କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ବନଖଣ୍ଡ ଅଧିନ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ ହାତୀପଲକୁ ଉତ୍ତ୍ୟକ୍ତ କରିବା ଅଭିଯୋଗରେ କେନ୍ଦୁଝର ବନଖଣ୍ଡ ପକ୍ଷରୁ ୨ଜଣ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦୁଝର ରେଞ୍ଜ ମଇଦାନକେଲା ବିଟ୍ ଅନ୍ତର୍ଗତ ଜାମୁନାଳିଆ ଗ୍ରାମ ନିକଟସ୍ଥ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ ଜୁଲାଇ ୩୧ ତାରିଖରେ ହାତୀପଲଙ୍କ ଉପରକୁ ପଥର ଫିଙ୍ଗିବା ଓ ଭିଡିଓ ରେକର୍ଡ କରି ସେମାନଙ୍କୁ ବିଚଳିତ ତଥା ଉତ୍ତ୍ୟକ୍ତ କରିବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଚମ୍ପୁଆ ଥାନା ପାଞ୍ଚପୋଖରିଆ ଗ୍ରାମର ମିହିର କୁମାର ନାଏକ (୨୧) ଏବଂ ଯୋଡ଼ା ଥାନା କୁଡାପି ଗ୍ରାମର ବିଜୟ କୁମାର ମହାନ୍ତ (୨୨) ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଗିରଫ ହେବା ପରେ ୨ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ବନ୍ଧୀୟ ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ କୋର୍ଟ ଚାଲାଣ କରାଯାଇଥିବା କେନ୍ଦୁଝର ଡିଏଫଓ ଧନରାଜ ଏଚ୍.ଡି କହିଛନ୍ତି ।
କେନ୍ଦୁଝର ବନଖଣ୍ଡ ପୁନର୍ବାର ସ୍ପଷ୍ଟ କରୁଛି ଯେ, ବନ୍ୟପ୍ରାଣୀଙ୍କୁ ବିଚଳିତ କରିବା, ଉତ୍ତ୍ୟକ୍ତ କରିବା କିମ୍ବା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଏକ ଗୁରୁତର ଅପରାଧ ଅଟେ । ଏଥିପାଇଁ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ବନ୍ୟପ୍ରାଣୀଙ୍କ ଠାରୁ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ, ସେମାନଙ୍କୁ ବିଚଳିତ କରିପାରୁଥିବା କୌଣସି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ଏବଂ ବନ୍ୟପ୍ରାଣୀ ସମ୍ବନ୍ଧୀୟ କୌଣସି ଘଟଣା ଘଟିଲେ ତୁରନ୍ତ ନିକଟସ୍ଥ ବନ ବିଭାଗ କାର୍ଯ୍ୟାଳୟକୁ ସୂଚନା ଦେବାକୁ ଡିଏଫଓ କହିଛନ୍ତି ।
