କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବନ୍ୟପ୍ରାଣୀ ସପ୍ତାହ-୨୦୨୬ ପାଳନ ଅବସରରେ କେନ୍ଦୁଝର ବନଖଣ୍ଡ ପକ୍ଷରୁ ଏସୀୟ ହାତୀ ସଂରକ୍ଷଣ ଓ ମଣିଷ-ହାତୀ ସହାବସ୍ଥାନ ସମ୍ପର୍କିତ ସଚେତନତା ଶୋଭାଯାତ୍ରା ହୋଇଯାଇଛି। ଏହି ଅବସରରେ ରବିବାର କାଳୀପଡ଼ିଆରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏସୀୟ ହାତୀ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ସହଯୋଗୀ ଏନ୍ଜିଓ, ବନ ବିଭାଗ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀ ସାମିଲ ହୋଇଥିଲେ।

ଶୋଭାଯାତ୍ରା ମାଧ୍ୟମରେ ମଣିଷ ଓ ହାତୀ ମଧ୍ୟରେ ସୁସମନ୍ୱିତ ସହାବସ୍ଥାନ ଏବଂ ମଣିଷ-ହାତୀ ସଂଘର୍ଷ ହ୍ରାସ ପାଇଁ ସମୁଦାୟର ସଚେତନତା ଓ ପ୍ରସ୍ତୁତିର ଆବଶ୍ୟକତା ଉପରେ ବାର୍ତ୍ତା ଦିଆଯାଇଥିଲା। ବିକାଶମୂଳକ କାର୍ଯ୍ୟକଳାପ ମଧ୍ୟରେ ହାତୀଙ୍କ ଗତିବିଧି, ଆବାସସ୍ଥଳୀ ଓ ମଣିଷ-ହାତୀ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝର ଏକ ଗୁରୁତ୍ୱପୂର୍ଣ୍ଣ ହାତୀ ଆବାସଭୂମି ହୋଇଥିବାରୁ ବିଭିନ୍ନ ଅଞ୍ଚଳରେ ମଣିଷ-ହାତୀ ସମ୍ପର୍କିତ ଘଟଣା ଦେଖାଦେଉଛି। ଏହି ପରିପ୍ରେକ୍ଷୀରେ ବିଶେଷକରି ଛାତ୍ରଛାତ୍ରୀ ଓ ଯୁବପୀଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି।

କାର୍ଯ୍ୟକ୍ରମରେ କେନ୍ଦୁଝର ଡିଏଫ୍ଓ, ସହକାରୀ ବନ ସଂରକ୍ଷକ, ରେଞ୍ଜ ଅଧିକାରୀ ଓ ବନ ବିଭାଗର ସମ୍ମୁଖଭାଗ କର୍ମଚାରୀ ଯୋଗ ଦେଇଥିଲେ। ଜିଆଇଏସ୍ ବିଶେଷଜ୍ଞ ଓ ବନ୍ୟପ୍ରାଣୀ ଜୀବବିଜ୍ଞାନୀ ମଧ୍ୟ ହାତୀଙ୍କ ଗତିବିଧି, ଆବାସ ଓ ମଣିଷ-ହାତୀ ସମ୍ପର୍କ ନେଇ ବୈଜ୍ଞାନିକ ତଥ୍ୟ ଓ କ୍ଷେତ୍ରଭିତ୍ତିକ ସହଯୋଗ ପ୍ରଦାନ କରିଥିଲେ। ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସଚେତନତା, ସମ୍ବେଦନଶୀଳତା ବୃଦ୍ଧି ଓ ବନ୍ୟପ୍ରାଣୀ ସଂରକ୍ଷଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଯୋଗଦେଇ ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ସଂରକ୍ଷଣରେ ସହଯୋଗ କରିବାକୁ କେନ୍ଦୁଝର ବନଖଣ୍ଡ ପକ୍ଷରୁ ଆହ୍ୱାନ କରାଯାଇଛି।
