କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପରିବାରର ଆର୍ଥିକ ତାଡ଼ନା କାରଣରୁ ଆଦିମ ଜନଜାତି ଜୁଆଙ୍ଗ ମେଧାବୀ ଛାତ୍ର ବୈଲୋଚନ ଉଚ୍ଚଶିକ୍ଷା ପାଇଁ ହୋଟେଲରେ ଅଇଁଠା ବାସନ ମାଜି ଅର୍ଥ ସଂଗ୍ରହ କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ କେନ୍ଦୁଝର ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟ ତଥା ଜାତୀୟସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ମେଧାବୀ ଜୁଆଙ୍ଗ ଛାତ୍ରର ବାସନ ମାଜିବା ଘଟଣା ଜିଲ୍ଲା ତଥା ଓଡ଼ିଶାର ଛବିକୁ ଆନ୍ତର୍ଜାତୀୟସ୍ତରରେ ମଳିନ କରିଛି।
ଏହି ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତତ୍ପର ହୋଇ ବୈଲୋଚନର ଉଚ୍ଚଶିକ୍ଷା ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘଟଣାରେ ହସ୍ତକ୍ଷେପ କରି ବୈଲୋଚନ ଜୁଆଙ୍ଗକୁ ‘ମୁଁ ତୁମର ବଡ଼ଭାଇ, ତୁମର ଉଚ୍ଚଶିକ୍ଷା ପାଇଁ ଯାହା ଆବଶ୍ୟକ ସବୁ ମୁଁ ବୁଝିବି’ ବୋଲି କହିଛନ୍ତି।
ସେହିଭଳି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁଗ୍ମନିର୍ଦ୍ଦେଶକ ଅଶୋକ କୁମାର ଗୌଡ଼ ଗତ ବୁଧବାର ଶୁଆକାଟିସ୍ଥିତ ପାଟେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁଙ୍କୁ ବୈଲୋଚନର ଉଚ୍ଚଶିକ୍ଷା ନିମନ୍ତେ ଅନଲାଇନ୍ ଆବେଦନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଶ୍ରୀ ସ୍ୱାଇଁ ମଧ୍ୟ ବୈଲୋଚନକୁ କଲେଜକୁ ଡ଼କାଇ ଅନଲାଇନରେ ଆବେଦନ ପ୍ରକ୍ରିୟା ଶେଷ କରାଇଛନ୍ତି।
ଏହି ଘଟଣା ପ୍ରଥମେ ‘ଡୁମାଣୀ ଖବର’ରେ ପ୍ରକାଶିତ ହେବାପରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ବ୍ୟକ୍ତି ବିଶେଷ, ସଂସ୍ଥା ଏବଂ ସଙ୍ଗଠନ ପ୍ରତିକ୍ରିୟାଶୀଳ ହୋଇ ବୈଲୋଚନକୁ ସାହାଯର୍ଯ୍ୟର ହାତ ବଢାଇଛନ୍ତି। ସେହିଭଳି ଗତ ଗୁରୁବାର ପଣ୍ଡାପଡ଼ା ଥାନା ପକ୍ଷରୁ ବୈଲୋଚନ ଏଵଂ ତାଙ୍କ ବାପା କୀର୍ତ୍ତନ ଜୁଆଙ୍ଗଙ୍କୁ ଥାନାକୁ ଆଣି ଥାନା ଅଧିକାରୀ ରବି ଶଙ୍କର ଭଇଁସା ସମ୍ବର୍ଦ୍ଧିତ କରିଛନ୍ତି। ପରିବାରର ଶୋଚନୀୟ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଉଚ୍ଚାଭିଳାଷି ମେଧାବୀ ଜୁଆଙ୍ଗ ଛାତ୍ର ବୈଲୋଚନ ପାଠ ପଢି ବଡ ପୋଲିସ ଅଧିକାରୀ ହେବା ସ୍ୱପ୍ନ ଏଵଂ ନିଷ୍ଠା ତାକୁ ଆଜି ସଫଳତା ଆଡକୁ ଟାଣି ନେଉଛି।
ପାଠ ପଢ଼ି ବଡ଼ ପୋଲିସ ଅଧିକାରୀ ହେବାର ଲକ୍ଷ୍ୟ ଯୋଗୁଁ ସେ ଅବସର ସମୟରେ କାମ କରି ଅର୍ଥ ସଂଗ୍ରହ କରେ ଉଚ୍ଚଶିକ୍ଷା ପାଇଁ। ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ବୈଲୋଚନ ଉଦାହରଣ ନିଶ୍ଚୟ। ନିଜ ପରିବାର ଗରୀବ ହୋଇଥିବାରୁ ପରିବାର ଉପରେ ନିର୍ଭର ନକରି ନିଜେ କାମ କରି ଅର୍ଥ ସଂଗ୍ରହ ଦ୍ଵାରା ପାଠ ପଢ଼ିବା ଆଭିମୁଖ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ତେବେ ବୈଲୋଚନର ଖବର ଗଣମାଧ୍ୟମରେ ପ୍ରକାଶ ପରେ ରାଜ୍ୟର ବିଭିନ୍ନ ସଂସ୍ଥା, ସଙ୍ଗଠନ ଏବଂ ବ୍ୟକ୍ତିଵିଶେଷ ବୈଲୋଚନ ଜୁଆଙ୍ଗକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସାହାଯର୍ଯ୍ୟର ହାତ ବଢ଼ାଇଛନ୍ତି ।
