ରାଜ୍ୟରେ ଆଇନଶୃଙ୍ଖଳା ଅବନ୍ନତି ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ବିଜୁ ଜନତା ଦଳ ମହିଳା ଶାଖା ତରଫରୁ ମହିଳାଙ୍କୁ ଶତକଡା ୩୩ପ୍ରତିଶତ ସଂରକ୍ଷଣ ସହ ନାରୀ ନିର୍ଯ୍ୟାତନା ନିୟନ୍ତ୍ରଣ କରିବାକୁ ଦାବିରେ ବୁଧବାର ପୂର୍ବାହ୍ନରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ବିଜୁ ଜନତା ଦଳର ସଭାପତି ଆଶିଷ ଚକ୍ରବର୍ତ୍ତୀ ଓ ଜିଲ୍ଲା ବିଜୁ ଜନତା ଦଳ ମହିଳା ଶାଖା ସଭାନେତ୍ରୀ କମଳିନୀ ପାତ୍ରଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

         ଆୟୋଜିତ ଏକ ସଂକ୍ଷିପ୍ତ ସଭାରେ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ନିଜ ବକ୍ତବ୍ୟରେ ମହିଳା ସଂରକ୍ଷଣ ଅଧିନିୟମର ତ୍ୱରିତ କାର୍ଯ୍ୟକାରୀ କରିବା ସହ ମହିଳାମାନଙ୍କ ପ୍ରତି ବଢି ଚାଲିଥିବା ନୃଶଂସ ନିର୍ଯ୍ୟାତନାକୁ ଗତ କିଛିଦିନ ଧରି ସାରା ଦେଶରେ ମହିଳା ସଂରକ୍ଷଣକୁ ନେଇ ବ୍ୟାପକ ପ୍ରଚାର ଚାଲିଛି । ପାର୍ଲାମେଣ୍ଟରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଆଡେ ନାରୀ ଅଧିକାର ଓ ସଶକ୍ତିକରଣର ବଡ ବଡ ଭାଷଣବାଜି ଚାଲିଛି । କିନ୍ତୁ ପ୍ରକୃତରେ ମହିଳାମାନଙ୍କ ରାଜନୈତିକ, ସାମ୍ବିଧାନିକ ଅଧିକାର ଓ ସାମାଜିକ ସୁରକ୍ଷା ଆଜି ମଧ୍ୟ ବଡ ପ୍ରଶ୍ନବାଚୀ ହୋଇ ରହିଛି ।

ବିଜେଡି ମହିଳା ଶାଖା ପକ୍ଷରୁ କେନ୍ଦୁଝରରେ ନାରୀ ଅଧିକାର ଅଭିଯାନ

   ନାରୀମାନଙ୍କ ଅଧିକାର ପାଇଁ ନାରୀମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ବିଜୁ ବାବୁ ହିଁ ଥିଲେ ଯୁଗ ପ୍ରବର୍ତ୍ତକ । ପଞ୍ଚାୟତରାଜ ସଂସ୍ଥାଠାରୁ ଆରମ୍ଭ କରି ସରକାରୀ ଚାକିରୀ କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷଣ ଭଳି ସାହସିକ ପଦକ୍ଷେପ ନେଇ ବିଜୁ ବାବୁ ଇତିହାସ ସୃଷ୍ଟି କରି ଯାଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ନବୀନ ବାବୁଙ୍କ ସରକାର ପଞ୍ଚାୟତରାଜ ଓ ପୌର ସଂସ୍ଥାରେ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତ ବୃଦ୍ଧି କରିଥିଲେ । ୨୦୧୯ ଓ ୨୦୨୪ ନିର୍ବାଚନରେ ଲୋକସଭା ପାଇଁ ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମହିଳାମାନଙ୍କୁ ୩୩ ପ୍ରତିଶତ ଟିକେଟ ମଧ୍ୟ ଦେଇଥିଲେ । ମହିଳା ସଂରକ୍ଷଣ ବିଜୁ ଜନତା ଦଳର ସବୁ ସମୟରେ ପ୍ରଥମ ଆଭିମୁଖ୍ୟ ରହିଛି ଓ ରହିଥିବ ।

