ରାଜ୍ୟସ୍ତରୀୟ ସମାରୋହରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ଜିଲ୍ଲାୱାରୀ କାର୍ଯ୍ୟକ୍ରମ ଓ ଦାୟିତ୍ୱ ବଣ୍ଟନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ମନ୍ତ୍ରୀମାନେ ଯୋଗଦେଇ ପତାକା ଉତ୍ତୋଳନ କରିବେ। କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ ।

      ସେହିପରି କଟକରେ ସୁରେଶ ପୂଜାରୀ, ଅନୁଗୁଳରେ ରବି ନାରାୟଣ ନାଏକ, ମାଲକାନଗିରିରେ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁରରେ କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମରେ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାୟଗଡ଼ାରେ ମୁକେଶ ମହାଲିଙ୍ଗ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ଏହାସହ କନ୍ଧମାଳରେ ବିଭୂତି ଜେନା, ଖୋର୍ଦ୍ଧାରେ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀରେ ଗଣେଶରାମ ସିଂ ଖୁଣ୍ଟିଆ ଏବଂ ବଲାଙ୍ଗୀରରେ ସୂର୍ଯ୍ୟବଂଶୀ ସୂରଜ ପତାକା ଉତ୍ତୋଳନ କରିବେ।

      ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ଜିଲ୍ଲାରେ ପରେଡ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦେଶପ୍ରେମର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ସୁରକ୍ଷା ବ୍ୟବସ୍ଥା ସହ ସମାରୋହ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଉଛି ।

Leave a Reply

Your email address will not be published. Required fields are marked *