କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟ ସରକାରଙ୍କ ୨ବର୍ଷର ଶାସନକାଳର ସଫଳତାର କାହାଣୀ ବଖାଣିଛନ୍ତି ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶନିବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି କନଫରେନ୍ସ ହଲଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍କୁଲ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।
ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ରାଜ୍ୟରେ ବିଭିନ୍ନ ପ୍ରଗତିଶୀଳ ଯୋଜନାର ସଫଳ ରୂପାୟନ ହୋଇପାରିଛି। ସରକାର ସମାଜର ପ୍ରତିଟି ବର୍ଗଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ‘ସୁଭଦ୍ରା’ ଓ ‘ଲକ୍ଷ୍ୟପତି ଦିଦି’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଯାଉଛି। ସରକାରୀସ୍ତରରେ ମା’ ମାନଙ୍କୁ ସର୍ବାଧିକ ପ୍ରାଧାନ୍ୟ ଓ ସମ୍ମାନ ଦିଆଯାଉଛି।
ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ ଏବଂ ବୈଷୟିକ ଶିକ୍ଷାର ବିକାଶ ପାଇଁ ‘ଉତ୍କର୍ଷ ଆଇଟିଆଇ’ ପ୍ରତିଷ୍ଠା କରାଯାଇଛି। ଏହାସହିତ ବିଦ୍ୟାଳୟ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ କରିବା ଦିଗରେ ବ୍ୟାପକ ସଫଳତା ମିଳିଛି। ଯୁବପୀଢ଼ିଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଖେଳକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି ଏବଂ ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯାଉଛି।
‘ସି.ଏମ.କିଷାନ’ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ସୁନିଶ୍ଚିତ କରାଯାଉଛି।

‘ଆୟୁଷ୍ମାନ ଯୋଜନା’ ଜରିଆରେ ଗରିବ ଓ ମଧ୍ୟବିତ୍ତ ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଉଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହିତ ଜନସାଧାରଣଙ୍କୁ ଏକ ସୁସ୍ଥ ଓ ନିର୍ମଳ ପରିବେଶ ପ୍ରଦାନ କରିବାରେ ସରକାର ସଫଳ ହୋଇଛନ୍ତି। ଜିଲ୍ଲା ତଥା ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଉନ୍ନତି ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ପ୍ରସିଦ୍ଧ ଶକ୍ତିପୀଠ ଘଟଗାଁକୁ ଯେପରି ଅଧିକରୁ ଅଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିପାରିବେ ସେଥିପାଇଁ ବିଶେଷ ଭାବେ ‘ମା’ ତାରିଣୀ ପ୍ରକଳ୍ପ’ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ପୀଠର ସୌନ୍ଦର୍ଯ୍ୟକରଣ ଏବଂ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି।
ସେହିଭଳି ବଡ଼ବିଲ ସହରର ଦୀର୍ଘଦିନର ଟ୍ରାଫିକ୍ ଓ ପ୍ରଦୂଷଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗତ ୧୩ ଅପ୍ରେଲରେ ୧୫୮୧ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ୧୮.୩୨୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ବାଇପାସ୍ ରିଂ-ରୋଡର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଅନ୍ତର୍ଗତ ଭଦ୍ରାସାହିରୁ ସେରେଣ୍ଡା (୩.୭ କିମି), ସେରେଣ୍ଡାରୁ ବଲାଣି (୬.୩ କିମି) ଏବଂ ସେରେଣ୍ଡାରୁ ନଲ୍ଦା (୮.୩ କିମି) ରାସ୍ତା ନିର୍ମାଣ ହେବ। ଏହାଦ୍ୱାରା ଯାତାୟାତ ସମୟ ଅଧା ହେବା ସହ ପ୍ରଦୂଷଣ ଓ ଦୁର୍ଘଟଣା ହ୍ରାସ ପାଇବ ଏବଂ ଅଞ୍ଚଳରେ ଆର୍ଥିକ ସ୍ଥିତି ବୃଦ୍ଧି ପାଇବ।
ଓସିଏସି ମାଧ୍ୟମରେ ୧୮୭ କୋଟି ଟଙ୍କା ବ୍ୟୟରେ କେନ୍ଦୁଝରରେ ଏକ ଡାଟା ସେଣ୍ଟର ନିର୍ମିତ ହେବ। ଏହା ଭୁବନେଶ୍ୱର ରାଜ୍ୟ ଡାଟା ସେଣ୍ଟରର ବ୍ୟାକଅପ୍ ଭାବେ କାର୍ଯ୍ୟ କରିବ। ଏହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସରକାରଙ୍କ ୪୦୦ରୁ ଅଧିକ ଅନଲାଇନ୍ ସେବା ଏବଂ ନାଗରିକଙ୍କ ତଥ୍ୟ ସୁରକ୍ଷିତ ଓ ନିରବଚ୍ଛିନ୍ନ ରହିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅନନ୍ତ ନାଏକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ ଯୋଗ ଦେଇଥିଲେ ।
