ହାତୀବେଶରେ ସାହାଣମେଲା ଦର୍ଶନ ଦେଲେ ଶ୍ରୀଜୀଉ

ଜୁଲାଇ ୧୪ ପର୍ଯ୍ୟନ୍ତ ଅଣସରଘରକୁ ବିଜେ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲାର ରାଷ୍ଟ୍ରଦେବ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ସୋମବାର ସ୍ନାନମଣ୍ଡପରେ ହାତୀ ବେଶରେ ଭକ୍ତଙ୍କୁ ସାହାଣମେଲା ଦର୍ଶନ ଦେଇଛନ୍ତି । ସୋମବାର ସକାଳୁ ଆକାଶ ମେଘାଛନ୍ନ ସାଙ୍ଗକୁ ଅନୁକୂଳ ପାଗ ଯୋଗୁଁ ପ୍ରଭୁଙ୍କ ଏହି ସାନିଧ୍ୟ ଲାଭ ପାଇଁ ପୁରୁଣାବଜାରସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଭକ୍ତଙ୍କ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା ।

      ଭୋର ସାଢ଼େ ସାଢ଼େ ୪ଟାରୁ ତିନି ଠାକୁରଙ୍କ ଅବକାଶ ଓ ଲୁଗାଲାଗି ପରେ ସୂର୍ଯ୍ୟପୂଜା, ବାଳଭୋଗ, ପୁଷ୍ପାଞ୍ଜଳି, ଚକାଭିଡା ପରେ ପୂର୍ବାହ୍ନ ୧୦ଟାରେ ଧାଡି ପହଣ୍ଡି କରାଯାଇ ତିନି ଠାକୁରଙ୍କୁ ସ୍ନାନମଣ୍ଡପକୁ ଅଣାଯାଇଥିଲା । ସେଠାରେ ତିନି ଠାକୁରଙ୍କୁ ବିଭିନ୍ନ ସୁବାସିତ ଜଳରେ ସ୍ନାନ ପରେ ଯଥାବିଧୂ ଆଳତୀ ଓ ପୂଜାର୍ଚ୍ଚନା କରାଯାଇ ପଂକ୍ତିଭୋଗ ପରେ ଠାକୁରଙ୍କ ପ୍ରସିଦ୍ଧ ଗଜାନନ ବେଶ ଅନୁଷ୍ଠିତ ହୋଇ ଭକ୍ତଙ୍କୁ ସାହାଣମେଲା ଦର୍ଶନ ଦେଇଥିଲେ । ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଅଁଳାପତ୍ର ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶ ତୁଳସୀପତ୍ର ଓ ଭଉଣୀ ସୁଭଦ୍ରାଙ୍କୁ କେବଳ ଫୁଲରେ ସୁସଜ୍ଜିତ ଏହି ନିଆରା ବେଶ କେନ୍ଦୁଝର ସ୍ନାନଯାତ୍ରାରେ ଏକ ସ୍ଵତନ୍ତ୍ରତା ବଜାୟ ରଖିଛି ।

         ରାତି ୯ଟା ପରେ ତିନି ଠାକୁରଙ୍କୁ ଗୋଟିପହଣ୍ଡି କରାଯାଇ ମନ୍ଦିର ବିଜେ ହେବା ପରେ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ତିନିଠାକୁର ଅଣସରଘରକୁ ବିଜେ କରିଛନ୍ତି । ଜୁଲାଇ ୧୪ତାରିଖ ତିନିଠାକୁର ଅଣସରରୁ ଆସି ଭଦ୍ରାସନକୁ ବିଜେ ହୋଇ ନେତ୍ରଦାନ ପରେ ପ୍ରତିଷ୍ଠା, ଲୁଗାଲାଗି, ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ଶେଷ ପରେ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେବେ । ନବଯୌବନ ଦର୍ଶନ ପରେ ଜୁଲାଇ ୧୫ରେ ଉଭା ଯାତ୍ରା ଓ ରଥ ଆଜ୍ଞାମାଳ ବିଜେ, ଜୁଲାଇ ୧୬ରେ ଶ୍ରୀଗୁଣ୍ଡିଚା ଯାତ୍ରା, ଜୁଲାଇ ୧୭ରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ, ଜୁଲାଇ ୨୦ରେ ହେରା ପଞ୍ଚମୀ, ଜୁଲାଇ ୨୩ରେ ନବମୀ ସନ୍ଧ୍ୟା ଦର୍ଶନ, ଜୁଲାଇ ୨୪ରେ ବାହୁଡା ଯାତ୍ରା, ଜୁଲାଇ ୨୫ରେ ଶ୍ରୀଜୀଉଙ୍କ ସୁନାବେଶ ଏବଂ ଜୁଲାଇ ୨୬ରେ ଶ୍ରୀଜୀଉଙ୍କ ଶ୍ରୀମନ୍ଦିର ବିଜେ କରିବେ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *