କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ସ୍ୱତନ୍ତ୍ର ରିଲିଫ କମିଶନର ତଥା ସମବାୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଜନହିତକର ଯୋଜନା ଓ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲଠାରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆୟୋଜିତ ଏକ ବୈଠକରେ ଜିଲ୍ଲାରେ ଚାଲିଥିବା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।
ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟଜଳ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟକୁ ସେ ତଦାରଖ କରିଥିଲେ। ସୂଚନାଯୋଗ୍ୟ ଯେ, ଶ୍ରୀ ପାଟିଲ ଅପ୍ରେଲ ୨୩ ତାରିଖରେ ଆନନ୍ଦପୁର ଉପଖଣ୍ଡ ବୀରଗୋବିନ୍ଦପୁର ଜଳ ବିଶୋଧନାଗାର ଯାଞ୍ଚ ସହିତ ତାଙ୍କର ଗସ୍ତ ଆରମ୍ଭ କରିଥିଲେ। ପରେ ସେ ବକ୍ସିବାରିଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମର୍ଥିତ ଉଦ୍ୟମୀ କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ କରିଥିଲେ।

ସେହିପରି ଦ୍ୱିତୀୟ ଦିନରେ ଶୁକ୍ରବାର କେନ୍ଦୁଝର ସଦର ବ୍ଲକ ଚକ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର, କୁଆଁର କଫି ବଗିଚା, କାଞ୍ଜିପାଣିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ବାଳିକା ବିଦ୍ୟାଳୟ, ବାଂଶପାଳ ଆଇଟିଆଇ ଗସ୍ତ କରିଥିଲେ। ପରିଦର୍ଶନ ସମୟରେ ଶ୍ରୀ ପାଟିଲ ବିଭିନ୍ନ ଯୋଜନାର ପ୍ରଭାବ, ବିଶେଷକରି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ହିତାଧିକାରୀ, ସ୍ଥାନୀୟ ବାସିନ୍ଦା ଏବଂ କ୍ଷେତ୍ର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ସେହିଭଳି ଦରବାରହଲରେ ଅନୁଷ୍ଠିତ ବୈଠକରେ ଶ୍ରୀ ପାଟିଲ ସମସ୍ତ ଅଧିକାରୀଙ୍କୁ ଗୁଣାତ୍ମକ କାର୍ଯ୍ୟାନ୍ୱୟନ, ପ୍ରକଳ୍ପ ଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତି ଏବଂ ସେ ଗୁଡିକର ପ୍ରଭାବକୁ ସର୍ବାଧିକ କରିବା ପାଇଁ ବିଭାଗ ଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଜିଲ୍ଲାପାଳ ଵିଶାଲ ସିଂହ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ରୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଓ ମନ୍ଦରଧର ମହାଳିକ, ଜିଲ୍ଲାପରିଷଦ କେନ୍ଦୁଝରର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ମାଝୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
