ଜନ୍ମବେଦୀରୁ ସିଂହଦ୍ଵାରକୁ ବାହୁଡିଲେ ତିନିଠାକୁର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ଭଉଣୀ ସୁଭଦ୍ରା ଓ ସାନଭାଇ ଶ୍ରୀ ଜଗନ୍ନାଥଙ୍କୁ ସଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶୁକ୍ରବାର ସନ୍ଧ୍ୟାରେ ବଳଦେବଜୀଉ ମନ୍ଦିର ସିଂହଦ୍ଵାରକୁ ବାହୁଡିଛନ୍ତି । ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ଅପରାହ୍ନ ପ୍ରାୟ ୨ଟାରେ ଧାଡିପହଣ୍ଡିରେ ଆସି ୩ଟାରେ ରଥାରୁଢ ହୋଇଥିଲେ ।

   ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜ୍ଞାନୋଦୟମଣ୍ଡଳ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ତାଳଧ୍ଵଜ’କୁ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳାଇ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ରଥ ସମ୍ମୁଖରେ ଉନ୍ମୋଚନ କରିଥିଲେ । ରାଜ ପୁରୋହିତ, ବଡପଣ୍ଡା ଓ ବ୍ରହ୍ମାଙ୍କ ଉପସ୍ଥିତିରେ କେନ୍ଦୁଝରର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ରଥ ଉପରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନ ୪ଟାରେ ରାସମନ୍ଦିର ଘଣ୍ଟୁଆଙ୍କ ଘଣ୍ଟବାଦ୍ୟ, ଶଙ୍ଖ, ହୁଳହୁଳି ଓ ହରିବୋଲି ସହ ଜୟ ଜଗନ୍ନାଥ ଧ୍ୱନିରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୬ଟାରେ ସିଂହଦ୍ଵାର ସମ୍ମୁଖରେ ବିଶ୍ଵର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ ପହଞ୍ଚିଥିଲା ।
          ଦେବୋତ୍ତର ଅଧିକାରୀ ତଥା କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ଅନୁକୁଳ ପାଗ ଯୋଗୁଁ ନିଦ୍ଧାରିତ ସମୟରେ ଭକ୍ତ ବଡଦାଣ୍ଡରେ ରୁଣ୍ଡ ହୋଇ ତିନି ଠାକୁର ବିଜେ ବିଶ୍ଵର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ କୁ ଆନନ୍ଦର ସହ ଟାଣି ଟାଣି ବଳଦେବଜୀଉ ମନ୍ଦିର ସମ୍ମୁଖ ସିଂହଦ୍ଵାରରେ ପହଞ୍ଚାଇଥିଲେ । ଜିଲାପାଳ ବିଶାଲ ସିଂହ ଓ ଏସ୍.ପି.ନିତିନ କୁଶଲକର ଭକ୍ତଙ୍କ ଗହଣରେ ଉପସ୍ଥିତ ରହି ସିଂହଦ୍ଵାର ପର୍ଯ୍ୟନ୍ତ ରଥଟଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

       ଭକ୍ତଙ୍କ ଭିଡକୁ ଆଖିଆଗରେ ରଖି ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ, ସଦର ଏସ୍‌ଡିପିଓ ଓ ଟାଉନ ଥାନା ଅଧିକାରୀଙ୍କ ସମେତ ୭ଜଣ ଡିଏସ୍‌ପି, ୧୩ଜଣ ଇନ୍ସପେକ୍ଟର, ସବ୍‌ଇନ୍ସପେକ୍ଟର ଓ ଏଏସ୍‌ଇଙ୍କୁ ମିଶାଇ୪୫ଜଣ ସମେତ ୨୭ପ୍ଲାଟୁନ ଫୋର୍ସ ମୁତୟନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଇଲେଭେନ ବୁଲେଟ କ୍ଲବ ପକ୍ଷରୁ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କୁ ମାଗଣାରେ ଅନୁପ୍ରସାଦ ବଣ୍ଟନ କରାଯାଇଥିଲା । ଜିଲା ଯୁବ ରେଡକ୍ରସ୍ ବାହୀନି ପକ୍ଷରୁ ଭକ୍ତଙ୍କୁ ସହାୟତା ଓ ସୁରକ୍ଷା ପ୍ରଦାନ କରାଯାଇଥିଲା ।

       ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଓ ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ସଂଯୋଜନାରେ କବି ଦେବାଶିଷ ଚକ୍ରବର୍ତ୍ତୀ, ଅଧ୍ୟାପକ ସୁଧା ଦାଶ, ଅକ୍ଷୟ କୁମାର ଚକ୍ର, ପଣ୍ଡିତ ମଧୁସୂଦନ ମିଶ୍ର, ଇନ୍ଦୁମତୀ ପାତ୍ର, ମନ୍ଦାକିନୀ କର, ବେଣୁଧର ସାହୁ ପ୍ରମୁଖ ଭକ୍ତଙ୍କୁ ଜଗନ୍ନାଥ ତତ୍ତ୍ବ ଓ ସଂସ୍କୃତି ବିଷୟରେ ପବିତ୍ର ବାହୁଡାଯାତ୍ରାର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ଉଦ୍‌ଘୋଷକ ଓ ଉଦ୍‌ଘୋଷିକା ମାନଙ୍କୁ ଜିଲା ପ୍ରଶାସନ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମାନପତ୍ର, ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *