ରାଜରାସ୍ତାରେ ଛାତ୍ରଛାତ୍ରୀ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲାର ଐତିହ୍ଯ, ଗୌରବ, ସାଂସ୍କୃତିକ ସ୍ବାଭିମାନ ଓ ଅସ୍ମିତାର ବାର୍ତ୍ତା ବହନକରି ୧୯୫୭ ମସିହାରେ କେନ୍ଦୁଝର ସାଇନ୍ସ କଲେଜ
ନାମକ ଉଚ୍ଚ ଶିକ୍ଷାନୁଷ୍ଠାନଟି ୧୯୬୨ରେ ସରକାରୀ ମାନ୍ଯତା ଲାଭକରି ୧୯୮୩/୮୪ ଶିକ୍ଷାବର୍ଷରେ ଧରଣୀଧର ମହାବିଦ୍ୟାଳୟରେ ନାମିତ ହୋଇଥିଲା । ୧୯୯୯ରେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅଲଗା ହୋଇ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧନ ଲାଭକଲା । ପରବର୍ତ୍ତୀ ସମୟରେ ୨୦୦୪ରେ ସ୍ବୟଂଶାସିତ ମାନ୍ଯତା ପାଇ ନିରନ୍ତର ଉଚ୍ଚଶିକ୍ଷା ପ୍ରଦାନ କରି ରାଜ୍ୟ ତଥା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ଜିଲ୍ଲାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ତତ୍କାଳୀନ ଜିଲ୍ଲାପାଳ ଭେଙ୍କଟରମଣ, ଶିଳ୍ପପତି ସିରାଜୁଦ୍ଦିନ, ଜମିଦାନ କରିଥିବା ବଦାନ୍ଯ ବ୍ଯକ୍ତି ବିଶେଷ, ବୁଦ୍ଧିଜୀବି ଓ ସାଧାରଣ ଜନତାଙ୍କ ଭାବାବେଗ ଏହି ଅନୁଷ୍ଠାନ ସହ ଜଡିତ। ୧୯୯୬ରୁ କେନ୍ଦୁଝରରେ ଏକ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ସାଧାରଣରେ ବାରମ୍ଵାର ଦାବି ହୋଇ ଆସୁଥିଲା । ଉଚ୍ଚଶିକ୍ଷା ବିଭାଗ ପତ୍ର ସଂଖ୍ଯା ୬୦୩୮/ଏଚଇ/ ୧୧/୦୨/୨୦୨୩ ବିଜ୍ଞପ୍ତିରେ ଏହି ଶିକ୍ଷାନୁଷ୍ଠାନକୁ ବିଶ୍ବବିଦ୍ୟାଳୟ ଘୋଷଣା କରିବା ଏକ ସ୍ବାଗତଯୋଗ୍ଯ ପଦକ୍ଷେପ ।
ମାତ୍ର ପରବର୍ତ୍ତୀ ସମୟରେ ରାଜନୈତିକ ଅଭିସନ୍ଧି ରଖି ତତ୍କାଳୀନ ସରକାର ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ସଂଖ୍ଯା ୩୫୩୮୪/ଏଚଇ/୧୮/୦୮/୨୦୨୩ ମାଧ୍ଯମରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ଉନ୍ନୀତ କଲେ । ଯାହାଫଳରେ ସ୍ବୟଂଶାସିତ ଅନୁଷ୍ଠାନଟି ଉନ୍ନୀତ ବିଶ୍ବବିଦ୍ୟାଳୟରେ ବିଲୀନ ହେଲା । ଏହାଥିଲା କେନ୍ଦୁଝରବାସୀଙ୍କ ପ୍ରତି ବିଶ୍ବାସଘାତକତା । ପୃଥକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ପରିବର୍ତ୍ତେ ତତ୍କାଳୀନ ସରକାର ଏକମାତ୍ର ସ୍ବୟଂଶାସିତ ସରକାରୀ ଶିକ୍ଷାନୁଷ୍ଠାନଟିକୁ ବିଲୋପ କଲେ ।
ପରିତାପର ବିଷୟ ଏହିକି ଯେ, ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ଯତା ୨୦୨୭ ମସିହା ଯାଏଁ ବଳବତ୍ତର ଥିବା ସତ୍ତ୍ବେ ଏବଂ ନାକ୍ ମାନ୍ଯତା ପାଇଁ ଆବଶ୍ଯକ ଦେୟ ଦାଖଲ ତଥ୍ଯକୁ ଅଣଦେଖା କରାଗଲା । ପୂର୍ବ ସରକାରଙ୍କ ଏତାଦୃଶ ଜନ ବିରୋଧି କାର୍ଯ୍ଯକୁ ତତ୍କାଳୀନ ବିରୋଧି ଦଳ ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧ କରି ସ୍ବର ଉତ୍ତୋଳନ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦୁଝରର ସଚେତନ ନାଗରିକ ମଞ୍ଚ, ବୁଦ୍ଧିଜୀବି, ଛାତ୍ରଛାତ୍ରୀ, ବିଭିନ୍ନ ସାମାଜିକ ସଙ୍ଗଠନ ଓ ଜନସାଧାରଣ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବର୍ତ୍ତମାନ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଧ୍ୟ ଲୋକଙ୍କ ଦାବି ଓ ଭାବାବେଗକୁ ସମ୍ମାନ ଜଣାଇ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ପୃଥକ କରିବାକୁ ପ୍ରତିଶୃତି ଦେଇଛନ୍ତି ।.
