କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦ୍ରରେ ମୋଦି ସରକାର ଯେଭଳି ଦୀର୍ଘ ୧୨ବର୍ଷ ଧରି ଶ୍ରମିକ, କୃଷକ, କ୍ଷେତମଜଦୂର, ମହିଳା, ଯୁବ, ଛାତ୍ର ଏବଂ ସର୍ବୋପରି ଦେଶବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ କର୍ପୋରେଟ୍, ବୃହତ୍ ପୁଞ୍ଜିପତି ସପକ୍ଷପାତି ଓ ସାଂପ୍ରଦାୟିକ ନୀତି ଅନୁସରଣ କରି ଋଲିଛନ୍ତି ଏହାଫଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । କେନ୍ଦ୍ର ସରକାର ଶ୍ରମିକମାନଙ୍କର ବହୁ କଷ୍ଟଲବ୍ଧ ୪୪ଟି ଶ୍ରମ ଆଇନକୁ ଉଚ୍ଛେଦ କରି ଶ୍ରମଜୀବୀ ଜନଗଣଙ୍କ ସ୍ୱାର୍ଥ ବିରୋଧୀ ୪ଟି ଶ୍ରମକୋଡ଼ ସମ୍ପର୍କରେ ଚଳିତବର୍ଷ ମେ ୮ ଓ ୯ ତାରିଖରେ ବିଜ୍ଞପ୍ତି ଜାରି କରିଛନ୍ତି । ଫଳରେ ୭୦ଭାଗ କାରଖାନା ଓ ସଙ୍ଗଠିତ କ୍ଷେତ୍ରର ୯୦ ପ୍ରତିଶତ ଶ୍ରମିକ ଶ୍ରମ ଆଇନ ପରିସରରୁ ବାଦ୍ ପଡ଼ିବେ।
ଅର୍ଥନୀତିର ଆନୁଷ୍ଠାନିକ କ୍ଷେତ୍ରକୁ ଅଣଆନୁଷ୍ଠାନିକ କ୍ଷେତ୍ରରେ ପରିବର୍ତ୍ତନ କରିବା ଫଳରେ ୯୦ ପ୍ରତିଶତ ଶ୍ରମିକ ଅସଙ୍ଗଠିତ କ୍ଷେତ୍ର ଶ୍ରମିକରେ ପରିଣତ ହୋଇଛନ୍ତି। ଏପରିକି ସଙ୍ଗଠନ ଗଠନ କରିବା କ୍ଷେତ୍ରରେ ନାନାଦି କଟକଣା ସହ ଧର୍ମଘଟକୁ ବସ୍ତୁତଃ ବେଆଇନ କରାଯାଇଛି । ସାଙ୍ଗଠନିକ କାର୍ଯ୍ୟକୁ ‘ଅପରାଧ’ ବୋଲି ବିବେଚନା କରିବା ବେଳେ କର୍ପୋରେଟ୍ ମାଲିକ ଓ ପୁଞ୍ଜିପତିମାନଙ୍କ ଅପରାଧିକ କାର୍ଯ୍ୟକୁ ଅଣଅପରାଧିକ କାର୍ଯ୍ୟରେ ପରିବର୍ତ୍ତନ କରାଯାଇଛି। ବସ୍ତୁତଃ ଶ୍ରମିକମାନଙ୍କୁ ମଧ୍ୟଯୁଗୀୟ ‘ଦାସ’ରେ ପରିଣତ କରିବା ପାଇଁ ହୀନ ଉଦ୍ୟମ କରାଯାଇଛି। ପାର୍ଲାମେଣ୍ଟରେ ବିରୋଧୀ ଦଳମାନଙ୍କ ଅନୁପସ୍ଥିତିରେ ଏହାକୁ ଆଇନରେ ପରିଣତ କରାଯାଇଛି । ସାମାଜିକ ନିରାପତ୍ତା, ଏପରିକି ଶ୍ରମିକମାନଙ୍କ ସାମ୍ବିଧାନିକ ଅଧିକାର ମଧ୍ୟ କ୍ଷୁଣ୍ଣ କରାଯାଇଛି ।
ଅନୁରୂପ ଭାବେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ବ କୃଷକ ସଙ୍ଗଠନ ବର୍ଷବ୍ୟାପୀ ସଂଗ୍ରାମୀ କରି ୭୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ଜୀବନ ବଳିଦାନ ଦେଇ ୩ଟି କଳା କୃଷି ଆଇନକୁ ବାତିଲ କରିବା ପାଇଁ ମୋଦି ସରକାରଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ଚାଷୀମାନଙ୍କୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେବା, ଋଣଛାଡ଼ କରିବା ଆଦି ୧୧ଟି ଦାବି ପୂରଣ ପାଇଁ କେନ୍ଦ୍ର ସରକାର ଲିଖୁତ ପ୍ରତିଶ୍ରୁତି ଦେଇଥିଲେ ବି ତାହାକୁ ଏପର୍ଯ୍ୟନ୍ତ ପୂରଣ କରିନାହାନ୍ତି । ଅନ୍ୟପକ୍ଷରେ ମନରେଗା ଆଇନକୁ ବାତିଲ କରି ଭି.ବି. ଗ୍ରାମଜୀ. ଆଇନ ପାସ୍ କରି ରାଜ୍ୟ ସରକାରମାନଙ୍କ ଉପରେ ଆର୍ଥୀକ ବୋଝ ଲଦିଛନ୍ତି । ଫଳରେ ଗ୍ରାମ୍ୟ ଶ୍ରମିକମାନେ ନିଶ୍ଚିତ କାମ ପାଇବାର ଗ୍ୟାରେଣ୍ଟି ନାହିଁ ।

ଏଥିସହ କେନ୍ଦ୍ର ସରକାର ଜାତୀୟ ମୁଦ୍ରାକରଣ ଯୋଜନା-୨ ଜରିଆରେ ଦେଶର ଜଙ୍ଗଲ, ଜମି, ଆକାଶ, ଜଳ, ଖଣି ଆଦି ସମସ୍ତ ପ୍ରାକୃତିକ ସମ୍ପଦକୁ ଦୀର୍ଘକାଳୀନ ଲିଜ ଭିଭିରେ ଦେଶୀ ବିଦେଶୀ କର୍ପୋରେଟ୍ ସଂସ୍ଥାକୁ ଦେଇ ତା’ର ଘରୋଇକରଣ କରୁଛନ୍ତି । ସରକାରୀ ବିଭାଗ ଓ କାର୍ଯ୍ୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରତ୍ୟକ୍ଷ/ପରୋକ୍ଷ ଘରୋଇକରଣ ହେଉଛି କିନ୍ତୁ ଲକ୍ଷ ଲକ୍ଷ ଖାଲିସ୍ଥାନ ପୂରଣ ହେଉନାହିଁ। ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଫଳରେ ଦରଦାମ ଆକାଶଛୁଆଁ। କେନ୍ଦ୍ର ସରକାର ଆମେରିକା ଓ ୟୁରୋପୀୟ ୟୁନିଅନ ଚାପରେ ଜନବିରୋଧୀ ବାଣିଜ୍ୟ ନୀତି ଗ୍ରହଣ କରିଛନ୍ତି। ବାଣିଜ୍ୟ ନୀତିକୁ ମୋଦି ସରକାର ଆମେରିକା ନିକଟରେ ବନ୍ଧା ପକାଇ ଦେଇଛନ୍ତି । ଫଳରେ ଆମର ଚାଷୀକୂଳ ହତାଶ ହେବା ସହ ଶିକ୍ଷା କ୍ଷେତ୍ରରେ ଅରାଜକତା ଦେଖା ଦେଇ ଠିକ୍ ଭାବେ ପରୀକ୍ଷା ମଧ୍ଯ ପରିଚାଳିତ ହୋଇପାରୁନାହିଁ ।
ନିକଟରେ ହୋଇଥିବା ଛାତ୍ର ଆନ୍ଦୋଳନ ଏକ ନଜିର ସୃଷ୍ଟି କରିଛି। ସ୍ଵାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଚରମ ଅବହେଳିତ। ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଛି । ନାରୀମାନେ ସମ୍ପୂର୍ଣ ଅସୁରକ୍ଷିତ। ସରକାର ଅତ୍ୟନ୍ତ ଏକଛତ୍ରବାଦୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୫ ପରଠାରୁ ଶ୍ରମ ଦସ୍ତର ପକ୍ଷରୁ ତ୍ରିପାକ୍ଷିକ ଭାରତୀୟ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇନାହିଁ। ସଂଯୁକ୍ତ କିଷାନ ମୋର୍ଚ୍ଚା ସହ କୃଷକମାନଙ୍କ ସମସ୍ୟା ଉପରେ ଆଲୋଚନା ହେଉନାହିଁ । ବରଂ ଶ୍ରମିକ, କୃଷକ, କ୍ଷେତମଜଦୂର, ମହିଳା, ଯୁବ ଓ ଛାତ୍ର ଆନ୍ଦୋଳନକୁ ଜାତି, ଧର୍ମ, ବର୍ଣ୍ଣ ନାମରେ ଭାଗ ଭାଗ କରିବା ପାଇଁ ସାମ୍ପ୍ରଦାୟୀକରଣ କାର୍ଯ୍ୟରେ ସରକାର ଲିପ୍ତ । କିନ୍ତୁ ଶ୍ରମିକ ଓ କୃଷକମାନେ ଏହାର ଦୃଢ ବିରୁଦ୍ଧ କରୁଛନ୍ତି । ଠିକା, କାଜୁଆଲ ଓ ଅସଙ୍ଗଠିତ ଶ୍ରମିକମାନେ ଉତ୍ତର ଭାରତରେ ବ୍ୟାପକ ଆନ୍ଦୋଳନ କରିଛନ୍ତି। କୃଷକମାନେ ମଧ୍ୟ ଲଢାଇ ଜାରି ରଖୁଛନ୍ତି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ, କ୍ଷେତ୍ରୀୟ ଫେଡ଼େରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜୁଲାଇ ୨୯ତାରିଖରେ ନୂଆଦିଲ୍ଲୀସ୍ଥ ତଲକଟୋରା ଷ୍ଟାଡ଼ିଅମରେ ଦ୍ଵିତୀୟ ଜାତୀୟ କନ୍ଭେନ୍ସନ୍ ଅନୁଷ୍ଠିତ ହୋଇ ବିଭିନ୍ନ ୨୦ଟି ଦାବି ଉପରେ ଏକ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏ ସମ୍ପର୍କରେ ରାଜ୍ୟସ୍ତରରେ ଉପରୋକ୍ତ ସଙ୍ଗଠନମାନଙ୍କ ସହ ସଂଶ୍ଳିଷ୍ଟ ରାଜ୍ୟ ସଙ୍ଗନମାନଙ୍କ ପକ୍ଷରୁ ଚଳିତମାସ ୩ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇ ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଲୋଚନା ହୋଇଥିଲା। ଜାତୀୟସ୍ତରର ୨୦ଟି ଦାବି ସହ ଓଡ଼ିଶାରେ ଘଟି ଯାଇଥିବା ବନ୍ୟା ଓ ତଦ୍ଜନିତ ଜନଗଣ ସମ୍ମୁଖୀନ ହୋଇଥିବା ସମସ୍ୟାର ସମାଧାନ ପାଇଁ ମଧ୍ୟ ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।
ସିଟୁ ଜିଲ୍ଲା ସଭାପତି ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ଵରେ ବିଭିନ୍ନ ଶ୍ରମିକ ସଙ୍ଗଠନର ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଓ କୃଷକ କାଳୀପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ସିଟୁ ଜିଲ୍ଲା ଉପସଭାପତି ଧରଣୀଧର ମହାନ୍ତ ଓ ଯଶୋଦା ପାତ୍ର, ସାଧାରଣ ସମ୍ପାଦକ କିଶୋର କୁମାର ମହାକୁଡ, କୋଷାଧ୍ୟକ୍ଷ ତୃପ୍ତିରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ ।
