ଆତ୍ମସମୀକ୍ଷା ପୂର୍ବକ ଭଲ ମଣିଷ ହୁଅ-କୁଳପତି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡିଶା ମାଧ୍ଯମିକ ଶିକ୍ଷା ପରିଷଦ ପରିଚାଳିତ-୨୦୨୬ ଦଶମଶ୍ରେଣୀ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ଶ୍ରେଷ୍ଠ ମେଧାଙ୍କୁ ସମ୍ବର୍ଦ୍ଧିତ କରିଛି ସ୍ୱେଚ୍ଛାସେବୀ ସଙ୍ଗଠନ ‘ସହାୟତା’ । ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝର ସଭା ଗୃହରେ ସହାୟତାର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଞ୍ଚମ ମାଟ୍ରିକ ମେଧା ସମ୍ବର୍ଦ୍ଧନା ସମାରୋହରେ ଧରଣୀଧର ବିଶ୍ବବିଦ୍ୟାଳୟ କେନ୍ଦୁଝରର କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ଶିକ୍ଷା ସହିତ ଆତ୍ମସମୀକ୍ଷା ପୂର୍ବକ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ।

           ମାଟ୍ରିକ ମେଧାଙ୍କୁ ସମ୍ବର୍ଦ୍ଧିତ କଲା ‘ସହାୟତା’

      ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କର ମଙ୍ଗଳ କାମନା କରିବା ସହ ପରବର୍ତ୍ତୀ ସମୟରେ  ଅଧିକ ଉତ୍ତମ ଫଳାଫଳ ପାଇଁ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ଆହ୍ୱାନ ଦେଇଥିଲେ। ସଦର ବିଇଓ ଓଁକାର ଅନ୍ଵେଷ, ଦାନୀ ଗୃପ ଅଫ୍ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ବସନ୍ତ କୁମାର ଦାନୀ, ସହାୟତା କୋଷାଧ୍ୟକ୍ଷ ମଦନମୋହନ ଦ୍ୱିବେଦୀ , ଚିନ୍ତାମଣି ଜେନା ଓ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜୟପ୍ରକାଶ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ଉପଦେଶ ଛଳରେ ଭଲ ମଣିଷ ହୋଇ ଦେଶ ବିକାଶରେ ନିଜକୁ ନିୟୋଜିତ କରି କେନ୍ଦୁଝର ଜିଲ୍ଲାର ସୁନାମ ବୃଦ୍ଧି ପାଇଁ ଆହ୍ୱାନ ଜଣାଇଥିଲେ।

        ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲାର ଶ୍ରେଷ୍ଠ ୧୨ଜଣ ସମେତ ବ୍ଲକ ଓ ପୌରାଞ୍ଚଳସ୍ତରୀୟ ଶ୍ରେଷ୍ଠ ୧୩ ଜଣ ଓ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଡି.ଏନ୍. ହାଇସ୍କୁଲ ଅଧିନରେ ପରୀକ୍ଷା ଦେଇ ସଫଳତା ହାସଲ କରିଥିବା ଜିଲ୍ଲାର ଏକମାତ୍ର ତୃତୀୟଲିଙ୍ଗୀ ଛାତ୍ରୀଙ୍କୁ ପୁଷ୍ପ, ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଶ୍ରେଷ୍ଠ ଛାତ୍ରଛାତ୍ରୀ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୨୦ଜଣ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।

        ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ ଅବସରରେ ସଭାର ଉଦ୍ଦେଶ୍ୟ ତଥା ‘ସହାୟତା’ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସହାୟତା ସଦସ୍ୟ ବାବୁଲାଲ ପ୍ରଧାନ, ନରେନ୍ଦ୍ର ପ୍ରଧାନ, କାଶିନାଥ ମହାନ୍ତ, ଗୌରହରି ଗିରି, ଲମ୍ବୋଦର ମହାନ୍ତ, ପ୍ରସନ୍ନ ପରିଡ଼ା, ନଳିନୀ ଚନ୍ଦ୍ର ଘଣା, ସୁଧାକର ପଣ୍ଡା, ରବିନାରାୟଣ ସାହୁ, କାହ୍ନୁ ଚରଣ ସାମଲ, ବଳରାମ ରାଉତ, ବାଙ୍କ ବିହାରୀ ମହାନ୍ତ, ଭାଗିରଥି ଗିରି, ମନ୍ମଥ ମହାନ୍ତଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଅଜ୍ଞାନ କୁମାର ଚାନ୍ଦ ଓ କର୍ମଚାରୀ ସହଯୋଗ କରିଥିଲେ। ସହାୟତାର ବରିଷ୍ଠ ସଦସ୍ୟ ସୁଶୀଲ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଷୀରୋଦ କୁମାର ରାଉତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *