ଵନ୍ଧା ହେଲେ କୋଟିପତି ଯନ୍ତ୍ରୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର):ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲିଗୁଡ଼ା ଆଇଟିଡିଏର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ଘର, ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍‌ ହୋଇଛି।

    ଭୁବନେଶ୍ବର କେଶୁରାସ୍ଥିତ ଏକ ବ୍ୟାଙ୍କର ଦୁଇଟି ଲକରରୁ ନଗଦ ୨ କୋଟି ୪ଲକ୍ଷ ୧୪ ହଜାର ଟଙ୍କା ମିଳିଛି। ମେସିନ୍‌ରେ ଟଙ୍କା ଗଣି ହାଲିଆ ହୋଇ ଯାଇଥିଲେ ଅଧିକାରୀ। ଅନୁରୂପ ଭାବେ ଭୁବନେଶ୍ବରସ୍ଥିତ କାନନବିହାର ଫେଜ୍-୧ର ଥିବା ଦୁଇ ମହଲା କୋଠା କୌଣସି ରାଜମହଲ ଠାରୁ କମ୍‌ ନୁହେଁ। ଦାମୀ ଖଟ, ସେନ୍ସର ମିରର୍‌, ସେନ୍ସର ଡଷ୍ଟବିନ୍‌ ସାଙ୍ଗକୁ ଦାମୀ ଜିନିଷରେ ବାବୁଙ୍କ ଘର ଭର୍ତ୍ତି ହୋଇ ରହିଛି। ଘରର ଇଣ୍ଟେରିୟର ଡିଜାଇନ ଓ ଖଞ୍ଜା ଯାଇଥିବା ଶୋ-ପିସ୍ ଦେଖିଲେ ଆଖି ଟେରା ହୋଇଯିବ।

      ଶନିବାର ବୈକୁଣ୍ଠଙ୍କ ଭୁବନେଶ୍ବରସ୍ଥିତ ଘର ସମେତ ବାରିପଦା, ଯାଜପୁର ଓ ବାଲିଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉ ସମୟରେ ବୈକୁଣ୍ଠଙ୍କ ୫ଟି ବହୁତଳ କୋଠା ଓ ୧୪ଟି ଦାମୀ ପ୍ଲଟ୍ ଆଦି ଅଚଳାଚଳ ସମ୍ପତ୍ତି ଠାବ କରାଯାଇଛି।

      ଭିଜିଲାନ୍ସ ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାରରେ ବୈକୁଣ୍ଠଙ୍କ ୪ ମହଲା ଘର, ଶୈଳଶ୍ରୀବିହାରରେ ୩ ମହଲା ଘର, କାନନବିହାର ଫେଜ୍‌-୧ରେ ଦୁଇ ମହଲା କୋଠା, ଚନ୍ଦ୍ରଶେଖରପୁରରେ ଦୁଇ ମହଲା କୋଠା, ଯାଜପୁର ଧର୍ମଶାଳାରେ ଦୁଇ ମହଲା କୋଠା ଠାବ କରାଯାଇଛି। ଏଥିସହ ଭୁବନେଶ୍ବରରେ ୮ଟି, ଧର୍ମଶାଳାରେ ୫ଟି ଓ ବାରିପଦାରେ ଗୋଟିଏ ପ୍ଲଟ ମିଳିଛି। ସେହିପରି ବ୍ୟାଙ୍କ ଓ ପୋଷ୍ଟାଲରେ ୪୫ ଲକ୍ଷର ଜମାରାଶି ଓ ୩୪୧ ଗ୍ରାମର ସୁନାଗହଣା ମିଳିଛି।

     ବୈକୁଣ୍ଠଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ଖୋଜୁଛି ଭିଜିଲାନ୍ସ। ଶନିବାର ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ନିର୍ଦେଶକ୍ରମେ ୯ଟି ଦଳ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସ୍‌ପି, ୫ ଡିଏସ୍‌ପି, ୬ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ବୈକୁଣ୍ଠଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯିବା ସହ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *