ଡକାୟତି ଉଦ୍ୟମ ବିଫଳ:ଘର ମାଲିକଙ୍କୁ ଗୁଳି କରି ଫେରାର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଫାଣ୍ଡି ଅଧିନ ତୋରାଣିପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତୀନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏହି ଘଟଣା ଘଟିବା ପରେ ଗୁରୁତର ଯତୀନ୍ଦ୍ରଙ୍କୁ ପ୍ରଥମେ କେନ୍ଦୁଝର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘରେ ପଶିଥିବା ୪ ଡକାୟତଙ୍କ ମଧ୍ୟରୁ ଜଣେ ମୁଖା ପିନ୍ଧିଥିବା ବେଳେ ଅନ୍ୟମାନଙ୍କ ମୁହଁ ଖୋଲା ରଖିଥିଲେ। ତାଙ୍କୁ ଘର ଲୋକେ ଚିହ୍ନି ପାରି ନଥିଲେ।

     ପ୍ରଥମେ ଡକାୟତ ମାନେ ତାଙ୍କ ବାଡିପଟ ଅଣ ଅଶାରିଆ କବାଟ ଖୋଲି ଘରେ ପଶିବା ପରେ ଏହି କାଣ୍ଡ ଘଟାଇଛନ୍ତି। ଗୁଳି ଶବ୍ଦ ଶୁଣି ଲୋକେ ପାଟି କରିବାରୁ ଡକାୟତି କରି ନପାରି ସେମାନେ ଫେରାର ହୋଇଯାଇଛନ୍ତି। ଖବର ପାଇ ଘଟଗାଁ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଘଟଗାଁ ଥାନାଧିକାରୀ ଶୁଭ୍ରାଂଶୁ କୁମାର ଜେନା, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଡକାୟତଙ୍କ ପତ୍ତା ମିଳିନାହିଁ।

ସୋମବାର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଗୁଳି ମାଡ ସ୍ଥାନରେ ରକ୍ତ ଛିଟା ପଡ଼ିଛି। ଯତୀନ୍ଦ୍ରଙ୍କ କୌଣସି ପୂର୍ବ ଶତ୍ରୁତା ବା କାହା ସହିତ କଳି ଝଗଡ଼ା ନଥିବାରୁ ଏହା ଡକାୟତ ମାନଙ୍କ କାମ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *