ରାଷ୍ଟ୍ରପତିଙ୍କ ଗସ୍ତ: ସୁରକ୍ଷା କଡାକଡି

୧୦ ଏସପିଙ୍କ ସମେତ ୨ ଶହ ଅଧିକାରୀ ମୃତୟନ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣୁ  ସମଗ୍ର ରାଉରକେଲା ସହର ପୁଲିସ ଛାଉଣୀରେ ପରିଣତ ହୋଇଯାଇଛି । ୧୦ ଜଣ ଏସ୍‌ପି ଓ ୨୦୦ ପୁଲିସ ଅଧୀକାରୀଙ୍କ ସମେତ ୨ ହଜାରରୁ ଉର୍ଦ୍ଧ୍ଵ ପୁଲିସ କର୍ମଚାରୀ ମୁତୟନ ହେବେ। ସେକ୍ଟର-୧୩ ମେଲଣ ପଡ଼ିଆରେ ଜର୍ମାନୀ ହ୍ୟାଙ୍ଗର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

     ରାଷ୍ଟ୍ରପତି ୨୧ ତାରିଖ ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି ଝାରସୁଗୁଡ଼ାରେ ପହଞ୍ଚିବେ। ସେଠାରୁ ହେଲିକେପ୍ଟର ଯୋଗେ ରାଉରକେଲା ଆସିବେ । ଗସ୍ତ ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରାୟ ୨ ହଜାର ପୁଲିସ ମୁତୟନ କରାଯାଉଛି । ରାଜ୍ୟର ବିଭିନ୍ନ ଜିଲାରୁ ପୁଲିସ ବାହିନୀ ଓ ଅଧୀକାରୀ ରାଉରକେଲାରେ ପହଞ୍ଚିଛନ୍ତି ।

     ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ସହିତ ରିଜର୍ଭ ପୁଲିସ ବାରାକ, ସେକ୍ଟର-୨୧ ସ୍ଥିତ ଚତୁର୍ଥ ଓଏସ୍ଏପି ବାଟାଲିୟନ ସମେତ ବିଭିନ୍ନ ସରକାରୀ କୋଠା ଖାଲିନାହିଁ । ୧୦ ଜଣ ଏସ୍‌ପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କୁ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ୨୦୦ ଏଏସ୍‌ଆଇ, ଏସ୍‌ଆଇ, ଇନ୍ସପେକ୍ଟର, ଡିଏସପି ଓ ଅତିରିକ୍ତ ପୁଲିସ ଅଧୀକ୍ଷକ ମୁତୟନ ହେବେ । ରବିବାର ଠାରୁ ସୁରକ୍ଷା ସମ୍ପର୍କିତ ମକଡ୍ରିଲ ଆରମ୍ଭ ହୋଇଛି । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର
ରାୟ ଓ ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ ପ୍ରମୁଖ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ସମୀକ୍ଷା କରୁଛନ୍ତି।

       ସବୁଠାରୁ ବଡ଼ କଥା, ରାଷ୍ଟ୍ରପତିଙ୍କ ୫ ଘଣ୍ଟିଆ ଗସ୍ତ ପରିପ୍ରେକ୍ଷୀରେ ଟ୍ରାଫିକ ନିୟନ୍ତ୍ରଣ । କାରଣ ରାଷ୍ଟ୍ରପତି ରାଉରକେଲା ପହଞ୍ଚିଲା ପରେ କୋଏଲନଗର ରିକ୍ରେସନ ପାର୍କ, ଛେଣ୍ଡ କଲୋନୀ ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ ଓ ପାନପୋଷ ହକି ଛକ ପାଖ ରାଉରକେଲା- One ଓ ଆଦିବାସୀ ସଂଗ୍ରାହଳୟ ଉଦ୍‌ଘାଟନ କରିବେ । ରାଷ୍ଟ୍ରପତି ଏସବୁ ଜାଗାକୁ କାର ଯୋଗେ ଯିବେ । ରାଷ୍ଟ୍ରପତିଙ୍କ କାରକ୍ୟାଡ ବେଳେ ସାଧାରଣ ଲୋକଙ୍କ ଯାତାୟତ ଯେପରି ପ୍ରଭାବିତ ନହେବ ସେଥିପାଇଁ ପୁଲିସ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଗୁରୁତ୍ଵ ଦେଉଛି।

      ମୁଖ୍ୟ କାର୍ଯ୍ୟକ୍ରମସ୍ଥଳୀ ସେକ୍ଟର-୧୩ ପଡ଼ିଆରେ ମଞ୍ଚ ଓ ଜର୍ମାନ ହ୍ୟାଙ୍ଗର ନିର୍ମାଣ ଜୋରଦାର ଚାଲିଛି। ଏ ବାବଦରେ କୋଟିଏରୁ ଅଧିକ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୧୦ ହଜାର ଲୋକ ବସିବା ପାଇଁ ବିରାଟ ଛାଉଣୀ ନିର୍ମାଣ ଚାଲିଛି। ତେବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଗ୍ରୀଷ୍ମ ପ୍ରବାହ। ସ୍କୁଲ ଛାତ୍ରଛାତ୍ରୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆସୁଥିବା କଳାକାରଙ୍କ ପ୍ରତି ଯେପରି ଅଂଶୁଘାତ ବିପଦ ନ ରହେ ସେ ଦିଗରେ ପ୍ରଶାସନ କାମ କରୁଛି । ଏସି, କୁଲର, ପର୍ଯ୍ୟାପ୍ତ ଓଆର୍‌ଏସ୍, ଥଣ୍ଡା ପାନୀୟଜଳ, ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ।

Leave a Reply

Your email address will not be published. Required fields are marked *