କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାର ବିଶ୍ୱସନୀୟତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଲୋକପ୍ରିୟତା ଅପେକ୍ଷା ସତ୍ୟନିଷ୍ଠ, ନିରପେକ୍ଷତା ଓ ସମାଜ ପ୍ରତି ଦାୟିତ୍ୱବୋଧକୁ ସର୍ବୋପରି ପ୍ରାଧାନ୍ୟ ଦେବା ହିଁ ସାମ୍ବାଦିକତାର ପ୍ରକୃତ ଧର୍ମ ବୋଲି ଜାତୀୟ ପ୍ରେସ୍ ଦିବସ ଅବସରରେ ମତପ୍ରକାଶ ପାଇଛି।

ଦରବାରହଲ୍ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସୋମବାର ଅପରାହ୍ନରେ ପାଳିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ ଦାୟିତ୍ୱବୋଧ’ ଉପରେ ଏହି ଅବସରରେ ଆଲୋଚନା ହୋଇଥିଲା। ପ୍ରେସ୍ କ୍ଲବ କେନ୍ଦୁଝରର ଭାରପ୍ରାପ୍ତ ସଭାପତି ଜୟକୃଷ୍ଣ ପଣ୍ଡା ନିଜ ବକ୍ତବ୍ୟରେ ଏକ ସୁସ୍ଥ ଓ ସଚେତନ ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଜନସାଧାରଣଙ୍କ ନିକଟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସୂଚନା ପହଞ୍ଚାଇବା ସହ ସମାଜର ହିତ ଓ ମଙ୍ଗଳକୁ ପ୍ରାଧାନ୍ୟ ଦେଇ ସାମ୍ବାଦିକମାନେ ସମନ୍ୱିତ ଭାବେ ଅଧିକରୁ ଅଧିକ ଜନକଲ୍ୟାଣମୂଳକ ଓ ସକାରାତ୍ମକ ସମ୍ବାଦ ପରିବେଷଣ କରିବା ଆବଶ୍ୟକ ବୋଲି କହିଥିଲେ। ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ସହ ସାମ୍ବାଦିକତାର ମର୍ଯ୍ୟାଦା, ନିରପେକ୍ଷତା ଓ ଦାୟିତ୍ୱବୋଧ ବଜାୟ ରଖିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜକୁ ସଠିକ୍ ଦିଗଦର୍ଶନ ଦେବାରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ୍ୟନିଷ୍ଠ, ନିରପେକ୍ଷତା ଓ ସକାରାତ୍ମକ ଚିନ୍ତାଧାରାକୁ ଆଧାର କରି ସମାଜର ହିତ ପାଇଁ ନିର୍ଭୀକ ଖବର ପରିବେଷଣ କରିବା ସହ ଜନସାଧାରଣଙ୍କ ବିଶ୍ୱାସ ଅତୁଟ ରଖିବାକୁ ମୁଖ୍ୟଅତିଥି ଶ୍ରୀ ମହାଳିକ ପରାମର୍ଶ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ମହାପାତ୍ର ଏବଂ କେନ୍ଦୁଝରର ସହକାରୀ ବନ ସଂରକ୍ଷକ ଲବ୍ଧି ଜୈନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସାମ୍ବାଦିକମାନଙ୍କ ମଧ୍ୟରେ ସାମ୍ବାଦିକତାର ନୈତିକ ମୂଲ୍ୟବୋଧ, ଗଣମାଧ୍ୟମର ସ୍ୱାଧୀନତା, ସତ୍ୟ ଓ ତଥ୍ୟଭିତ୍ତିକ ଖବର ପରିବେଷଣ ଏବଂ ସମାଜର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ଏକ ମଜଭୁତ ସେତୁ ଭାବେ କାର୍ଯ୍ୟ କରୁଥିବା ଉଲ୍ଲେଖ କରିଥିଲେ। ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସାମ୍ବାଦିକମାନଙ୍କ ଅବଦାନକୁ ଶ୍ରୀ ରାୟ ପ୍ରଶଂସା କରିଥିଲେ। ଏଥିସହ ନିରପେକ୍ଷତା, ସଠିକ୍ ତଥ୍ୟ ଓ ସାମାଜିକ ସମ୍ବେଦନଶୀଳତାକୁ ଆଧାର କରି ଖବର ପରିବେଷଣ କରିବା ସହ ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସମସ୍ୟାକୁ ସମାଜ ସମ୍ମୁଖରେ ଉପସ୍ଥାପନ କରିବା ଦିଗରେ ସାମ୍ବାଦିକମାନେ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବା ଉଚିତ ବୋଲି ସେ ମତ ରଖିଥିଲେ। ଜିଲ୍ଲାସ୍ତରୀୟ ଏହି ସମାରୋହରେ ଜିଲ୍ଲାର ବହୁ ସାମ୍ବାଦିକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତିର୍ମୟୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମାରୋହର ସଫଳ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
