ବିଶ୍ୱ ପର୍ଯ୍ୟଟନ ଦିବସରେ ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର):ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ, ଅନ୍ୟନ୍ୟ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାର ବ୍ୟାପକ ପ୍ରଚାର ପ୍ରସାର ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ସକାଳେ ଏକ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଓଡ଼ିଶାକୁ ଫିଟନେସ୍, ୱେଲନେସ୍ ଏବଂ ସକ୍ରିୟ ପର୍ଯ୍ୟଟନର ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳ ଭାବେ ଉପସ୍ଥାପିତ କରିବା ସହ କେନ୍ଦୁଝରର ସମୃଦ୍ଧ ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ସାରା ରାଜ୍ୟ ତଥା ଦେଶରେ ପରିଚିତ କରାଇବା ଏହି ରନ୍‌ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

        ପୁରୁଣାସହରସ୍ଥିତ ପ୍ରସିଦ୍ଧ ଐତିହାସିକ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରୁ ସକାଳ ୭ଟାରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଏବଂ ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ ଏହି ପ୍ରୋମୋ ରନ୍‌ର ଶୁଭାରମ୍ଭ କରିଥିଲେ। ବଳଦେବଜୀଉ ମନ୍ଦିରରୁ ଏହି ଦୌଡ ବାହାରି ପବିତ୍ର ସିଦ୍ଧମଠ ପର୍ଯ୍ୟନ୍ତ ୫ କିଲୋମିଟର ଦୂରତା ଦୌଡ଼ିଥିଲେ ଏବଂ ସେଠାରୁ ପୁନର୍ବାର ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣକୁ ଫେରିଥିଲେ।

      ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତିର୍ମୟୀ ନାଏକ, ପର୍ଯ୍ୟଟନ ବିଭାଗର କନିଷ୍ଠ ସହାୟକ ବିକ୍ରମ କେଶରୀ ପାତ୍ର, ଜିଲ୍ଲା ସଂସ୍କୃତି ପରିଷଦ କନିଷ୍ଠ ସହାୟକ ସନ୍ଦୀପ କୁମାର ସାହୁ ଏବଂ କ୍ରୀଡା ଛାତ୍ରାବାସ ବରିଷ୍ଠ ପ୍ରଶିକ୍ଷକ ଜିତେନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ। ସମୟଶ୍ରୀ ଚାଟର୍ଜି କାର୍ଯ୍ୟକ୍ରମର ଧାରାବିବରଣୀ ପ୍ରଦାନ କରିଥିଲେ।

       ଏହି ରନ୍‌ରେ ଜିଲ୍ଲାର ବିଭିନ୍ନ ରନିଂ କ୍ଲବ୍, କ୍ରୀଡ଼ାପ୍ରେମୀ, ଯୁବ ବର୍ଗ, ସ୍ଥାନୀୟ ସଚେତନ ନାଗରିକ, ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବରିଷ୍ଠ ନାଗରିକ ମଧ୍ୟ ସ୍ୱଇଚ୍ଛାରେ ଏହି ଦୌଡ଼ରେ ଅଂଶଗ୍ରହଣ କରିଥିଲେ। ‘ସମୁଦ୍ର ଓ ଦିବ୍ୟତାର ମିଳନସ୍ଥଳୀରେ ଦୌଡ଼’ (Run where ocean meets the divine) ବାର୍ତ୍ତା ସହ କେନ୍ଦୁଝର ଜିଲ୍ଲାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ, ଜଳପ୍ରପାତ ଓ ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଏହି ଅବସରରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

Leave a Reply

Your email address will not be published. Required fields are marked *