ସ୍ୱତନ୍ତ୍ର ଧାନ ବିପ୍ଳବର ନେତୃତ୍ୱ ନେଉଛି କେନ୍ଦୁଝର
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶାର କୃଷି କ୍ଷେତ୍ର ପାଇଁ ଏକ ସ୍ମରଣୀୟ ସଫଳତା ସ୍ୱରୂପ ସୋମବାର କେନ୍ଦୁଝରରୁ ସ୍ୱତନ୍ତ୍ର ଧାନର ପ୍ରଥମ ରପ୍ତାନିଭିତ୍ତିକ ବିପଣନର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ମିଳିତ ସହଯୋଗରେ ତଥା ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ‘ରାଇସ୍ ଭାଲ୍ୟୁ ଆଡିସନ୍ ପ୍ରୋଜେକ୍ଟ’ ଅଧୀନରେ ଏହି ସଫଳତା ହାସଲ ହୋଇଛି।
ଏହି ଅବସରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସାଂସଦ କେନ୍ଦୁଝର ଅନନ୍ତ ନାୟକ, ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି ତଥା ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ବିଧାୟକ ଘଷିପୁରା ବଦ୍ରି ନାରାୟଣ ପାତ୍ର, ଜିଲ୍ଲାପାଳ ବିଶାଲ ସିଂହ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପୃଥ୍ୱୀରାଜ ମଣ୍ଡଳ, ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପ୍ରତିନିଧି ଜ୍ଞାନଦୀପ ପାଣ୍ଡିଆ, ଡ. ପ୍ରିୟବ୍ରତ ରାୟ, ମହମ୍ମଦ ସୁଲତାନ, କେନ୍ଦୁଝର ସଦର କୃଷକ କୃଷି ଇ-ଫାର୍ମ ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡର ପ୍ରତିନିଧି, ଚାଷୀ ସଦସ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ଏହା ସ୍ୱତନ୍ତ୍ର ଧାନ ଚାଷକୁ ଏକ ଅଧିକ ଲାଭଜନକ, ବଜାରକୈନ୍ଦ୍ରିକ ବ୍ୟବସାୟରେ ପରିଣତ କରିବା ସହ ସ୍ଥାୟୀ ଓ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ଚାଲାଣରେ କେନ୍ଦୁଝର ସଦର କୃଷକ କୃଷି ଇ-ଫାର୍ମ ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡର ଚାଷୀମାନଙ୍କ ଦ୍ୱାରା ଜୈବିକ ପଦ୍ଧତିରେ ଉତ୍ପାଦିତ ଦୁଇଟି କିସମ ‘କଳାମଲ୍ଲୀ କଳା ଧାନ’ ଏବଂ ‘ଜାସମିନ୍ ଧାନ’ ସାମିଲ ରହିଛି । ଯାହାକୁ ହରିୟାଣାରେ ଥିବା ପ୍ରତୀତି ଅର୍ଗାନିକ ଫୁଡ୍ସ କେନ୍ଦ୍ରକୁ ମିଲିଂ ଏବଂ ପ୍ୟାକେଜିଂ ପାଇଁ ପଠାଯିବ।
ଏହାପରେ ଆନ୍ତର୍ଜାତୀୟ ଗୁଣବତ୍ତା, ସ୍ୱଚ୍ଛତା ଏବଂ ମୂଲ୍ୟ ନିଶ୍ଚିତ କରି ଏହାକୁ ୟୁରୋପ ବଜାରକୁ ରପ୍ତାନି କରାଯିବ। ଏହି ବଜାର ସଂଯୋଗୀକରଣ ଦ୍ୱାରା ପାରମ୍ପରିକ ବଜାର ତୁଳନାରେ ଚାଷୀମାନେ ୪୦ ରୁ ୫୦ ପ୍ରତିଶତ ଅଧିକ ମୂଲ୍ୟ ପାଇପାରିବେ ବୋଲି ଆଶା କରାଯାଉଛି। ଫାର୍ମ ପ୍ରୋଡ୍ୟୁସର କମ୍ପାନୀ ମାଧ୍ୟମରେ ଏକତ୍ରୀକରଣ, ଜୈବିକ ଉତ୍ପାଦନ, ମୂଲ୍ୟ ସଂଯୋଜନ ଏବଂ ବିଶ୍ୱ ବଜାରକୁ ସିଧାସଳଖ ପ୍ରବେଶ ଚାଷୀଙ୍କ ଆୟକୁ କିଭଳି ବହୁଗୁଣିତ କରିପାରିବ ଏହା ତାର ଏକ ବଡ଼ ଉଦାହରଣ।
ସଭାକୁ ସମ୍ବୋଧିତ କରି ଅତିଥିମାନେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଧାନ ଚାଷ, ଜୈବିକ କୃଷି, ଚାଷୀଚାଳିତ ଉଦ୍ୟୋଗ ଏବଂ ରପ୍ତାନିଭିତ୍ତିକ ମୂଲ୍ୟ ଶୃଙ୍ଖଳାକୁ ପ୍ରୋତ୍ସାହିତ କରିବା ପାଇଁ ଚାଲିଥିବା ପ୍ରୟାସକୁ ପ୍ରଶଂସା କରିଥିଲେ। ସେମାନେ ଗୁରୁତ୍ୱ ଦେଇ କହିଥିଲେ ଯେ ଉନ୍ନତ କୃଷିଜାତ ଦ୍ରବ୍ୟ ପାଇଁ ବଜାର ସଂଯୋଗୀକରଣକୁ ମଜବୁତ କରିବା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ହେବ, ମହିଳା ଉଦ୍ୟୋଗୀମାନେ ସଶକ୍ତ ହେବେ ଏବଂ ଆନ୍ତର୍ଜାତୀୟ ବଜାରରେ ଓଡ଼ିଶା ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସ୍ୱତନ୍ତ୍ର ଧାନର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ ହୋଇପାରିବ।
କେନ୍ଦୁଝରରୁ ଏହି ସଫଳ ପରିବହନ କେବଳ ଏକ ବ୍ୟବସାୟିକ ଚାଲାଣ ନୁହେଁ ଏହା ବିଶ୍ୱର ଗ୍ରାହକମାନଙ୍କ ପାଇଁ ଉଚ୍ଚ ଗୁଣବତ୍ତାର ଧାନ ଉତ୍ପାଦନ କରିବାରେ ଓଡ଼ିଶାର ଚାଷୀଙ୍କ ବଢୁଥିବା ଆତ୍ମବିଶ୍ୱାସକୁ ଦର୍ଶାଉଛି। ଓଡ଼ିଶା ସରକାର, ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ଫାର୍ମର ପ୍ରୋଡ୍ୟୁସର କମ୍ପାନୀ ଏବଂ ବେସରକାରୀ କ୍ଷେତ୍ରର ସହଯୋଗୀମାନଙ୍କ ମଧ୍ୟରେ ଏହି ସହଭାଗିତା ସାମଗ୍ରିକ କୃଷି ବିକାଶ ପାଇଁ ଏକ ଅନୁକରଣୀୟ ମଡେଲ ସୃଷ୍ଟି କରିଛି। ଏହି ସ୍ମରଣୀୟ ପ୍ରଥମ ରପ୍ତାନିଭିତ୍ତିକ ଚାଲାଣ ସହିତ କେନ୍ଦୁଝର ସମଗ୍ର ଓଡ଼ିଶା ପାଇଁ ଏକ ନୂତନ ପଥ ପ୍ରଦର୍ଶିତ କରିପାରିଛି । ଏହି ପଦକ୍ଷେପ ପ୍ରମାଣିତ କରୁଛି ଯେ ବୈଜ୍ଞାନିକ ସହାୟତା, ଜୈବିକ ଉତ୍ପାଦନ ପଦ୍ଧତି ଏବଂ ଦୃଢ଼ ବଜାର ସହଭାଗିତା ବଳରେ ଓଡ଼ିଶାର ଅନନ୍ୟ ସ୍ୱତନ୍ତ୍ର ଧାନ ଆନ୍ତର୍ଜାତୀୟ ବଜାରରେ ସଫଳତାର ସହ ପହଞ୍ଚିପାରିବ, ଯାହା ଚାଷୀଙ୍କୁ ଅଧିକ ଆୟ ପ୍ରଦାନ କରିବା ସହ ସ୍ଥାୟୀ କୃଷିକୁ ଆଗକୁ ବଢ଼ାଇବାରେ ବେଶ ସହାୟକ ହେଇପାରିବ।
