ସୁଦାମଙ୍କୁ ଡାକ୍ତରୀ ପଢିବା ପାଇଁ ୨.୫ ଲକ୍ଷ ଟଙ୍କା ସହାୟତା

ପ୍ରତିମାସ ହଷ୍ଟେଲ ଖର୍ଚ୍ଚ ପାଇଁ ମିଳିବ ୫ ହଜାର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଅର୍ଥାଭାବ ସୁଦାମଙ୍କ ଡାକ୍ତରୀ ପାଠ ପଢ଼ିବାରେ ଆଉ ବାଧକ ହେବନାହିଁ। ଶୁକ୍ରବାର ଭୁବନେଶ୍ୱରରେ ସେ ଡାକ୍ତରୀ ପାଠ ପାଇଁ ନାମ ଲେଖାଇବେ। ନାମଲେଖା ପୂର୍ବରୁ ଯୁବ ବିଜେପି ନେତା ତଥା ଆଦର୍ଶ ସେବା ସଂଘ ସଭାପତି ଯଜ୍ଞପ୍ରସାଦ ସାହୁଙ୍କ ନେତୃତ୍ୱରେ ସୁଦାମଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଆର୍ଥୀକ ସହାୟତା ଯୋଗାଇ ଦିଆଯାଇଛି। ଏଥିସହ ପ୍ରତିମାସ ହଷ୍ଟେଲ ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସୁଦାମ ସୂଚନା ଦେଇଛନ୍ତି।

     କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଶାମୁକାନେଣ୍ଡି ପଞ୍ଚାୟତର ସୁଦାମ ହାଁସଦା ଚଳିତ ନିଟ୍‌ ପରୀକ୍ଷାରେ ଓଡ଼ିଶାର ଅଧିବାସୀ ବର୍ଗରେ ୧୨୬ ନମ୍ବର ସ୍ଥାନ ହାସଲ କରିଥିଲେ। ମେଧାବୀ ସୁଦାମ ଡାକ୍ତରୀ ପାଠ ପଢ଼ିବାକୁ ସୁଯୋଗ ପାଇଥିଲେ ମଧ୍ୟ ଅର୍ଥାଭାବ ତାଙ୍କ ପାଇଁ ବଡ଼ ପ୍ରତିବନ୍ଧକ ସାଜିଥିଲା। ସୁଦାମଙ୍କ ବାପା ସୋମନାଥ ହାଁସଦା କିଡନୀ ସମସ୍ୟାରେ ପୀଡ଼ିତ ଥିବାବେଳେ ମାଆ ମଜୁରୀ ଲାଗି ପରିବାର ଚଳାନ୍ତି। ପରିବାରରେ ୫ ଝିଅ ଓ ଏକମାତ୍ର ପୁଅ ସୁଦାମ। ଏଭଳି ଆର୍ଥିକସ୍ଥିତିରେ ଡାକ୍ତରୀ ପାଠର ନାମଲେଖା ଓ ପରବର୍ତ୍ତୀ ପଢ଼ା ଖର୍ଚ୍ଚ ବହନ କରିବା ପରିବାର ପକ୍ଷରେ ପ୍ରାୟ ଅସମ୍ଭବ ହୋଇପଡ଼ିଥିଲା।

       ଏ ସମ୍ପର୍କରେ ଜାଣିବା ପରେ ଗତ ୨୧ ତାରିଖରେ ଯଜ୍ଞ ପ୍ରସାଦ ସାହୁ ସୁଦାମଙ୍କ ପରିବାରକୁ ଭେଟିଥିଲେ। ମାତ୍ର ୭ ଦିନ ମଧ୍ୟରେ ଡାକ୍ତରୀ ନାମଲେଖା ସହ ସମ୍ପୂର୍ଣ୍ଣ ପଢ଼ା ଖର୍ଚ୍ଚର ବ୍ୟବସ୍ଥା କରିବେ ବୋଲି ସେ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟ ମଧ୍ୟରେ ତାଙ୍କ ନେତୃତ୍ୱରେ ସୁଦାମଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ମିଳିଛି। ସୁଦାମଙ୍କ କହିବା ଅନୁଯାୟୀ, ଯଜ୍ଞ ପ୍ରସାଦଙ୍କ ସହଯୋଗରେ ୪ଦିନ ତଳେ ସେ ଭୁବନେଶ୍ୱର ଯାଇଥିଲେ। ସେଠାରେ ବିଭିନ୍ନ ବ୍ୟକ୍ତି ତାଙ୍କୁ ଭେଟି ସହଯୋଗର ହାତ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଯଜ୍ଞ ପ୍ରସାଦଙ୍କ ପରାମର୍ଶକ୍ରମେ ବିଭିନ୍ନବର୍ଗର ଲୋକେ ସୁଦାମଙ୍କୁ ସହଯୋଗ କରିଛନ୍ତି। ଏପରିକି ଆଜି ମଧ୍ୟ ସୁଦାମଙ୍କ ଆକାଉଣ୍ଟକୁ ୬୨ ହଜାର ଟଙ୍କା ପଠାଯାଇଥିବା ଯଜ୍ଞ ପ୍ରସାଦ ସୂଚନା ଦେଇଛନ୍ତି। ସୁଦାମ ଭଲ ପାଠ ପଢ଼ୁ। ଡାକ୍ତର ହେଉ। ଆମ ଅଞ୍ଚଳର ଲୋକମାନେ ତାଙ୍କ ଠାରୁ ସେବା ପାଆନ୍ତୁ ଏହା ହିଁ ତାଙ୍କର ଲକ୍ଷ୍ୟ ବୋଲି ଯଜ୍ଞ ପ୍ରସାଦ କହିଛନ୍ତି।

      ନାମଲେଖା ସମ୍ପର୍କରେ ଆଜି ସୁଦାମଙ୍କ ଘରେ ଯଜ୍ଞ ପ୍ରସାଦ ଆଲୋଚନା କରିଥିଲେ। ଏହି ଅବସରରେ ଯୁବ ସମାଜସେବୀ ଦୈତାରୀ ମହାକୁଡ଼, ଛାତ୍ର ନେତା ପ୍ରସନ୍ନଜିତ ସାହୁ, ରୂପ ରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଅର୍ଥାଭାବରୁ ଯେଉଁ ମେଧାବୀ ଛାତ୍ରଙ୍କ ଡାକ୍ତର ହେବାର ସ୍ୱପ୍ନ ଅଧୁରା ରହିଯିବାର ଆଶଙ୍କା ଥିଲା, ଏବେ ସେହି ସ୍ୱପ୍ନ ପୂରଣ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି ସୁଦାମ। ନିଜ ମେଧା ଓ ପରିଶ୍ରମ ବଳରେ ଭବିଷ୍ୟତରେ ଡାକ୍ତର ହୋଇ ଅଞ୍ଚଳବାସୀଙ୍କ ସେବା କରିବାକୁ ସୁଦାମଙ୍କ ଆଗରେ ଏବେ ରହିଛି ଏକ ନୂଆ ଲକ୍ଷ୍ୟ।

Leave a Reply

Your email address will not be published. Required fields are marked *