କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବିହାର ରାଜନୀତିରେ ବଡ଼ ଓଲଟପାଲଟ । ବିଜେପିର ଗଡ଼ ଭାବେ ପରିଚିତ ବାଙ୍କିପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ୧୯ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ନିଜର ପ୍ରଥମ ନିର୍ବାଚନୀ ବିଜୟ ହାସଲ କରିଛନ୍ତି ପ୍ରଶାନ୍ତ ।
ନିର୍ବାଚନ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ୫୯ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ନୀରଜ କୁମାର ପ୍ରାୟ ୪୦ ହଜାର ଭୋଟରେ ସୀମିତ ରହିଥିଲେ। ଆରଜେଡି ପ୍ରାର୍ଥୀ ରେଖା କୁମାରୀ ତୃତୀୟ ସ୍ଥାନରେ ରହିଥିଲେ।୧୯୯୫ ମସିହାରୁ ବିଜେପି ନିୟନ୍ତ୍ରଣରେ ଥିବା ବାଙ୍କିପୁର ଆସନରେ ଏହି ବିଜୟ ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ଜୀବନର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।

ଦୀର୍ଘ ୩ ଦଶନ୍ଧି ଧରି ବିଜେପିର ଦଖଲରେ ଥିବା ଏହି ଆସନରେ ଜନ ସୁରାଜ ପାର୍ଟିର ବିଜୟ ବିହାର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ବିଜେପି ନେତା ନିତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବାଙ୍କିପୁର ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହାପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।
