକୁ ଥିବା ‘ଚିଠା ଭୋଟର ତାଲିକା’ ଏବଂ ଏହି ସଂଶୋଧନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକର ସୁପରିଚାଳନା ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। କେହି ଜଣେ ବି ଯୋଗ୍ୟ ଭୋଟର୍ ଯେମିତି ବାଦ୍ ନ ପଡ଼ିବେ, ସେଥିଲାଗି ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ୍ସ୍ତରୀୟ ଅଧିକାରୀ ଏବଂ ବୁଥ୍ସ୍ତରୀୟ ଏଜେଣ୍ଟଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ।
ଏହି ଚିଠା ଭୋଟର୍ ତାଲିକାକୁ ନେଇ କୌଣସି ପ୍ରକାର ଆପତ୍ତି କିମ୍ବା ଅଭିଯୋଗ ଥିଲେ, ଜୁଲାଇ ୫ରୁ ଅଗଷ୍ଟ ୪ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ। ଜୁଲାଇ ୫ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ ଫର୍ମ-୬ ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ। ଫର୍ମ-୭ ଦେଇ ଭୋଟର୍ ତାଲିକାରୁ ନାମ ବାଦ୍ ଓ ଫର୍ମ-୮ ମାଧ୍ୟମରେ ଯେକୌଣସି ପ୍ରକାର ସଂଶୋଧନ କରିପାରିବେ। ଆଜି ସୁଦ୍ଧା ୯୯.୯୧ ପ୍ରତିଶତ ଅର୍ଥାତ୍ ୩କୋଟି ୩୩ଲକ୍ଷ ୬୯ ହଜାର ୬୨୭ଜଣ ଭୋଟର୍ଙ୍କୁ ପରିଗଣନା ଫର୍ମ ବଣ୍ଟନ ହୋଇଥିବା ବେଳେ ସେଥିମଧ୍ୟରୁ ୯୦.୮୬ ପ୍ରତିଶତ ଅର୍ଥାତ୍ ୩କୋଟି ୩୪ଲକ୍ଷ ୬ହଜାର ୭୨୯ଜଣ ଭୋଟର୍ଙ୍କ ଡିଜିଟାଇଜେସନ୍ କରାଯାଇଛି ।
