ଦେଶ ପାଇଁ ଡ଼. ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର):  କେନ୍ଦୁଝର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର ଭାରତରତ୍ନ ଡ଼. ବି. ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ଦରବାରହଲ୍‌ଠାରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଯୋଗଦେଇ ଦେଶ ପାଇଁ ଡ଼. ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି । ଉଦ୍‌ବୋଧନଛଳରେ ଶ୍ରୀ ମହାଳିକ କହିଥିଲେ ଯେ, ଆମ୍ବେଦକରଙ୍କ ଆଦର୍ଶ, ତ୍ୟାଗ, ଶ୍ରେଣୀବିହୀନ ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସଂଗ୍ରାମ ଚିରଦିନ ପାଇଁ ଅଭୁଲା ରହିବ ।

     ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜରୁ ଭେଦଭାବ, ଛୁଆଁ ଅଛୁଆଁ ମନୋଭାବ ଦୂର କରିବା ପାଇଁ ଡ. ଆମ୍ବେଦକରଙ୍କ ଅବଦାନ ସର୍ବଦା ମହାନ ହୋଇ ରହିବ ବୋଲି କହିବା ସହ ଡ଼. ଆମ୍ବେଦକରଙ୍କ ବ୍ୟକ୍ତିତ୍ୱ, ଦକ୍ଷତା, ଜ୍ଞାନ ଗାରିମା ଏବଂ ସମାଜ ସଂସ୍କାର ସବୁବେଳେ ଉତ୍ତରପୀଢିଙ୍କୁ ପ୍ରେରଣା ଯୋଗାଇବ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ସମ୍ବିଧାନ ପ୍ରଣୟନରେ ସେ ଯେଉଁ ନିଷ୍ଠା, ପରାକାଷ୍ଠା ଓ ଦୂରଦୃଷ୍ଟି ପ୍ରତିପାଦନ କରିଛନ୍ତି ତାହା ଭାରତ ଏବଂ ଭାରତର ସମ୍ବିଧାନକୁ ଅନନ୍ୟ କରିଛି ।

       ବିଶେଷକରି ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର, ସମତା, ଭ୍ରାତୃତ୍ୱ ଏବଂ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଭାରତୀୟ ସମ୍ବିଧାନର ବିଶେଷତ୍ୱ ପାଲଟିଛି ବୋଲି କହିଥିଲେ । ଆଧୁନିକ ଭାରତରେ ମଧ୍ୟ ଡ଼. ଆମ୍ବେଦକରଙ୍କ ଜୀବନାଦର୍ଶର ପ୍ରାସଙ୍ଗିକତା ରହିଛି । ସୁସ୍ଥ ସମାଜ ଓ ସମୃଦ୍ଧ ଦେଶ ଗଠନ ପାଇଁ ଡ. ଆମ୍ବେଦକରଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ଆହ୍ୱାନ ଜଣାଇଥିଲେ ।

    ଏହି ସମାରୋହରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ ମହାନ୍ତି, ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଧା ଗୋସ୍ଵାମୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ରମେଶ ଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ସରୋଜ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । ଜୟନ୍ତୀ ଅବସରରେ ଡ. ଆମ୍ବେଦକରଙ୍କୁ ସ୍ମରଣ କରିବା, ତାଙ୍କ ଆଦର୍ଶକୁ ଅନୁଶୀଳନ କରିବା ଏବଂ ତାଙ୍କରି ଆଦର୍ଶରେ ଉଦ୍‌ବୁଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ ।

   ଏତଦବ୍ଯତୀତ ଡ଼. ଆମ୍ବେଦକରଙ୍କୁ ଜଣେ ମହାନ ଚିନ୍ତାନାୟକ, ରାଷ୍ଟ୍ରନାୟକ, ପ୍ରଜ୍ଞା ଓ ପାଣ୍ଡିତ୍ୟର ପ୍ରତୀକ, ବହୁମୁଖୀ ପ୍ରତିଭା ସମ୍ପନ୍ନ ଓ ଦଳିତ ସମାଜର ତ୍ରାଣକର୍ତ୍ତା ଭାବେ ଅଭିହିତ କରି ତାଙ୍କର ଉଚ୍ଚ ଆଦର୍ଶ ଓ ମାନବୀୟ ମୂଲ୍ୟବୋଧର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ମାନସିକତା ରହିବା ଆବଶ୍ୟକ ବୋଲି କହିଥିଲେ ।

    ଭାରତରତ୍ନ ଡ଼. ଆମ୍ବେଦକରଙ୍କ ଆଦର୍ଶ ସମ୍ପର୍କରେ ସଚେତନ ହୋଇ ତାଙ୍କର ସ୍ୱପ୍ନର ଭାରତବର୍ଷ ଗଠନ ପାଇଁ ଅଙ୍ଗୀକାରବଦ୍ଧ ହେବାକୁ ନିବେଦନ କରିଥିଲେ । ସମାଜରୁ ଅସ୍ପୃଶ୍ୟତା ଦୂର କରି ଦେଶରେ ସୁସ୍ଥ ଓ ସମତାଭିତ୍ତିକ ସମାଜ ଗଠନ, ସବୁ ଶ୍ରେଣୀର ଲୋକମାନଙ୍କ ସ୍ୱାର୍ଥର ସୁରକ୍ଷା ଓ ଭାରତର ସମ୍ବିଧାନ ପ୍ରଣୟନରେ ଡ଼. ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ଅବତାରଣା କରି ତାଙ୍କରି ଆଦର୍ଶକୁ ଉଜ୍ଜିବିତ ରଖିବା ନିମନ୍ତେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ ।

     ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କେନ୍ଦୁଝର ଜ୍ୟୋତିର୍ମୟୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପରୁସ୍କୃତ କରାଯାଇଥିଲା । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *