କେନ୍ଦୁଝର ସାଇନ (ଜ୍ଞାନ ରଞ୍ଜନ ମିଶ୍ର): ଦେଶରେ ଚାରିରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଜନାଦେଶ ଆସୁଥିବା ବେଳେ ସବୁଠାରୁ ଚର୍ଚ୍ଚା ରହିଛି ପଶ୍ଚିମବଙ୍ଗ। କିଏ ଗଢ଼ିବ ବେଙ୍ଗଲରେ ସରକାର ତାର ପୂର୍ଣ୍ଣଚ୍ଛେଦ ପଢ଼ିଛି। ପଶ୍ଚିମବଙ୍ଗରେ ବହୁମତ ହାସଲ କରିଛି ବିଜେପି। ଦିଦିଙ୍କୁ ଲାଗିଛି ବଡ ଝଟକା। କାମ କଲା ମୋଦି ମ୍ୟାଜିକ। ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବମୁଖର । ୧୫ ବର୍ଷ ପରେ କ୍ଷମତାର ହୋଇଛି ପରିବର୍ତ୍ତନ।
ମ୍ୟାଜିକ ନମ୍ବର ୧୪୮କୁ ସହଜରେ ଅତିକ୍ରମ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିବାକୁ ଯାଉଛି ବିଜେପି । ପ୍ରାୟ ଦେଢ ଦଶନ୍ଧି ପରେ ଦିଦିଙ୍କୁ ଶକ୍ତ ଧକ୍କା ଲାଗିଛି ।ବହୁମତ ହାସଲ ପରେ ଏବେ କିଏ ହେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ପଶ୍ଚିମବଙ୍ଗରେ ତେଜିଛି ରାଜନୀତି। ପ୍ରଚାର ସମୟରେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା କହିଥିଲେ, ବିଜେପି କ୍ଷମତାକୁ ଆସିଲେ ଜଣେ ପ୍ରକୃତ ବେଙ୍ଗଲି ହିଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ । ଆଉ ଜଣେ କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ କାଉଣ୍ଟର କରିବା ପାଇଁ ଜଣେ ଆମିଷ ଖାଉ ନଥିବା ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କହିଥିଲେ।
ତେଣୁ ବିଜେପି ପଶ୍ଚିମବଙ୍ଗରେ ଜିତିବାକୁ ଯାଉଥିବାରୁ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। କ’ଣ ଗେରୁଆ ଦଳ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ? ଯଦି ହଁ, ତା’ହେଲେ ମୁଖ୍ୟମନ୍ତ୍ରୀ ରେସ୍ରେ ଅଗ୍ନିମିତ୍ର ପଲ ଓ ରୂପା ଗାଙ୍ଗୁଲି ନିଶ୍ଚିତ ରହିବେ। ଉଭୟ ରାଜ୍ୟରେ ବେଶ ପରିଚିତ ଓ ଉଭୟ ବେଶ ଦମଦାର ବିଜୟ ମଧ୍ୟ ହାସଲ କରିଛନ୍ତି। ଯଦି ବିଜେପି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିବ ନାହିଁ, ତା’ହେଲେ ମମତାଙ୍କ ଚୀର ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀ, ରାଜ୍ୟ ବିଜେପି ମୁଖ୍ୟ ସମିତ ଭଟ୍ଟାଚାର୍ଯ୍ୟ, ନିଶିତ ପରମାଣିକ ଓ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦିଲୀପ ଘୋଷଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
