କେନ୍ଦୁଝର ଜିଲ୍ଲାର ୨୦୭୩୬୨ଜଣ ହିତାଧିକାରୀଙ୍କୁ ମିଳିଲା ସିଏମ୍-କିଷାନ ସହାୟତା

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ସିଏମ୍-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ପଞ୍ଚମ କିସ୍ତି ଆର୍ଥିକ ସହାୟତା ପ୍ରଦାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଶୁକ୍ରବାର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

            ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ସେବା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ବ୍ୟାଙ୍କ ଖାତାକୁ ୨୦୨୬-୨୭ ରବି କୃଷି କାର୍ଯ୍ୟକ୍ରମ ପାଇଁ ସିଏମ୍-କିଷାନ ଯୋଜନାର ପଞ୍ଚମ ସହାୟତା ରାଶି ପ୍ରଦାନ କରିଥିଲେ। ଚାଷୀମାନଙ୍କ କଲ୍ୟାଣ ଓ ସଶକ୍ତୀକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବା ସହ କୃଷକ-କୈନ୍ଦ୍ରିକ ଯୋଜନାର ସୁଫଳ ଯେପରି ସ୍ୱଚ୍ଛ ଏବଂ ସମୟୋପଯୋଗୀ ଭାବେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେ ନେଇ ସରକାରଙ୍କ ଦୃଢ଼ ସଙ୍କଳ୍ପକୁ ଦୋହରାଇଥିଲେ।

            ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ଵଜୟୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମାରୋହର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହାପରେ ଜିଲ୍ଲାପାଳ ବିଶାଲ ସିଂହ କେନ୍ଦୁଝର ଜିଲ୍ଲାର ୨ ଲକ୍ଷ ୭ ହଜାରରୁ ଊର୍ଦ୍ଧ୍ୱ କୃଷିଜୀବୀଙ୍କୁ ୪୧ କୋଟି ୫୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଏହି ଯୋଜନାରେ ପ୍ରଦାନ କରାଯାଉଥିବା ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଯେ, ୨୦୨୬-୨୭ ରବି ଚାଷ ପାଇଁ କେନ୍ଦୁଝର ଜିଲ୍ଲାର ମୋଟ ୨,୦୭,୩୬୨ଜଣ ହିତାଧିକାରୀଙ୍କୁ ପଞ୍ଚମ କିସ୍ତି ବାବଦରେ ୪୧ କୋଟି ୫୨ ଲକ୍ଷ ୬୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ୨,୦୭,୧୦୫ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୪୧ କୋଟି ୪୨ ଲକ୍ଷ ୧୦ ହଜାର ଟଙ୍କା ଏବଂ ୨୫୭ଜଣ ଭୂମିହୀନ କୃଷି ପରିବାରଙ୍କୁ ୧୦ ଲକ୍ଷ ୫୩ ହଜାର ଟଙ୍କା ସହାୟତା ରାଶି ମିଳିଛି।

      ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ରାଜ୍ୟ ସରକାରଙ୍କ ପ୍ରଚଳିତ କଲ୍ୟାଣକାରୀ ସିଏମ୍-କିଷାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ, ଧାନ କ୍ରୟ ଓ ସୁଭଦ୍ରା ଆଦି ଯୋଜନା ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଆଗାମୀ ରବି ଋତୁ ପୂର୍ବରୁ ପ୍ରଦାନ କରାଯାଇଥିବା ଏହି ସହାୟତା ରାଶି ଚାଷୀମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କ୍ରୟ କରିବାରେ ବିଶେଷ ସହାୟକ ହେବ ଏବଂ କୃଷକ ପରିବାର ଗୁଡ଼ିକର ଜୀବିକାରେ ଉନ୍ନତି ଆଣିବ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ ଯୋଗ ଦେଇଥିଲେ। ପ୍ରଶାସନିକସ୍ତରରେ ଜିଲ୍ଲାପାଳ ଶ୍ରୀ ସିଂହଙ୍କ ସମେତ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କ ସମେତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ।

      କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ବହୁ ସଂଖ୍ୟକ ଚାଷୀ ଏବଂ କୃଷି ବୈଜ୍ଞାନିକ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ। ଏହି କାର୍ଯ୍ୟକ୍ରମ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ପ୍ରସାରଣ କରିବା ସହ କୃଷକ ସମାଜ ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଦୋହରାଇବାର ସୁଯୋଗ ସୃଷ୍ଟି କରିଥିଲା। ସିଏମ୍-କିଷାନ ଏବଂ ଅନ୍ୟାନ୍ୟ କୃଷି-କୈନ୍ଦ୍ରିକ ଯୋଜନାର ପ୍ରଭାବୀ ଓ ସ୍ୱଚ୍ଛ ରୂପାୟନ ନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପୁନର୍ବାର ପ୍ରତିଶ୍ରୁତି ବ୍ୟକ୍ତ କରିଛି । ଯାହାଦ୍ୱାରା ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର ସୁଫଳ ପାଇ ପାରିବେ। ଶେଷରେ ଚମ୍ପୁଆ କୃଷି ଜିଲ୍ଲା ଅଧିକାରୀ ନନ୍ଦିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *