କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ମଙ୍ଗଳବାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପିର ମୂଳମନ୍ତ୍ର ହେଉଛି ସେବା । ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା । ସମାଜର ଶେଷ ସୋପନରେ ଥିବା ବ୍ୟକ୍ତିପାଖରେ ପହଞ୍ଚି ତାଙ୍କୁ ସେବା, ସୁବିଧା ଓ ମୈାଳିକ ଅଧିକାର ପ୍ରଦାନ କରିବା ହେଉଛି ମୂଳ ଲକ୍ଷ୍ୟ । ଯେଉଁ ରାଜ୍ୟ ମାନଙ୍କରେ ବିଜେପି ଥରେ ଶାସନ ଦାୟିତ୍ୱରେ ଆସିଛି ଏହି ସେବା ମନୋଭାବ କାରଣରୁ ସେହି ରାଜ୍ୟବାସୀ ବାରମ୍ବାର ବିଜେପିକୁ ଶାସନ ଦାୟିତ୍ୱ ପ୍ରଦାନ କରିଛନ୍ତି । ଓଡିଶାରେ ବିଜେପି ସରକାର ଗଠନ ହେବା ପରେ ସେବା ମନୋଭାବକୁ ଅଗ୍ରାଧିକାର ଦେଇ ରାଜ୍ୟ ସରକାର ନିୟମିତ ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ତାଙ୍କ ସୁଖଦୁଃଖର ସାଥୀ ହୋଇ ଛିଡା ହେଉଛନ୍ତି ବୋଲି ଜିଲ୍ଲା ସଭାପତି ଶ୍ରୀ ମହାନ୍ତ କହିଛନ୍ତି।
ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗଦେଇ ଆଗାମୀ ପଞ୍ଚାୟତ, ନଗରପାଳିକା ଓ ସମବାୟ ନିର୍ବାଚନରେ ଲୋକଙ୍କ ସହ ଛିଡା ହେବା ସହିତ କଠିନ ପରିଶ୍ରମ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ତେଲକୋଇ ବିଧାୟକ ଡ଼ାକ୍ତର ଫକୀର ମୋହନ ନାଏକ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଗାମୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରିଶ୍ରମ ଏବଂ ଦେଶବାସୀଙ୍କ ସଙ୍କଳ୍ପକୁ ଆଦୌ ବୁଝି ପାରିନଥିବା ବିରୋଧୀ ଦଳମାନଙ୍କ ଆଚରଣ ଓ ଉଚ୍ଚାରଣ ଅତ୍ୟନ୍ତ ନିନ୍ଦନୀୟ ।

ଜିଲ୍ଲା କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ଅବସରରେ ମଙ୍ଗଳବାର ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ପ୍ରତିକୁଳ ପରିସ୍ଥିତିରେ ଭାରତବର୍ଷର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଉଥିବା ବେଳେ ବିରୋଧୀ ଦଳଗୁଡିକ ଅପପ୍ରଚାର କରି ଭାରତବର୍ଷକୁ ବଦନାମ କରିବାର ଚକ୍ରାନ୍ତ କରୁଛନ୍ତି । ବିରୋଧିଦଳ ଦେଶ ବିଭାଜନକାରୀ ଶକ୍ତିମାନଙ୍କ ସହ ହାତ ମିଳାଇ ବିଭିନ୍ନ ଦେଶ ବିରୋଧି ଗତିବିଧିରେ ସାମିଲ ହେଉଛନ୍ତି । ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍କୁ ସାରା ଦେଶବାସୀ ଗର୍ବର ସହ ଗାଉଥିବାବେଳେ କଂଗ୍ରେସ ଦଳ ଅବମାନନା କରିଛି । ଗତ ଅଗଷ୍ଟ ୧୫ ତାରିଖ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ ଗାନ ବେଳେ ଯେଉଁଭଳି ଭାବରେ ଘୃଣା ଭାବ ପ୍ରକାଶ କଲେ ତାହା ଅତ୍ୟନ୍ତ କ୍ଷୋଭର ବିଷୟ ଏବଂ ନିନ୍ଦନୀୟ ବୋଲି କହିଥିଲେ ସାଂସଦ ଅନନ୍ତ ନାୟକ । ଯାହା କଂଗ୍ରେସର ଦେଶବିରୋଧୀ ମାନସିକତାର ଏକ ନିଚ୍ଛକ ଦୃଷ୍ଟାନ୍ତ ।
