ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ସର୍କିଟ ହାଉସଠାରେ ବନ୍ୟା ଦ୍ୱାରା କେନ୍ଦୁଝର ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ସାମ୍ପ୍ରତିକ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରାଯାଇଛି।

          ବିଭାଗୱାରୀ ଆକଳନ ଅନୁଯାୟୀ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ, ପୋଲ, ପାନୀୟଜଳ ଯୋଗାଣ, ବିଦ୍ୟୁତ ଭିତ୍ତିଭୂମି, କୃଷି ଜନିତ କ୍ଷୟକ୍ଷତି ଏବଂ ଜଙ୍ଗଲ ଅଞ୍ଚଳର ସମୀକ୍ଷା କରାଯାଇଥିଲା। ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣର ପୁନରୁଦ୍ଧାର, ଜଳ ଯୋଗାଣ ବ୍ୟବସ୍ଥାର ମରାମତି, ଜରୁରୀକାଳୀନ ମୁକାବିଲା ଦଳ ମୁତୟନ, ରିଲିଫ୍ ବଣ୍ଟନ ଏବଂ ଅନ୍ୟାନ୍ୟ ପ୍ରଶମନମୂଳକ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଅଧିକାରୀଗଣ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
     ମନ୍ତ୍ରୀ ସମସ୍ତ ବିଭାଗର ପୁନରୁଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିବା ସହ, ଜରୁରୀକାଳୀନ ସେବାଗୁଡ଼ିକର ଅବ୍ୟାହତ ଯୋଗାଣ ନିଶ୍ଚିତ କରିବାକୁ, ନିବିଡ଼ ସମନ୍ୱୟ ରକ୍ଷା କରିବାକୁ ଏବଂ ଆଗାମୀ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ତ୍ଵରିତ ପଦକ୍ଷେପ ନେବା, ନିରନ୍ତର ନଜର ରଖିବା ଏବଂ ପ୍ରଭାବିତ ଲୋକଙ୍କୁ ସଠିକ୍ ସମୟରେ ସହାୟତା ଯୋଗାଇଦେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ମନ୍ତ୍ରୀ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *