କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର ): ଟ୍ରାନ୍ସଫର୍ମରରୁ ତମ୍ବା କଏଲ୍, ଆଲୁମିନିୟମ୍ ଓ ତମ୍ବା ତାର ସମେତ ବିଭିନ୍ନ ବିଦ୍ୟୁତ୍ ସାମଗ୍ରୀ ଚୋରି କରୁଥିବା ଏକ ସଙ୍ଗଠିତ ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗକୁ କେନ୍ଦୁଝର ପୁଲିସ ସଫଳତାର ସହ ଧରିଛି। ଏହି ଘଟଣାରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗ୍ୟାଙ୍ଗ କେନ୍ଦୁଝର ସମେତ ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସମାନ ଧରଣର ଚୋରି କରି ଆସୁଥିଲେ। ଚୋରି ବିଦ୍ୟୁତ୍ ସାମଗ୍ରୀକୁ ଭାଙ୍ଗି ଓ ଖଣ୍ଡବିଖଣ୍ଡ କରି ବିଭିନ୍ନ ରିସିଭର ଓ ସ୍କ୍ରାପ୍ ବ୍ୟବସାୟୀଙ୍କ ମାଧ୍ୟମରେ ବିକ୍ରି କରାଯାଉଥିଲା।

ହରିଚନ୍ଦନପୁର ଓ କେନ୍ଦୁଝର ଟାଉନ୍ ଥାନା ମାମଲା ଆଧାରରେ ଚୋରି ତଦନ୍ତର ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ଗ୍ୟାଙ୍ଗର ସଦସ୍ୟମାନେ ଟ୍ରାନ୍ସଫର୍ମର ତମ୍ବା କଏଲ୍, ବିଦ୍ୟୁତ୍ ତାର, ଟାୱାର କେବୁଲ୍, ଟାୱାର ବ୍ୟାଟେରୀ ଓ ଅନ୍ୟାନ୍ୟ ବିଦ୍ୟୁତ୍ ସାମଗ୍ରୀ ଚୋରିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। କେନ୍ଦୁଝର ଜିଲ୍ଲାର ପ୍ରାୟ ୨୦ଟି ସ୍ଥାନରେ ଏହି ଗ୍ୟାଙ୍ଗ ଚୋରି କରିଥିବା ତଥ୍ୟ ତଦନ୍ତରୁ ସାମ୍ନାକୁ ଆସିଛି। ଗ୍ୟାଙ୍ଗକୁ ଧରିବା ପାଇଁ କେନ୍ଦୁଝର ପୁଲିସ ପକ୍ଷରୁ ୧୨ଟି ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ଗୁଡ଼ିକ ଡୁବୁରୀ, ଯାଜପୁର ରୋଡ୍, ଚଣ୍ଡିଖୋଲ, ବଡ଼ଚଣା ଓ ଭୁବନ ଆଦି ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିଥିଲେ।

ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଗ୍ୟାଙ୍ଗଟି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଥିଲା। ଗ୍ୟାଙ୍ଗର ସଦସ୍ୟମାନଙ୍କ ମଧ୍ୟରେ ଚୋରି ପାଇଁ ସ୍ଥାନ ଚିହ୍ନଟ, ଚୋରି କରିବା, ଟ୍ରାନ୍ସଫର୍ମର ଭାଙ୍ଗିବା, ଚୋରି ସାମଗ୍ରୀ ପରିବହନ ଏବଂ ରିସିଭର ଓ ସ୍କ୍ରାପ୍ ବ୍ୟବସାୟୀଙ୍କ ମାଧ୍ୟମରେ ବିକ୍ରି ପାଇଁ ଭିନ୍ନ ଭିନ୍ନ ଦାୟିତ୍ୱ ବଣ୍ଟାଯାଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଭ୍ରମରବର ବେହେରା, ରାହୁଲ ମୁଣ୍ଡା, ଦୀପୁ ଓରଫ ଗୌରାଙ୍ଗ ସାହୁ, ଜାହିରୁଲ୍ ସେକ୍ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ପୁଲିସ ସୂଚନା ଅନୁଯାୟୀ, ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କ ନାମ ଓ ସେମାନଙ୍କ ସମ୍ପୃକ୍ତି ସମ୍ପର୍କରେ ତଦନ୍ତ ଜାରି ରହିଛି। ବିଭିନ୍ନ ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ ବିରୋଧରେ ଥିବା ଅନ୍ୟ ମାମଲାଗୁଡ଼ିକର ମଧ୍ୟ ତଦନ୍ତ କରାଯାଉଛି । ଆନ୍ତଃଜିଲ୍ଲା ବିଦ୍ୟୁତ୍ ସାମଗ୍ରୀ ଚୋରି ରାକେଟ୍ର ପର୍ଦ୍ଦାଫାସ୍ ବେଳେ ୧୬ ଜଣ ଗିରଫ ହୋଇଥିବା ବେଳେ ଏମାନଙ୍କ ଠାରୁ ବିପୁଳ ଚୋରିରେ ବ୍ୟବହୃତ ଗାଡ଼ି, ବିପୁଳ ପରିମାଣର ଆଲୁମିନିୟମ୍ ତାର, ତମ୍ବା କଏଲ୍, ଯନ୍ତ୍ରପାତି, ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଜବତ ହୋଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗୁଡୁ ଓରଫ ଲକ୍ଷ୍ମୀଧର ମୁଣ୍ଡା (୨୬), ପାପନ ବଦ୍ରା (୨୨), ଦୀପୁ ବେହେରା (୨୩), ବାବୁ ଓରଫ ପ୍ରକାଶ ଚନ୍ଦ୍ର ସାହୁ (୨୯), କମଳ ଲୋଚନ ନାଏକ (୨୧), ପ୍ରକାଶ ବେହେରା (୨୧), ରଞ୍ଜନ ମୁଣ୍ଡା (୨୩), ଅଜୟ ମୁଣ୍ଡା (୧୯), ଶଙ୍କର ଓରଫ ଟେରା ଦଳେଇ (୧୯), ରଞ୍ଜନ ବେହେରା (୨୮), ରାଜୁ ଦେହୁରୀ (୩୭) ଏବଂ ମହମ୍ମଦ ମାହିର (୨୩) ରହିଛନ୍ତି। ସେମାନେ ଢେଙ୍କାନାଳ, ଯାଜପୁର ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ।
ତଦନ୍ତ ସମୟରେ ପୁଲିସ ଦୁଇଟି ଗାଡ଼ିରୁ ବିପୁଳ ପରିମାଣର ଆଲୁମିନିୟମ୍ ତାର ଜବତ କରିଛି। ଗୋଟିଏ ଧଳା ମାରୁତି ଇଟିଗା ଗାଡ଼ିରୁ ପ୍ରାୟ ୫ କ୍ୱିଣ୍ଟାଲ୍ ଆଲୁମିନିୟମ୍ ତାର ଏବଂ ଗୋଟିଏ ନୀଳ ମାରୁତି ଏସ୍ ପ୍ରେସୋ ଗାଡ଼ିରୁ ପ୍ରାୟ ୩ କ୍ୱିଣ୍ଟାଲ୍ ଆଲୁମିନିୟମ୍ ତାର ଜବତ ହୋଇଛି। ଏହା ବ୍ୟତୀତ ବିଭିନ୍ନ ଆକାରର ପ୍ରାୟ ୨ କ୍ୱିଣ୍ଟାଲ୍ ଆଲୁମିନିୟମ୍ ତାର, ପ୍ରାୟ ୫୦ କିଲୋଗ୍ରାମ୍ ଓ ୬୦ କିଲୋଗ୍ରାମ୍ ଓଜନର ଗଳିତ ତମ୍ବା କଏଲ୍ଏ ବଂ ଅଭିଯୁକ୍ତ ମହମ୍ମଦ ମାହିରଙ୍କ ଠାରୁ ପ୍ରାୟ ୧୫ କିଲୋଗ୍ରାମ୍ ଟ୍ରାନ୍ସଫର୍ମରରୁ ଗଳାଯାଇଥିବା ତମ୍ବା ତାର ଜବତ ହୋଇଛି। ଚୋରିରେ ବ୍ୟବହୃତ ଯନ୍ତ୍ରପାତି ୨ଟି ଇଲେକ୍ଟ୍ରିକ୍ ଗ୍ଲୋଭ୍ସ, ୧ଟି ପ୍ଲାୟର, ୧ଟି ହ୍ୟାକିଂ ରଡ୍, ୫ଟି ଆରେ ହ୍ୟାଣ୍ଡଲ୍, ୧ଟି ମେଟାଲ୍ ସିଜର୍ କଟର୍, ପ୍ରାୟ ୫ ମିଟର ଦଉଡ଼ି, ୧ଟି ତାର କଟର୍ ଏବଂ ହ୍ୟାଣ୍ଡଲ୍ ସହ ୧ଟି ଆରି ବ୍ଲେଡ୍ ଜବତ କରିଛି। ଏଥିସହ ୧୨ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଓ ୧ ଲକ୍ଷ ୪୫ ହଜାର ଟଙ୍କା ନଗଦ ମଧ୍ୟ ଜବତ ହୋଇଛି।
ପୁଲିସର ତଦନ୍ତ ଅନୁଯାୟୀ ଗ୍ୟାଙ୍ଗ ସଦସ୍ୟମାନେ ଯୋଜନାବଦ୍ଧ ଭାବେ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ତାରକୁ ଟାର୍ଗେଟ୍ କରୁଥିଲେ। ଚୋରି ପରେ ଟ୍ରାନ୍ସଫର୍ମରକୁ ଭାଙ୍ଗି ତମ୍ବା କଏଲ୍ ବାହାର କରାଯାଉଥିଲା ଏବଂ ଆଲୁମିନିୟମ୍/ତମ୍ବା ତାରକୁ ବିଭିନ୍ନ ରିସିଭର ଓ ସ୍କ୍ରାପ୍ ବ୍ୟବସାୟୀଙ୍କ ମାଧ୍ୟମରେ ବିକ୍ରି କରାଯାଉଥିଲା। ଗ୍ୟାଙ୍ଗର ଅନ୍ୟ ଅପରାଧ, ଚୋରି ସାମଗ୍ରୀର ରିସିଭର ଏବଂ ଅନ୍ୟ ଜିଲ୍ଲାରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି।
