ଶପଥପାଠରେ ସୀମିତ ଦୁର୍ନୀତିମୁକ୍ତ ପ୍ରଶାସନ ଓ ସ୍ୱଚ୍ଛ ସେବା ପ୍ରଦାନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା, ସାଧୁତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ଲକ୍ଷ୍ୟରେ ପ୍ରତିବର୍ଷ ଭିଜିଲାନ୍ସ ବିଭାଗ ପକ୍ଷରୁ ପାଳିତ ହୋଇ ଆସୁଛି ଦୁର୍ନୀତି ନିବାରଣ ସପ୍ତାହ । ଏହି ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଓ ସାଧୁତାର ଶପଥ ପାଠ ମଧ୍ୟ ପ୍ରତିବର୍ଷ କରାଯାଇ ସରକାରୀ ସେବା ପ୍ରଦାନରେ ସଚ୍ଚୋଟତା, ନିରପେକ୍ଷତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦିଆଯାଇଛି।

   
       ତେବେ ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ଭିଜିଲାନ୍ସ ୟୁନିଟ୍‌ର ୧୨ ଜୁନ୍ ୨୦୨୪ରୁ ୨୮ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକଳାପ ସମ୍ପର୍କିତ ରିପୋର୍ଟରେ ଆୟ ବର୍ହିଭୁତ ସମ୍ପତ୍ତି ଠାବ, ଲାଞ୍ଚ ନେବା ଅଭିଯୋଗ ଏବଂ ସରକାରୀ ଅର୍ଥ ଆତ୍ମସାତ୍‌ ଭଳି ଏକାଧିକ ମାମଲା ସାମ୍ନାକୁ ଆସିଛି। ଏହି ତଥ୍ୟ ଜିଲ୍ଲାରେ ଦୁର୍ନୀତି ନିବାରଣ ଓ ପ୍ରଶାସନିକ ସ୍ୱଚ୍ଛତାର ଆବଶ୍ୟକତାକୁ ପୁଣିଥରେ ପଦାରେ ପକାଇଛି।


      ଭିଜିଲାନ୍ସ ବିଭାଗ ତଥ୍ୟ ଅନୁଯାୟୀ କେନ୍ଦୁଝର ଜିଲ୍ଲାର ୩ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତ୍ତି (ଡିଏ) ସମ୍ପର୍କିତ ମାମଲା ରୁଜୁ ହୋଇଛି। ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କ ବିରୋଧରେ ୩ କୋଟି ୬୭ ଲକ୍ଷ ୮୯ ହଜାର ୭୨୪ ଟଙ୍କା ୬୮ ପଇସାର ଆୟ ବର୍ହିଭୁତ ସମ୍ପତ୍ତି ଥିବା ଅଭିଯୋଗ ରହିଛି।
ସେହିପରି କେନ୍ଦୁଲିଫ୍ ଡିଏଫଓ କେନ୍ଦୁଝର ନିତ୍ୟାନନ୍ଦ ନାୟକଙ୍କ ବିରୋଧରେ ୮ କୋଟି ୪୧ ଲକ୍ଷ ୫୯ ହଜାର ୨୫୪ ଟଙ୍କା ୬୭ ପଇସା ଏବଂ ହାଟଡିହି ବ୍ଲକ୍‌ ଅନ୍ତର୍ଗତ ବଞ୍ଚୋ ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଜିତେନ୍ଦ୍ର କୁମାର ଜେନାଙ୍କ ବିରୋଧରେ ୨ କୋଟି ୪୫ ଲକ୍ଷ ୯୧ ହଜାର ୩୦୨ ଟଙ୍କା ୨୮ ପଇସାର ଆୟ ବର୍ହିଭୁତ ସମ୍ପତ୍ତି ଥିବା ରିପୋର୍ଟରେ ଦର୍ଶାଯାଇଛି।

ଦୁର୍ନୀତିମୁକ୍ତ ପ୍ରଶାସନ ଓ ସ୍ଵଛ ସେବା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଉଛନ୍ତି, ପାଖରେ ଅଛନ୍ତି ମୁଖ୍ୟ ଶାସନ ସଚିବ

         ସେହିଭଳି ଭିଜିଲାନ୍ସ ରିପୋର୍ଟରେ ୨୦୨୪ରୁ ୨୦୨୬ ମଧ୍ୟରେ ଲାଞ୍ଚ ନେବା ଅଭିଯୋଗରେ ଏକାଧିକ ସରକାରୀ ଅଧିକାରୀ ଓ କର୍ମଚାରୀ ଧରାପଡ଼ିଥିବା ଉଲ୍ଲେଖ ରହିଛି। ରିପୋର୍ଟ ଅନୁଯାୟୀ, ୧୯ ଜୁଲାଇ ୨୦୨୪ରେ ସାଇଁକୁଳ ସିଏଚ୍‌ସି ଅଧୀକ୍ଷକ ଡାକ୍ତର ରଞ୍ଜିବ କୁମାର ରାଉତ ୨୦ ହଜାର ୮୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଥିଲେ। ସେହିପରି ୧୯ ଫେବୃଆରୀ ୨୦୨୫ରେ ଜାତୀୟ ରାଜପଥ-୨୧୫ର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ କ୍ଷତିପୂରଣ ସମ୍ପର୍କିତ କାର୍ଯ୍ୟରେ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଶରତ କୁମାର ଗିରି ଧରାପଡ଼ିଥିଲେ। ୬ ଅଗଷ୍ଟ ୨୦୨୫ରେ ସେଟଲମେଣ୍ଟ କାର୍ଯ୍ୟାଳୟର ସହକାରୀ ରେକର୍ଡ କିପର୍ ହାଡ଼ିବନ୍ଧୁ ବେହେରା ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଥିବାବେଳେ, ୧୦ ସେପ୍ଟେମ୍ବରରେ ଚମ୍ପୁଆସ୍ଥିତ ନିକୋଲସନ୍ ଫରେଷ୍ଟ ଟ୍ରେନିଂ ସ୍କୁଲର କିରାଣି ରୁପଚାନ୍ଦ ନାଏକ ୩୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଗିରଫ ହୋଇଥିଲେ।

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ

           ଏହାବ୍ୟତୀତ, ୧୯ ନଭେମ୍ବର ୨୦୨୫ରେ କେନ୍ଦୁଝର ଅବକାରୀ ବିଭାଗର ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ ଥାନାର ଏଏସ୍‌ଆଇ ବିଜୟ କୁମାର ମହାନ୍ତ ମିଳିତ ଭାବେ ୪୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ି ଗିରଫ ହେବା ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀଙ୍କ ସ୍ବଛତାକୁ ପ୍ରମାଣିତ କରିଛି ।


           ୨୦୨୬ ମେ’ ୨୭ ତାରିଖରେ ଚମ୍ପୁଆର ଏସିଏସ୍‌ଓ ଧୁମାରାମ ମୁର୍ମୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଥିଲେ। ଅଗଷ୍ଟ ୨୮ ତାରିଖରେ ପାଟଣା ତହସିଲ କାର୍ଯ୍ୟାଳୟର ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବି.ଏଚ୍. ଉମାଶଙ୍କର ୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଥିବାବେଳେ, ଅଗଷ୍ଟ ୩୦ ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଥିଲେ ।


          ହିସାବ ବହିର୍ଭୂତ ଅର୍ଥ ଜବତ ଓ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗର ମାମଲା ମଧ୍ୟ ରହିଛି ଲମ୍ବା ଫର୍ଦ୍ଦ । ୫ ନଭେମ୍ବର ୨୦୨୪ରେ କେନ୍ଦୁଝର ଏଡିପିଏଚ୍‌ଓ (ଏଫ୍‌ଡବ୍ଲ୍ୟୁ) କାର୍ଯ୍ୟାଳୟର ବରିଷ୍ଠ ସହକାରୀ ଶେଖରଲାଲ କୁମାର ସାହୁଙ୍କ ଠାରୁ ହିସାବ ବହିର୍ଭୂତ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ତଥ୍ୟ ଦିଆଯାଇଛି । ସେହିପରି, ୨୯ ଜୁଲାଇ ୨୦୨୬ରେ ହାଟଡିହି ଶାଖାର କେସିସି ବ୍ୟାଙ୍କ ସମ୍ପର୍କିତ ମାମଲାରେ ଦିନବନ୍ଧୁ ଜେନାଙ୍କ ବିରୋଧରେ ୫ ଲକ୍ଷ ୮୨ ହଜାର ୧୪୧ ଟଙ୍କା ଅର୍ଥ ଆତ୍ମସାତ ମାମଲା ରୁଜୁ ହୋଇ ବିଚାରାଧିନ ରହିଛି ।


        ଦୁର୍ନୀତି ଏକ ସୁସ୍ଥ ପ୍ରଶାସନିକ ବ୍ୟବସ୍ଥା ପାଇଁ ଗୁରୁତର ଆହ୍ୱାନ। ଏହା କେବଳ ସରକାରୀ ରାଜସ୍ୱ ଓ ସମ୍ପତ୍ତିର କ୍ଷତି କରେ ନାହିଁ, ବରଂ ସାଧାରଣ ଲୋକଙ୍କ ମନରେ ପ୍ରଶାସନ ପ୍ରତି ରହିଥିବା ବିଶ୍ୱାସକୁ ମଧ୍ୟ ଦୁର୍ବଳ କରେ। ତେଣୁ ଦୁର୍ନୀତି ନିବାରଣ ପାଇଁ କେବଳ ଶପଥ ପାଠରେ ସୀମିତ ନରହି ଏହାକୁ ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ପ୍ରତିଫଳିତ କରିବା ଆବଶ୍ୟକ ହୋଇପଡିଛି । ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା, ସାଧାରଣ ଲୋକଙ୍କୁ ସରକାରୀ ସେବା ପାଇଁ ଲାଞ୍ଚ ଦେବାକୁ ବାଧ୍ୟ ନକରିବା ଏବଂ ପ୍ରତ୍ୟେକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସ୍ୱଚ୍ଛତାର ସହ ସମ୍ପାଦନ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେବା ଉଚିତ। ଏଥିସହ ନିୟମିତ ନିରୀକ୍ଷଣ, ଅଭିଯୋଗର ତ୍ୱରିତ ତଦନ୍ତ, ଦୋଷୀସାବ୍ୟସ୍ତ ବ୍ଯକ୍ତିଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ଏବଂ ସରକାରୀ କାର୍ଯ୍ୟରେ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ଦୁର୍ନୀତି ନିବାରଣର ପ୍ରମୁଖ ଆଧାର ହୋଇପାରିବ।

        କେନ୍ଦୁଝର ଏକ ଖଣିଜସମ୍ପଦ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଏଠାରେ ପ୍ରଶାସନିକ ସ୍ୱଚ୍ଛତା ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱର ଗୁରୁତ୍ୱ ଅଧିକ। ସରକାରୀ କାର୍ଯ୍ୟାଳୟରେ ସାଧୁତାର ବାର୍ତ୍ତା ଯଦି ବାସ୍ତବ କାର୍ଯ୍ୟରେ ପ୍ରତିଫଳିତ ହୁଏ, ତେବେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଦୃଢ଼ ହେବ।

Leave a Reply

Your email address will not be published. Required fields are marked *