ଏପରିକି ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଠାରୁ ପୃଥକ କରି ପୂର୍ବ ପରି ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରଖିବା ସପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଷ୍ଟାଣ୍ଡିଙ୍ଗ୍ କମିଟି ସୁପାରିସ କରିଥିଲେ । ଯେଉଁ କମିଟିର ସଦସ୍ୟ ଥିଲେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ। ଷ୍ଟେଟ ୟୁନିଭରସିଟି ଆକ୍ଟ ଅନୁସାରେ କୌଣସି ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ଉନ୍ନୀତ କରିବା ବିଧିବଦ୍ଧ ନିୟମ ନାହିଁ । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପଛରେ ଆଇନ ଓ ଅର୍ଥ ବିଭାଗ ଏବଂ ବିଧାନସଭାର ଅନୁମୋଦନ ନଥିଲା ।
ଏହାକୁ ଆଖି ଆଗରେ ରଖି ଲୋକଙ୍କ ଦାବି ଓ ଆବେଗକୁ ସମ୍ମାନ ଜଣାଇ ଉଚ୍ଚଶିକ୍ଷା ବିଭାଗ ଗତ ଅପ୍ରେଲ ମାସ କେନ୍ଦୁଝରର ଶିକ୍ଷାବିତ, ନାଗରିକମଞ୍ଚର କର୍ମକର୍ତ୍ତା ଓ ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରତିଭା ପୃଷ୍ଟିଙ୍କ ସହିତ ଆଲୋଚନା କରିବା ସହ ପୃଥକୀକରଣ କାର୍ଯ୍ଯକୁ ତ୍ବରାନ୍ବିତ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାପୂର୍ବରୁ ବିଶ୍ବବିଦ୍ୟାଳୟ ସିଣ୍ଡିକେଟରେ ମଧ୍ଯ ଏ ସଂକ୍ରାନ୍ତରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତଦନୁସାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ସହିତ ଏକାଧିକ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ମଧ୍ଯ ଏ ଦିଗରେ ଆବଶ୍ଯକ ସାହାଯ୍ଯ ସହଯୋଗର ପ୍ରତିଶୃତି ଦେଇଛନ୍ତି । ମାତ୍ର ବିଶ୍ବବିଦ୍ୟାଳୟର କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିଭିନ୍ନ ଆଳରେ ପୃଥକୀକରଣ କାର୍ଯ୍ଯରେ ବାଧା ସୃଷ୍ଟି କରୁଛନ୍ତି । ପରବର୍ତ୍ତୀ ସମୟରେ ପୃଥକୀକରଣ ସମ୍ପର୍କିତ ନଥି ବିଭିନ୍ନ ବିଭାଗର ଅନୁମୋଦନ ଲାଭ କରିସାରିଛି, ଯାହ ଏକ ସକାରାତ୍ମକ ପଦକ୍ଷେପ। ଏସବୁ ସତ୍ତ୍ବେ ଅନୁଷ୍ଠାନ ଦୁଇଟି ଅଲଗା ନହେବା ଘୋର ପରିତାପର ବିଷୟ ।
ଏଥିରୁ ସ୍ପଷ୍ଟ ଅନୁମେୟ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ମୁଖ୍ଯମନ୍ତ୍ରୀଙ୍କ ବ୍ଯକ୍ତିତ୍ବ ଓ ଛବିକୁ ମଳିନ କରିବାକୁ ହୀନ ଉଦ୍ୟମ ଚଳାଇଥିବା ଆଲୋଚନା ହେଉଛି । ନବଗଠିତ ବିଶ୍ଵବିଦ୍ୟାଳୟରୁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ପୃଥକ କରାଯାଇ ପୂର୍ବସ୍ଥିତି ବଜାୟ ରଖାଗଲେ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ଗରିବ, ମେଧାବୀ, ଅବହେଳିତ ଆଦିବାସୀ ଓ ପଛୁଆବର୍ଗର ଛାତ୍ରଛାତ୍ରୀ ସ୍ଵଳ୍ପ ଖର୍ଚ୍ଚରେ ସରକାରୀ ସୁବିଧାରେ ଉଚ୍ଚଶିକ୍ଷା ଲାଭ କରି ନିଜକୁ ଦେଶ ସେବାରେ ନିୟୋଜିତ କରିବେ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏଥିସହ ଗବେଷଣାର ପ୍ରଗତି ତ୍ବରାନ୍ବିତ ହେବାସହ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଭିତ୍ତିଭୂମି ବିକାଶ ସହ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ତରଫରୁ ଅଧିକ ଆର୍ଥିକ ଅନୁଦାନ ମିଳି ପାରିବ, ଯଦ୍ଵାରା ଅଧିକ କର୍ମଶାଳା, ପାଠଚକ୍ର ଓ ଗବେଷଣା ଦ୍ବାରା ଶିକ୍ଷାର ମାନ ବୃଦ୍ଧିରେ ସହାୟକ ହେବ ।
ଇତିମଧ୍ଯରେ ଗତ ଜୁଲାଇ ୭ ତାରିଖରେ ରାଜ୍ଯ ଅତିଥି ଭବନ ଠାରେ କେନ୍ଦୁଝରର ବରିଷ୍ଠ ନାଗରିକ, ମହାବିଦ୍ୟାଳଯୁଗ ପୁରାତନ ଛାତ୍ର ପ୍ରତିନିଧି, ପୂର୍ବତନ ବିଧାୟକ ଓ ଜନପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦୁଝରବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ଅଧିକ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବା ବେଳେ ବିଶ୍ଵବିଦ୍ୟାଳୟରୁ ତୁରନ୍ତ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବସ୍ଥିତିିକୁ ଫେରାଇ ଅଣାଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ସହସ୍ରାଧିକ ଛାତ୍ରଛାତ୍ରୀ ବୁଧବାର ପୂର୍ବାହ୍ନରେ ବିଶ୍ଵବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପରୋକ୍ତ ଦାବି ପୁରଣ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
