ପ୍ରଦର୍ଶିତ ହେବ ଲୋକନୃତ୍ୟ: ୧୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ କରିବେ ସ୍ଵାଗତ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ପ୍ରଥମଥର ପାଇଁ ରାଉରକେଲା ଆସୁଛନ୍ତି। ଦେଶର ପ୍ରଥମ ନାଗରିକଙ୍କ ଏହି ଗସ୍ତ କେବଳ ରାଉରକେଲା ନୁହେଁ, ଆଦିବାସୀବହୁଳ ସମଗ୍ର ସୁନ୍ଦରଗଡ଼ ଜିଲାରେ ନାହିଁନଥିବା ଉତ୍ସାହ ଦେଖାଦେଉଛି।
ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଚାଲିଛି । ୧୦ ହଜାର ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ । ସେମାନଙ୍କ ମଧ୍ୟରୁ ଜିଲ୍ଲାର ୬୦ଟି ବିଦ୍ୟାଳୟର ୩ ହଜାର ଛାତ୍ରଛାତ୍ରୀ ସମ୍ବଲପୁରୀ, ଗର୍ବା, ଓଡ଼ିଶୀ ଓ ସାନ୍ତାଳୀ ଭଳି ଲୋକନୃତ୍ୟ ମାଧ୍ୟମରେ ମହାମହିମଙ୍କୁ ସ୍ଵାଗତ କରିବେ । ଏଥିପାଇଁ ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ଵେ ଛାତ୍ରଛାତ୍ରୀ ନୃତ୍ୟାଭ୍ୟାସ ଜାରି ରଖିଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୦ ହଜାର ଛାତ୍ରଛାତ୍ରୀଙ୍କ ସମାଗମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଆକର୍ଷଣୀୟ କରିବ ବୋଲି ଜିଲାପାଳ ଡା. ଶୁଭଙ୍କର ମହାପାତ୍ର ଆଶା କରିଛନ୍ତି।
୨ ଦିନ ତଳେ ଅତିରିକ୍ତ ପୁଲିସ ମହାନିର୍ଦେଶକ ସଞ୍ଜୀବ ପଣ୍ଡା ରାଉରକେଲାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ସମ୍ପ୍ରତି ବନ୍ଦ ଥିବାବେଳେ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ଘରୁ ଡକା ଯାଇଥିବାରୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ଗୋଟିଏ ପକ୍ଷରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ପିଲାମାନଙ୍କ ଉପସ୍ଥିତି ନେଇ ଅଭିଭାବକଙ୍କ ମନରେ ଉତ୍ସାହ ଭରିଛି। ଅପରପକ୍ଷରେ ବଢୁଥିବା ତାପମାତ୍ରା ସେମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।
ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ ଅଞ୍ଚଳର ପ୍ରାୟ ୬ ହଜାର ଓ ବିଶ୍ରା ବ୍ଲକର ୧ ହଜାର ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ । ମେଲଣ ପଡ଼ିଆରେ ବିଭିନ୍ନ ନୃତ୍ୟଗୀତ ଅଭ୍ୟାସ କରୁଛନ୍ତି। ୪ଜଣ ନୃତ୍ୟ ନିର୍ଦ୍ଦେଶକ ସେମାନଙ୍କୁ ଅଭ୍ୟାସ କରାଉଛନ୍ତି । ରାଉରକେଲା ତାପମାତ୍ରା ୪୧ ଡିଗ୍ରି ଟପିଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି ।

ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଡ. ମୁରଲୀଧର ବେହେରା କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରାଉରକେଲାର ୧୦ କି.ମି ଅଞ୍ଚଳର ଶିକ୍ଷାର୍ଥୀ ସାମିଲ ହେବେ । ସେମାନଙ୍କୁ ଠିକ ଭାବରେ ନେବା ଆଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଅତ୍ୟାଧୁନିକ ଜର୍ମାନ ତମ୍ବୁ ଛାଇରେ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାରେ କୌଣସି ଅସୁବିଧା ହେବ ନାହିଁ । ଛାତ୍ରଛାତ୍ରୀଙ୍କୁ ଆଣିବା ଓ ସେମାନଙ୍କ ପାଇଁ ଉପଲବ୍ଧ କରାଯାଉଥିବା ବ୍ୟବସ୍ଥା ତଦାରଖ କରୁଛନ୍ତି ସ୍ଵତନ୍ତ୍ର ଟିମ୍ । ସମ୍ପୃକ୍ତ ବ୍ଲକର ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ସିଆରସିସି, ପ୍ରଧାନଶିକ୍ଷକ, କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଏହି ବ୍ୟବସ୍ଥାର ତଦାରଖ କରୁଛନ୍ତି।
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟ ମହିଳା ଓ ଶିଶୁ ଆୟୋଗ ସଦସ୍ୟା କଳ୍ପନା ଲେଙ୍କା କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଗସ୍ତ ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ସାମିଲ ହେବେ। ସେମାନଙ୍କ ଉପସ୍ଥିତିକୁ ସୁପରିଚାଳନା କରିବା ପାଇଁ ସବୁ ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି। ଜିଲାପାଳଙ୍କ ସହିତ ଏ ସମ୍ପର୍କରେ ନିୟମିତ ସମୀକ୍ଷା କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ କହିଛନ୍ତି। ପିଲାମାନଙ୍କ ବସିବା ଜାଗା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରହଣୀସ୍ଥଳ ଓ ଖାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅନୁଧ୍ୟାନ ମଧ୍ୟ ସୁଚାରୁ ରୂପେ କରାଯାଉଛି ବୋଲି ସଦସ୍ୟା ଶ୍ରୀମତୀ ଲେଙ୍କା ଅଭିଭାବକମାନଙ୍କୁ ଆଶ୍ୱସ୍ତ କରିଛନ୍ତି ।