         ମହିଳା ସଂରକ୍ଷଣ ବିଲ୍ ୨୦୨୩କୁ ପାର୍ଲାମେଣ୍ଟରେ ବିଜୁ ଜନତା ଦଳ ଦୃଢ ଭାବରେ ନିଃସର୍ତ୍ତ ସମର୍ଥନ କରିଥିଲା । ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାର ବିଭିନ୍ନ ଆଳ ଦେଖାଇ ଏହାକୁ ଲାଗୁ କଲେ ନାହିଁ । ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ଲୁକ୍କାୟିତ ଭାବରେ ମହିଳା ସଂରକ୍ଷଣ ବିଲ୍ ନାଁରେ ପାରିତ କରିବାର ଅପଚେଷ୍ଟା ଓ ହୀନ ଚକ୍ରାନ୍ତ କରିଥିଲେ । ବିଜେଡି ଦୃଢ ଦାବି କରିଛି ଯେ, ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉଭୟ ଲୋକସଭା ଓ ବିଧାନସଭାରେ ତୁରନ୍ତ ଲାଗୁ କରାଯାଉ । ବର୍ତ୍ତମାନ ଲୋକସଭାରେ ସ୍ଥାନ ସଂଖ୍ୟା ଭିତ୍ତିରେ ଏହି ୩୩ ପ୍ରତିଶତ ସଂରକ୍ଷଣ ମହିଳାମାନଙ୍କୁ ଦିଆଯାଉ । ସୀମା ନିର୍ଦ୍ଧାରଣ ବିଲ୍ ସହିତ ମହିଳା ସଂରକ୍ଷଣକୁ ଯୋଡି ମହିଳାଙ୍କ ଭିତରେ ବିଭ୍ରାନ୍ତି ସୃଷ୍ଟି କରାଯାନଯାଉ ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ।

        ଜିଲ୍ଲା ବିଜୁ ଜନତା ଦଳର ମହିଳା ଶାଖା ସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭାନେତ୍ରୀ କମଳିନୀ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡିଶା ଆଜି ମହିଳା ହିଂସା ଓ ଅପରାଧର ପେଣ୍ଠସ୍ଥଳୀ ପାଲଟିଗଲାଣି । କ୍ରମାଗତ ଭାବରେ ମହିଳା ହିଂସା, ଯୌନ ଉତ୍ପୀଡନ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ଅପରାଧ ତଥ୍ୟ ପରିସଂଖ୍ୟାନ ବା ଏନସିଆରବି ରିପୋର୍ଟ ଅନୁଯାୟୀ, ମହିଳା ଯୌନ ନିର୍ଯ୍ୟାତନା କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମସ୍ଥାନ ଅଧିକାର କରିଛି । ପ୍ରତ୍ୟେକ ଦିନ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ମହିଳାଙ୍କୁ ହତ୍ୟା ଭଳି ବର୍ବରୋଚିତ ଅମାନୁଷିକ କାଣ୍ଡ ଘଟି ଚାଲିଛି । ଶାନ୍ତିପ୍ରିୟ ଓଡିଶା ଆଜି ସାରା ପୃଥିବୀରେ ଲଜ୍ଜିତ ଓ ନିନ୍ଦିତ ହୋଇଛି । ମହିଳାଙ୍କ ଉପରେ ଅତ୍ୟାଚାରକୁ ଦେଖି ଯୁକ୍ତରାଷ୍ଟ୍ର ଆମେରିକା ଓଡିଶା ନଯିବାକୁ ମାର୍ଗଦର୍ଶିକା ଜାରି କଲା । ଜଣେ ମହିଳାଙ୍କ ମୃତ୍ୟୁକୁ ପ୍ରମାଣ କରି ନିଜ ପ୍ରାପ୍ୟ ପାଇବାକୁ ଯାଇ ଭାଇକୁ ଭଉଣୀର କଙ୍କାଳ ଖୋଳି ବ୍ୟାଙ୍କକୁ ନେବା ଭଳି ଅଭାବନୀୟ ଘଟଣା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । ଏହା ଏକ ସମ୍ବେଦନହୀନ ରାଜ୍ୟ ସରକାରଙ୍କ ପ୍ରଶାସନିକ ଚରମ ଅବହେଳା ଓ ଉତ୍ତରଦାୟିତ୍ୱ ହୀନତାକୁ ଦର୍ଶାଉଛି ବୋଲି ଶ୍ରୀମତୀ ପାତ୍ର କହିଥିଲେ ।

         ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର ନିଜ ବକ୍ତବ୍ୟରେ ବିଗତ ୨ ବର୍ଷରେ ସରକାରଙ୍କ ଅପାରଗତା, ବିଫଳତା ତଥା ଅପରାଧ ନିୟନ୍ତ୍ରଣରେ ଚରମ ଉଦାସିନତା ହେତୁ ୪୮,୦୦୦ ମହିଳା ହିଂସା ଓ ଯୌନ ନିର୍ଯ୍ୟାତନା ମାମଲା ଥାନାରେ ରେକର୍ଡ ହୋଇଛି । ବିଗତ ଏକ ସପ୍ତାହ ଭିତରେ ଘଟିଥିବା ହୃଦୟ ବିଦାରକ ଓ ଅମାନୁଷିକ ଅପରାଧ ଓଡିଶାର ଭାବମୂର୍ତ୍ତିକୁ ଆହୁରି କ୍ଷୁର୍ଣ୍ଣ କରିଛି । ଢ଼େଙ୍କାନାଳର ଭାପୁରରେ ମହିଳାଙ୍କୁ ଦୁଷ୍କର୍ମ କରି ମୁହଁକୁ ପଥରରେ ଛେଚି ଦିଆଗଲା, ହିଞ୍ଜିଳିରେ ଜଣେ ଗର୍ଭବତୀ ମହିଳାଙ୍କୁ ୩ ବର୍ଷର ଶିଶୁକନ୍ୟା ସାମ୍ନାରେ ହତ୍ୟା କରାଗଲା, ବରଗଡରେ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଦିଆଗଲା । ବାଲିଅନ୍ତାରେ ବୃଦ୍ଧ ମାଆଙ୍କ ଏକମାତ୍ର ପୁତ୍ରକୁ ପୋଲିସ ସମ୍ମୁଖରେ ପିଟିପିଟି ମାରି ଦିଆଗଲା । ବାଲିପାଟଣାରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯିବା ଭଳି ହିଂସା ଘଟଣାରେ ସରକାରଙ୍କ ଉପରୁ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ଉଠିଯାଉଛି । ଜଣାପଡୁଛି ଓଡିଶାରେ ଆଇନର ଶାସନ ନାହିଁ ବୋଲି ଶ୍ରୀ ସର୍ଦ୍ଦାର କହିଥିଲେ।

        ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ ନିଜ ବକ୍ତବ୍ୟରେ ୨୦୨୩ ମସିହାରେ ପାର୍ଲାମେଣ୍ଟରେ ଗୃହୀତ ହୋଇ ଆଇନରେ ପରିଣତ ହୋଇଥିବା ମହିଳା ସଂରକ୍ଷଣ ବିଲକୁ ତୁରନ୍ତ ଲାଗୁ କରାଯାଇ ୩୩ ପ୍ରତିଶତ ଲୋକସଭାରେ ଓ ବିଧାନସଭାରେ ମହିଳା ସଂରକ୍ଷଣକୁ ଲାଗୁ କରାଯାଉ ବୋଲି କହିଥିଲେ । ଓଡିଶାରେ ଗତ ୨ ବର୍ଷ ଭିତରେ କ୍ରମାଗତ ଭାବରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ଉପରେ ରୋକ ଲଗାଇବାକୁ ଦୃଢ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି ।

        ନାରୀ ଅଧିକାର ଅଭିଯାନ ଅବସରରେ ବିଜେଡି ରାଜ୍ୟ ମହିଳା ଉପସଭାପତି ମୀନା ମାଝୀ, ଜିଲ୍ଲାପରିଷଦ ସଭାପତି ସାଗରୀକା ସାହୁ, ଜିଲ୍ଲାପରିଷଦ ସଦସ୍ୟ ରଥ ମୁଣ୍ଡା, ଅରୁଣ ବାରିକ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ଆଦିବାସୀ ନେତା ସତ୍ୟବ୍ରତ ନାଏକ, ସଦର ବ୍ଲକ ବିଜେଡି ସଭାପତି ଚକ୍ରଧର ପରିଡା, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ଝୁମ୍ପୁରା ବ୍ଲକ ସଭାପତି ଡ଼ମ୍ବୁରୁଧର ଦାସ, ସଦର ବ୍ଲକ ଯୁବ ସଭାପତି ଟିକିନା ବ୍ରହ୍ମ, ରାଜୁ ବାରିକ, ଜଗଦୀଶ ଆପଟ, ଭୀମସେନ ଟୁଡୁ, ରାଧାକାନ୍ତ ନାଏକ, ହାଣ୍ଡିଭଙ୍ଗା ସରପଞ୍ଚ ପୂର୍ଣ୍ଣମୀ ସର୍ଦାର, ନାରୀନେତ୍ରୀ ଗୀତାଞ୍ଜଳି ମହାନ୍ତି, ରୁନୁ ମଲ୍ଲିକ, ଗୋଲାପ ନାଏକ, ମଞ୍ଜୁଲତା ନାୟକ, କୁମଦୁନୀ ନାଏକ, ଝରଣା ମହାରଣା, ଅଞ୍ଜଳି ନାଏକ, ତୁଳସୀ ମହାନ୍ତଙ୍କ ସମେତ ସହସ୍ରାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *