କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅପରାହ୍ନରେ ବହୁଛି ଝାଞ୍ଜି ପବନ। ଏଥିରୁ ବାଦ ପଡିନି କେନ୍ଦୁଝର ଜିଲା । ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲା ଏକଦା ଗ୍ରୀଷ୍ମଋତୁରେ ଲୋକଙ୍କ ପ୍ରଥମ ପସନ୍ଦ ସ୍ଥାନ ଭାବେ ପରିଚିତ ଥିଲା । ତେବେ ମାତ୍ରାଧିକ ଖଣିଖନନ ସାଙ୍ଗକୁ ଭିତ୍ତିଭୂମି ବିକାଶ ନାମରେ ବ୍ୟାପକ ଜଙ୍ଗଲ ଧ୍ବଂସ ଯୋଗୁଁ ଏବେ ଏଠାରେ ଅପରାହ୍ନରେ ଅନୁଭୂତ ହେଉଛି ମଧ୍ୟାହ୍ନ ତାତି।
ଅସହ୍ୟ ତାତିରେ ଉବୁଟୁବୁ ହେଉଛି ସମଗ୍ର କେନ୍ଦୁଝର ଜିଲ୍ଲା। ପ୍ରବଳ ଗରମରେ ଜନସାଧାରଣ ଡହଳବିକଳ ହେଉଛନ୍ତି । ରାସ୍ତାଘାଟ ଶୂନଶାନ ହୋଇଯାଇ ଅଘୋଷିତ କଫ୍ୟୁ ଭଳି ମନେ ହେଉଛି। କୌଣସି ଜରୁରୀ କାମ ନପଡିଲେ ଲୋକେ ଘରୁ ବାହାରୁ ନାହାନ୍ତି । ରାସ୍ତା କଡ଼ରେ ଥିବା ବିଭିନ୍ନ ଜଳଛତ୍ର, ଲସି, ପଇଡ଼ ଓ ଆହୁରି ଅନେକ ମୃଦୁ ପାନୀୟ ଦୋକାନ ଲୋକଙ୍କ ତୃଷ୍ଣା ନିବାରଣରେ କିଛି ମାତ୍ରାରେ ସହାୟକ ହୋଇପାରିଛି।

ଘରୁ ବାହାରକୁ ବାହାରିଲେ ବହୁବ୍ୟକ୍ତି ମୁଣ୍ଡରେ ଧଳା କପଡ଼ା, ଟୋପି, ଆଖିରେ କଳା ଚଷମା ଦେଇ ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବା ଦେଖାଯାଉଛି । ଖରା ଯେତିକି ବଢୁଛି ଆଖୁପଣା, ତରଭୁଜ ଆଉ ତାଳ ସଜର ଚହିଦା ମଧ୍ୟ ସେତିକି ମାତ୍ରାରେ ବୃଦ୍ଧି ପାଉଛି। ଅନୁରୂପ ଭାବରେ ଦହି ଲସି ଓ ମୃଦୁପାନୀୟ ବିକ୍ରି ମଧ୍ୟ ବଢ଼ୁଥିବା ପରିଲକ୍ଷିତ ହୋଇଛି। ତରଭୁଜ କିଲୋ ପ୍ରତି ୨୦ ଟଙ୍କାରୁ ୩୦ ଟଙ୍କା ଥିବାବେଳେ ଲସି ଗ୍ଲାସ ପ୍ରତି ୬୦ରୁ ୧୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ।
ଏବେ ସହରାଞ୍ଚଳର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି । ବଜାରରେ କୁଲର ଓ ଏସି ଚାହିଦା ବୃଦ୍ଧି ପାଇଛି। ଅତି କମରେ କୁଲର ଦାମ୍ ୫ ହଜାର ଟଙ୍କାରୁ ଆରମ୍ଭ କରି ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଫ୍ରିଜ ଚାହିଦା ମଧ୍ୟ ବଢ଼ିଛି। ଗରିବଶ୍ରେଣୀ ଲୋକଙ୍କ ପାଇଁ ଏସବୁ କିଣିବା ସମ୍ଭବପର ହେଉ ନଥିବାରୁ ଏମାନେ ମାଠିଆ ଓ ସୁରେଇ ପାଣି ପିଇବାକୁ ଅଧିକ ପସନ୍ଦ କରୁଛନ୍ତି । ସକାଳ ୯ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଗୁଳଗୁଳି ଓ ଖରା ଲାଗି ରହୁଛି। ଫଳରେ ଛୋଟ ଛୋଟ ଶିଶୁ ଓ ବୃଦ୍ଧ ବୃଦ୍ଧା ଗରମରେ ଛଟପଟ ହେଉଛନ୍ତି।
ଅନେକ ସମୟରେ କୁଲର କାମ କରୁନାହିଁ। କୁଲରରୁ ଗରମ ପବନ ବାହାରୁଛି । ଅପରପକ୍ଷରେ ପ୍ରବଳ ଗରମ ଯୋଗୁଁ ଭୂତଳ ଜଳସ୍ତର କମିବାରୁ ବିଭିନ୍ନ ଗ୍ରାମାଞ୍ଚଳରେ ଉତ୍କଟ ଜଳାଭାବ ଦେଖାଗଲାଣି । ପାନୀୟଜଳ ସମସ୍ୟା ଯୋଗୁଁ ଅନେକ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି। ଜଳସଂଗ୍ରହ କରିବା ଲାଗି ଲୋକମାନଙ୍କୁ ବହୁଦୂର ଯିବାକୁ ପଡୁଛି । ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅଘୋଷିତ ବିଦ୍ୟୁତକାଟ୍ ସାଧାରଣ ଜନତାଙ୍କ କଷ୍ଟକୁ ଦ୍ଵିଗୁଣିତ କରିଛି ।
