ବେଦ ବିଦ୍ୟାଳୟରେ ବିଶ୍ଵ ସଂସ୍କୃତ ଦିବସ ଓ ଉପାକର୍ମ

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ପବିତ୍ର ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମା ତିଥିରେ ବେଦବିଦ୍ୟାଳୟ କେନ୍ଦୁଝରରେ ଶ୍ରାବଣୀ ଉପାକର୍ମ ମହୋତ୍ସବ ଓ ବିଶ୍ଵ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ବେଦବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗୁରୁଜୀବୃନ୍ଦ, ଛାତ୍ର ଓ ଅଭିଭାବକ ଉପସ୍ଥିତ ଥିଲେ I ପ୍ରାତଃ ୬ଘଟିକା ସମୟରେ ଏକ ବୈଦିକ ଶୋଭାଯାତ୍ରା ବେଦବିଦ୍ୟାଳୟରୁ ବଳଦେବଜୀଉ ମନ୍ଦିରରେ ପହଞ୍ଚି ସାମୂହିକ ବେଦପାଠ କରାଯାଇଥିଲା । ଏହାପରେ ବିଦ୍ୟାଳୟରେ ଉପାକର୍ମ ବିଧି ଓ ଯଜ୍ଞ କର୍ମ ସମ୍ପାଦିତ ହୋଇଥିଲା ।

      ବେଦ ଓ ସଂସ୍କୃତ ବିଦ୍ୟାର ପ୍ରଚାର ପ୍ରସାରକୁ ଦୃଷ୍ଟିରେ ରଖି ଚଳିତବର୍ଷ ବିଶ୍ଵ ସଂସ୍କୃତ ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସଭାପତି କୈଲାଶ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଦ୍ଭାପତି ଚତୁର୍ଭୁଜ ହୋତା, ସମ୍ପାଦକ ନିମାଇଁ ଚରଣ ଦାଶ, କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ପଣ୍ଡା, ସଦସ୍ୟ ମଧୁସୂଦନ ମିଶ୍ର ଜ୍ଞାନରଞ୍ଜନ ମିଶ୍ର, ଇଂ ହରମୋହନ ପଟ୍ଟନାୟକ, ବଡପଣ୍ଡା ରାଜକିଶୋର ପଣ୍ଡା ଉପସ୍ଥିତ ଥିଲେ । କେନ୍ଦୁଝରର ପବିତ୍ର ବେଦ ବିଦ୍ୟାଳୟରେ ଉପାକର୍ମ କେବଳ ଏକ ସଂସ୍କାର ନୁହେଁ, ଏହା ବୈଦିକ ଜ୍ଞାନର ପୁନର୍ଜାଗରଣ, ଆତ୍ମଶୁଦ୍ଧି ଏବଂ ସନାତନ ସଂସ୍କୃତିର ରକ୍ଷା ପାଇଁ ଏକ ଅତୁଟ ସଙ୍କଳ୍ପ । ନୂତନ ଯଜ୍ଞୋପବିତ ଧାରଣ ସହିତ ପ୍ରତ୍ୟେକ ବଟୁ-ବ୍ରହ୍ମଚାରୀଙ୍କ ହୃଦୟରେ ବେଦାଧ୍ୟୟନ ଓ ଧର୍ମରକ୍ଷାର ନୂତନ ଜ୍ୟୋତି ପ୍ରଜ୍ଜ୍ୱଳିତ ହୁଏ । ଯଜ୍ଞ, ତପସ୍ୟା ଓ ମନ୍ତ୍ରୋଚ୍ଚାରଣର ପବିତ୍ର ଭୂମି କେନ୍ଦୁଝର ବେଦ ବିଦ୍ୟାଳୟ ଯେଉଁଠି ଉପାକର୍ମ ପର୍ବରେ ନବୀକରଣ ହୁଏ ସତ୍ୟ, ସଂସ୍କାର ଓ ଋଷି ପରମ୍ପରାର ଅମୃତ ଧାରା ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ ।

     ପଣ୍ଡିତ ସଦାଶିବ ମିଶ୍ର  ଓ ପଣ୍ଡିତ ଭଗବାନ ମିଶ୍ରଙ୍କ ସମେତ ବହୁ ନିମନ୍ତ୍ରିତ ଅତିଥି ମଧ୍ୟ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବୈଦିକ ମଙ୍ଗଳାଚରଣ ଦୀପ ପ୍ରଜ୍ଜ୍ୱଳନ ପ୍ରତିମା ପୂଜନ ମାଲ୍ୟାର୍ପଣ କରାଯାଇଥିଲା ଏହି ପରିପ୍ରେକ୍ଷିରେ ଛାତ୍ରମାନଙ୍କୁ ପୁରସ୍କୃତ  କରାଯାଇଥିଲା । ସଂସ୍କୃତ ସାଧନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ ଭଗବାନ ମିଶ୍ରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି  ଶ୍ରୀ ପଣ୍ଡା ମାର୍ଗଦର୍ଶନ କରିବା ସହ ସମସ୍ତ ଅତିଥିମାନଙ୍କୁ ବେଦ ବିଦ୍ଯାଳୟ ତରଫରୁ ସମ୍ମାନିତ କରାଯାଇଥିଲା । ଶେଷରେ ଶାନ୍ତି ପାଠରେ କାର୍ଯ୍ୟକ୍ରମ ପରେ ସମସ୍ତେ ପ୍ରସାଦସେବନରେ ଏକତ୍ରିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *