କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବଣପାହାଡଘେରା କେନ୍ଦୁଝର ଜିଲାର ପାରମ୍ପରିକ ବନବାସୀ ବନ୍ୟଜାତ ସାମଗ୍ରୀ ଉପରେ ନିର୍ଭର କରି ବର୍ଷତମାମ୍ ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି । ବିଶେଷକରି ଜିଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ, ଯୋଡା ଓ ସଦର ବ୍ଳକ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଗ୍ରୀଷ୍ମଋତୁରେ ଆମ୍ବ, ପଣସ, ଜାମୁ ସମେତ ସୁସ୍ବାଦୁ କୋଳି ଜଙ୍ଗଲରୁ ସଂଗ୍ରହ କରି କେନ୍ଦୁଝର ସହରରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରିଥାନ୍ତି।
ବର୍ଷା ଋତୁରେ ନିକଟସ୍ଥ ଜଙ୍ଗଲରୁ ସକାଳ ବେଳା ବିଭିନ୍ନ କିସମର ଛତୁ ସଂଗ୍ରହ କରି ବିକ୍ରି କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ବାଂଶପାଳ ବ୍ଲକ ସାପକଣ୍ଟା ଗ୍ରାମର ଆଦିମ ଜନଜାତି ଭୂୟାଁ ସମ୍ପ୍ରଦାୟର ମହିଳା ମାନେ ଗତ କିଛିଦିନ ଧରି ଜଙ୍ଗଲରୁ ପତର ଛତୁ, ମଣ୍ଡା ଛତୁ, ରୁଟୁକା ଛତୁ ସଂଗ୍ରହ କରି ସହରର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ପତର ଛତୁ ଓ ମଣ୍ଡା ଛତୁର ଚାହିଦା କମ୍ ଥିବାରୁ ଏହା କମ୍ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ରୁଟୁକା ଛତୁର ଚାହିଦା ବହୁତ ଥିବାରୁ ଏହା କିଲୋ ପ୍ରତି ୬୦୦ରୁ ୮୦୦ଟଙ୍କାରେ ବିକ୍ରି ହେଉଛି। ଏତଦ୍ବ୍ୟତୀତ ବିହୁଡୁଣୀ ଛତୁ ଓ ବାଲି ଛତୁର ଚାହିଦା ଅଧିକ ଥିବାରୁ ଏହି କିଲୋ ପ୍ରତି ୮୦୦ରୁ ୧୦୦୦ଟଙ୍କାରେ ବିକ୍ରି ହେଉଛି।
ତେବେ ଛତୁ ସଂଗ୍ରହ କରି କେନ୍ଦୁଝର ସହରକୁ ଆସୁଥିବା ଆଦିମ ଜନଜାତିର ଏହି ମହିଳା ମାନେ ଅନେକ ସମୟରେ ବେପାରୀଙ୍କ ହାବୁଡରେ ପଡି କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ସଂଗୃହୀତ ସାମଗ୍ରୀର ବଜାର ସୁଯୋଗ ସୃଷ୍ଟି ସହ କିଭଳି ବେପାରୀଙ୍କ ଶୋଷଣର ଶିକାର ନହେବେ ସେଥିପ୍ରତି ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ଭୂୟାଁ ସାଂସ୍କୃତିକ ସଙ୍ଗଠନ ସମ୍ପାଦକ ଶ୍ୟାମସୁନ୍ଦର ନାଏକ ଦାବି କରିଛନ୍ତି ।
