ବ୍ୟାଙ୍କ ଧର୍ମଘଟ ସ୍ଥଗିତ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ୩ ଦିନିଆ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ସୋମବାର ଠାରୁ ହେବାକୁ ଥିବା ଏହି ଧର୍ମଘଟ ଡାକରା ପାଇଁ ଚିନ୍ତାରେ ଥିବା ଗ୍ରାହକଙ୍କୁ ବଡ ଆଶ୍ବସ୍ତି ମିଳିଛି। ରବିବାର ରାତିରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ) ଏହାର ପ୍ରସ୍ତାବିତ ଧର୍ମଘଟ ସ୍ଥଗିତ ରଖିବା ନେଇ ସର୍କୁଲାର ଜାରି କରିଛି।

      ଘୋଷଣା ଅନୁଯାୟୀ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହିତ ୟୁଏଫ୍‌ବିୟୁର କଥାବାର୍ତ୍ତା ପରେ ଏହି ନିଷ୍ପତ୍ତି ନିଆଯାଇଛି। କଥାବାର୍ତ୍ତା ଅନୁଯାୟୀ ୟୁଏଫ୍‌ବିୟୁ ଓ ଆଇବିଏ ୫ଦିନିଆ ବ୍ୟାଙ୍କ କାର୍ଯ୍ୟଦିବସ କାର୍ଯ୍ୟକାରୀ କରିବା ସମ୍ପର୍କରେ ବିଚାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। ଏବେ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଥିବାବେଳେ ଅବଶିଷ୍ଟ ସମସ୍ତ ସପ୍ତାହରେ ଶନିବାର ବ୍ୟାଙ୍କ ବନ୍ଦ ରଖିବା ସମ୍ପର୍କରେ ଉଭୟ ବିଚାର କରିବେ। ତେବେ କମିଟି କେବେ ଚୂଡାନ୍ତ ରିପୋର୍ଟ ଦେବ ତାହା ଆଲୋଚନାରେ ସ୍ପଷ୍ଟ କରାଯାଇ ନାହିଁ। ଏହି ପ୍ରସଙ୍ଗରେ ଦୁଇ ସଂଘ ମଧ୍ୟରେ ପ୍ରାୟ ୧୧ ଘଣ୍ଟା ଧରି ବୈଠକ ହୋଇଥିଲା। ଏହା ସହିତ ଅଫିସରମାନଙ୍କ ପାଇଁ ପରଫର୍ମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ ଯୋଜନାର ନୂତନ ନିୟମାବଳୀ ଉପରେ କମିଟି ବିଚାର କରିବ। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୮ତାରିଖ ଠାରୁ ୩ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *