ନିଟ୍ ପ୍ରଶ୍ନପତ୍ର ଲିକ୍ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରୁ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଆନ୍ଦୋଳନ କରିଥିବା ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି ମିଳିଛି। ଆନ୍ଦୋଳନ ସମୟରେ ପୁଲିସ ଛାତ୍ରଛାତ୍ରୀଙ୍କ ବିରୋଧରେ ଯେଉଁସବୁ ମାମଲା ରୁଜୁ କରିଥିଲା ତାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ହୋଇଥିଲା। ତେଣୁ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ବିରୋଧରେ ପୁଲିସ ଯେଉଁସବୁ ମାମଲା ରୁଜୁ କରିଥିଲା ତାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଫଳରେ ପୁଲିସର ମାମଲାକୁ ନେଇ ଆଶଙ୍କାରେ ଥିବା ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ମିଳିଛି।

      ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ପୀଠ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ପ୍ରଦତ୍ତ ସ୍ବତନ୍ତ୍ର କ୍ଷମତା ବଳରେ ଏହି ନିଷ୍ପତ୍ତି ନେଇଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ସୁପ୍ରିମକୋର୍ଟ ତାଙ୍କର ଏହି ସ୍ବତନ୍ତ୍ର କ୍ଷମତାର ପ୍ରୟୋଗ କରିଛନ୍ତି। ତେବେ ଛାତ୍ର ଆନ୍ଦୋଳନରେ ଭାଗ ନେଇଥିବା ଦୁର୍ଦାନ୍ତ ଅପରାଧୀମାନେ ପୁଲିସ ତଦନ୍ତର ସମ୍ମୁଖୀନ ହେବେ।

       ଦିଲ୍ଲୀର ଯନ୍ତର ମନ୍ତର ଆନ୍ଦୋଳନରେ ସାମିଲ ୨୮୭୩ଜଣ ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବାବେଳେ ସେମାନଙ୍କ ବିରୋଧରେ ତଦନ୍ତ ଜାରି ରଖିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପୁଲିସ ତଦନ୍ତ ଆଧାରରେ ସେମାନଙ୍କ ବିରୋଧରେ ଶୁଣାଣି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
        ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀ ପୁଲିସ ମାମଲା ରଦ୍ଦ କରିବା ଲାଗି ଅନୁମତି ଲୋଡିଥିଲା। ବିଶେଷକରି ଯନ୍ତରମନ୍ତର ବିକ୍ଷୋଭ ସହ ଜଡ଼ିତ ୧୩ଟି ମାମଲା ରଦ୍ଦ କରିବାକୁ ଦିଲ୍ଲୀ ପୁଲିସ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲା। ଆଜିର ଶୁଣାଣି ସମୟରେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଥିଲେ ଯେ, ସରକାର କକ୍ରୋଚ୍ ଜନତା ପାର୍ଟି (ସିଜେପି)କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ଲାଗି ପ୍ରତିଶ୍ରୁତିବଦ୍ଧ।

        ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରୁ ମାମଲା ପ୍ରତ୍ୟାହାର ଓ ଆତ୍ମହତ୍ୟା କରିଥିବା ଆଶାୟୀ ନିଟ୍ ଛାତ୍ରଛାତ୍ରୀଙ୍କ ପରିବାରକୁ ସରକାର କ୍ଷତିପୂରଣ ପ୍ରଦାନ କରିବେ। ସୁପ୍ରିମକୋର୍ଟଙ୍କ ଆଜିର ରାୟ ପରେ ସିଜେପି ଏହାର ସେପ୍ଟେମ୍ବର ୫ ତାରିଖ ପ୍ରସ୍ତାବିତ ବିକ୍ଷୋଭକୁ ବାତିଲ କରିଛି। ଏହା ସହିତ ସିଜେପି ମୁଖପାତ୍ର ସୌରଭ ଦାସ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ, ପୁଲିସ ମାମଲାର ସମ୍ମୁଖୀନ ହୋଇଥିବା ଛାତ୍ରଙ୍କ ସହିତ ଦଳ ଦୃଢତାର ସହ ରହି ଆସିଥିଲା। ଛାତ୍ରଙ୍କ ଉପରୁ ମାମଲା ପ୍ରତ୍ୟାହାର ଓ କ୍ଷତିପୂରଣ ପ୍ରଦାନ ବିଷୟରେ ଦଳ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ସହ ଆଲୋଚନା ଚଳାଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା କହିଥିଲେ ଯେ, କେନ୍ଦ୍ର ସରକାର ନିଜର ପ୍ରତିଶ୍ରୁତି ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି।

Leave a Reply

Your email address will not be published. Required fields are marked *