କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମଣା ପଞ୍ଚାୟତ ଧନୁର୍ଜୟପୁର ସ୍କୁଲ ପଡିଆ ଠାରେ ସମନ୍ୱିତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଶୁକ୍ରବାର ଚତୁର୍ଥ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଚେମଣା ସରପଞ୍ଚ ହେମଳତା ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଗ୍ରାମସଭାରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ଗ୍ରାମସଭାରେ ଉପସ୍ଥିତ ଗ୍ରାମବାସୀଙ୍କ ମତାମତ ଲୋଡିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସମିତିସଭ୍ୟ ମନୋଜ କୁମାର ମହାନ୍ତ, ୱାର୍ଡ ମେମ୍ବର ଜାନକୀ ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଇଡ଼କୋ ଭୁଅର୍ଜନ ଅଧିକାରୀ ଜୟକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମସଭାରେ ଜମିହରା ଧନୁର୍ଜୟପୁର ଗ୍ରାମବାସୀ ୩୭ ଦଫା ସମ୍ବଳିତ ସର୍ତ୍ତମୂଳକ ଦାବିପତ୍ର ଇଡ଼କୋ ଭୁଅର୍ଜନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଗ୍ରାମସଭା ପୂର୍ବରୁ ଧନୁର୍ଜୟପୁର ଗ୍ରାମ କମିଟି ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା ଏକାଠି ହୋଇ ଜିନ୍ଦଲ ହଟାଓ ଭିଟାମାଟି ବଞ୍ଚାଓ, ଜିନ୍ଦଲ ସହ ହୋଇଥିବା ବୁଝାମଣାପତ୍ର ରଦ୍ଦ କର ଆଦି ନାରା ଦେଇ ପ୍ଲାକାର୍ଡ ଓ ବ୍ୟାନର ଧରି ବିରୋଧ କରିଥିବା ଦେଖିବାକୁ ମିଳିଛି ।
