କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ଜିଲ୍ଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି (ଦିଶା)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାରହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଦିଶା କମିଟି ଅଧ୍ୟକ୍ଷ ତଥା ସାଂସଦ ଅନନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଓ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି।
ବୈଠକରେ ଜିଲ୍ଲାପାଳ ବିଶାଲ ସିଂହ କେନ୍ଦୁଝର ଜିଲ୍ଲାରେ ଗ୍ରାମୀଣ ବିକାଶ, ମନେରେଗା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ବିଦ୍ୟୁତ ଓ ଡିଜିଟାଲ୍ ସେବା କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ଏବଂ ସଫଳତା ଉପରେ ଆଲୋକପାତ କରିଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ପ୍ରକଳ୍ପର କାର୍ଯ୍ୟାନୁୟାନ ସମୀକ୍ଷା ଆଲୋଚନା କରାଯାଇଥିଲା। ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଜିଲ୍ଲା ପାଇଁ ଧାର୍ଯ୍ୟ ହୋଇଥିବା ଶ୍ରମ ଦିବସ ଲକ୍ଷ୍ୟ ହାସଲ ଦିଗରେ ଦ୍ରୁତ କାର୍ଯ୍ୟ ଜାରି ରହିଛି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ମଞ୍ଜୁରପ୍ରାପ୍ତ ହିତାଧିକାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି।
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଏବଂ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକଳ୍ପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚାଷୀମାନଙ୍କର ଆର୍ଥିକ ଉନ୍ନତି ଓ ସହାୟତା ପାଇଁ ଜିଲ୍ଲାରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆତ୍ମା , ପ୍ରଧାନମନ୍ତ୍ରୀ କିସାନ ଏବଂ ଇ-ନାମ୍ ଭଳି କୃଷିଭିତ୍ତିକ ଯୋଜନାର ସଫଳ ରୂପାୟନ କରାଯାଉଛି। ଫସଲ ବୀମା ଓ ପ୍ରଧାନମନ୍ତ୍ରୀ କିସାନ ଯୋଜନା ମାଧ୍ୟମରେ ଜିଲ୍ଲାର ବହୁସଂଖ୍ୟକ ଚାଷୀ ସିଧାସଳଖ ଉପକୃତ ହୋଇପାରିଛନ୍ତି। ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଏବଂ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଗ୍ରାମୀଣ ଭିତ୍ତିଭୂମି ଓ ପରିମଳ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି।

ଜଳ ଜୀବନ ମିଶନ ମାଧ୍ୟମରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ସହରାଞ୍ଚଳରେ ଜଳ ଯୋଗାଣ ଏବଂ ଜଳର ପୁନଃଚକ୍ରଣକୁ ବ୍ୟବସ୍ଥିତ କରିବା ପାଇଁ ଅମୃତ ୨.୦ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଏବଂ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ସହରୀ ଗରିବ ଏବଂ ଉଠା ଦୋକାନୀ ମାନଙ୍କୁ ଗୃହ ଓ ସହଜ ଋଣ ସହାୟତା ପ୍ରଦାନ କରାଯାଉଛି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ଶ୍ରେଣୀଗୃହ ଏବଂ ବାଳିକା ଶୌଚାଳୟ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ କାର୍ଯ୍ୟକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି। ଏହାସହ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଜନସେବା କେନ୍ଦ୍ର ଗୁଡ଼ିକ ସଫଳତାର ସହ ଲୋକଙ୍କୁ ଡିଜିଟାଲ୍ ସେବା ଯୋଗାଇ ଦେଉଛନ୍ତି।
ଏହି ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଅନୁବ୍ରତ ବେହେରା, ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ପ୍ରଶାସନିକସ୍ତରରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡିଏମଏଫ ରୀନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗାଭୂଷଣ, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ସୁକାନ୍ତ ମାଝୀଙ୍କ ସମେତ ସମସ୍ତ ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା, ସରପଞ୍ଚ, ଦିଶା କମିଟି ସଦସ୍ୟ ଏବଂ ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ।