ସଂସଦରେ ମହିଳା ଆରକ୍ଷଣ ବିଲ୍କୁ ବିରୋଧ କରି କଂଗ୍ରେସ ଓ ବିରୋଧୀଦଳ ତାଙ୍କ ମହିଳା ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ପ୍ରକାଶିତ କରିଛନ୍ତି ସାଂସଦ ଶ୍ରୀ ନାୟକ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନାମ ସହ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ଯୋଡି ଆଶାଳୀନ ମନ୍ତବ୍ୟ ଦେଇଛନ୍ତି, ଯାହାକି ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା ବିରୋଧୀ । ରାଜ୍ୟରେ ବିଜେଡି ସରକାର ସମୟରେ ଘଟିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ଗଠିତ ତଦନ୍ତ କମିଶନ ଫାଇଲ୍କୁ ନବୀନ ବାବୁଙ୍କ ସରକାର ଜାଣିଶୁଣି ଚୋରି କରିଛନ୍ତି । ହତ୍ୟାଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ କମିଶନ ରିପୋର୍ଟକୁ ଗାଏବ କରିବା ଘଟଣା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି କହିଥିଲେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ । ବିଜେଡିର ବି-ଟିମ୍ ଭୂମିକାରେ ଅବତୀର୍ଣ୍ଣ ହୋଇ ଓଡ଼ିଶାରେ କଂଗ୍ରେସ ଦଳ ବିଜେଡି ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେଉଛି ।
ରାଜ୍ୟରେ ଏମ୍ଏମ୍ଡିଆର୍ ସଂଶୋଧନକୁ ଉଭୟ କଂଗ୍ରେସ ଏବଂ ବିଜେଡି ବିରୋଧ କରି ଭ୍ରମାତ୍ମକ ତଥ୍ୟ ଦେଇ ମିଛର ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି କହିଥିଲେ ଜିଲ୍ଲା ଉପସଭାପତି ବିବେକାନନ୍ଦ ମହାନ୍ତ । ଦେଶ ଓ ରାଜ୍ୟର ସାମ୍ପ୍ରତିକ ସ୍ଥିତିରେ ଉଭୟ କଂଗ୍ରେସ ଓ ବିଜେଡି ଦଳଗୁଡିକର ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ । ଯାହାକୁ ଏହି କାର୍ଯ୍ୟକାରିଣୀରେ ଦୃଢ଼ଭାବେ ନିନ୍ଦା କରାଯାଇ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯିବା ସହିତ ପାରିତ କରାଯାଇଛି। ସମୃଦ୍ଧ ଓଡିଶା ଗଠନ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଏହି କାର୍ଯ୍ୟକାରିଣୀ ପ୍ରେରଣା ଯୋଗାଇଛି ବୋଲି ବରିଷ୍ଠ ନେତ୍ରୀ ସୁକେଶୀ ଓରାମ କହିଛନ୍ତି ।
ଏହି ଅବସରରେ ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର ଏବଂ ଘସିପୁରା ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, ରାଜ୍ୟ ସମ୍ପାଦିକା ମମତା ସିଂହ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଅଗନୁ ମହାନ୍ତ ଏବଂ ଯଶସ୍ବୀନ ବଳ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଉପସଭାପତି ପଞ୍ଚାନନ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିଲ୍ଲା ପଦାଧିକାରୀ, ପୂର୍ବତନ ଜିଲ୍ଲା ସଭାପତି, ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ଜିଲ୍ଲା ସଂଯୋଜକ ଉପସ୍ଥିତ ଥିଲେ ।
