ଜାରି ରହିଛି କ୍ୟାମେରା ଟ୍ରାପ୍ ନିରୀକ୍ଷଣ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଡି.ଡି ବିଶ୍ୱବିଦ୍ୟାଳୟ ଦକ୍ଷିଣ କ୍ୟାମ୍ପସରେ ଚିତାବାଘ ଓ ତା’ର ଛୁଆ ଥିବା ନେଇ ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଯାଞ୍ଚ କରାଯାଇଛି। ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ସହ ବନ୍ୟଜନ୍ତୁ ଜୀବବିଜ୍ଞାନୀ କ୍ୟାମ୍ପସ ଅଞ୍ଚଳରେ ତଦନ୍ତ ଓ ସ୍କାନିଂ କରିଥିଲେ। ପ୍ରାଥମିକ ଯାଞ୍ଚ ସମୟରେ ଚିତାବାଘ ଉପସ୍ଥିତିର କୌଣସି ପଦଚିହ୍ନ କିମ୍ବା ଅନ୍ୟ କୌଣସି ନିଶ୍ଚିତ ପ୍ରମାଣ ମିଳିନାହିଁ।
କ୍ୟାମ୍ପସରେ ରହୁଥିବା ବିଶ୍ୱବିଦ୍ୟାଳୟ ଅଧିକାରୀ ମଧ୍ୟ ପ୍ରାଣୀଟିର କିଛି ଭିଜୁଆଲ୍ ବନ ବିଭାଗକୁ ଦେଇଥିଲେ। ତେବେ ଭିଜୁଆଲ୍ଗୁଡ଼ିକ ଯଥେଷ୍ଟ ସ୍ପଷ୍ଟ ନଥିବାରୁ ସେଥିରୁ ଚିତାବାଘର ଉପସ୍ଥିତି କିମ୍ବା ପ୍ରାଣୀଟିର ପରିଚୟ ନିଶ୍ଚିତ କରିବା ସମ୍ଭବ ହୋଇନାହିଁ। ଘଟଣାର ସତ୍ୟତା ଯାଞ୍ଚ ପାଇଁ ବନ ବିଭାଗ ପକ୍ଷରୁ ଚିହ୍ନଟ ସ୍ଥାନ ଗୁଡ଼ିକରେ ୫ଟି କ୍ୟାମେରା ଟ୍ରାପ୍ ସ୍ଥାପନ କରାଯାଇଛି। ଗତ ୩ ଦିନ ଧରି ଏହି କ୍ୟାମେରାଗୁଡ଼ିକ ମାଧ୍ୟମରେ ନିରନ୍ତର ନିରୀକ୍ଷଣ ଚାଲିଛି। ଏପର୍ଯ୍ୟନ୍ତ କୌଣସି କ୍ୟାମେରାରେ ଚିତାବାଘ କିମ୍ବା ତା’ର ଛୁଆର ଫଟୋ କଏଦ ହୋଇନାହିଁ। ତେବେ କ୍ୟାମେରା ଟ୍ରାପ୍ରେ ଅଞ୍ଚଳରେ ଜଙ୍ଗଲୀ ବିଲେଇ (Jungle Cat) ଥିବା ଚିତ୍ର କଏଦ ହୋଇଛି।
ଚିତାବାଘର ଉପସ୍ଥିତି ସମ୍ପର୍କରେ ଅଧିକ ନିଶ୍ଚିତତା ପାଇଁ ବନ ବିଭାଗ ପକ୍ଷରୁ କ୍ୟାମେରା ଟ୍ରାପ୍ ମାଧ୍ୟମରେ ନିରୀକ୍ଷଣ ସହ କ୍ୟାମ୍ପସ ଓ ଏହାର ଆଖପାଖ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଜାରି ରହିଛି ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି କହିଛନ୍ତି। ଚିତାବାଘ ଉପସ୍ଥିତିର କୌଣସି ନିଶ୍ଚିତ ପ୍ରମାଣ ମିଳିଲେ ବନ ବିଭାଗ ପକ୍ଷରୁ ଏନେଇ ଅବଗତ କରାଯିବ ବୋଲି ଡିଏଫଓ ଧନରାଜ କହିଛନ୍ତି ।
