କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆସନ୍ତା ଅକ୍ଟୋବର ୯ ଓ ୧୦ ତାରିଖ ଦୁଇଦିନ ଧରି କେନ୍ଦୁଝର ଅଡିଟୋରିୟମରେ ଦୁଇଦିନିଆ ଜାତୀୟସ୍ତରୀୟ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ବେଳେ ରାଜ୍ୟ କଂଗ୍ରେସର ଦୁଇ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେବେ ବୋଲି ଆୟୋଜକ ନିରାକାନ୍ତ ଆର୍ଟ ଫାଉଣ୍ଡେସନ ଓ ଜୁମାକ୍ସ ଷ୍ଟୁଡିଓର ନିର୍ଦ୍ଦେଶକ ଅବିନାଶ ରାଉତ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଏତଦବ୍ୟତୀତ ରାଜ୍ୟ ଓ ଜାତୀୟସ୍ତରରେ ଖ୍ୟାତିସମ୍ପର୍ଣ୍ଣ ଲାଭ କରିଥିବା ଚଳଚ୍ଚିତ୍ର ତାରକାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ମହୋତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି । କେନ୍ଦୁଝରର ଏତିହ୍ୟ, କଳା, ସଂସ୍କୃତି ଓ ପ୍ରତିଭାକୁ ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଉଛି ବୋଲି ଶ୍ରୀ ରାଉତ କହିଛନ୍ତି । ଏହି ଉତ୍ସବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରୁ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, କଳାକାର ଓ ଚଳଚ୍ଚିତ୍ରପ୍ରେମୀ ଯୋଗଦେବେ। ଏହା ମାଧ୍ୟମରେ ନୂଆ ପ୍ରତିଭାଙ୍କୁ ନିଜ ସୃଜନଶୀଳତା ପ୍ରଦର୍ଶନ ପାଇଁ ଏକ ମଞ୍ଚ ମିଳିବ।
ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, କେନ୍ଦୁଝରର ଯୁବପୀଢ଼ି, କଳାକାର ଓ ଚଳଚ୍ଚିତ୍ର ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଏହି ମହୋତ୍ସବ ନୂଆ ସୁଯୋଗ ପ୍ରଦାନ କରିବ। ଚଳଚ୍ଚିତ୍ର ପ୍ରଦର୍ଶନ ସହ ଆଲୋଚନାଚକ୍ର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ। ଏହି ଚଳଚ୍ଚିତ୍ର ମହୋତ୍ସବର ନିର୍ଦ୍ଦେଶନା ଦାୟିତ୍ୱରେ ଅବିନାଶ ରାଉତ, ସହପ୍ରତିଷ୍ଠାତା ସୁଚିସ୍ମିତା ରାଉତ, ଇନ୍ଦ୍ରଧନୁ ପରିବାର ଶୁଭଶ୍ରୀ ପଟ୍ଟନାୟକ ଏବଂ କେନ୍ଦୁଝର ଫିଲ୍ମ ଫେଷ୍ଟିଭାଲ କ୍ରୁ-ସଦସ୍ୟା ଭାବେ ଇପ୍ସିତା ଘୋଷ ରହିଛନ୍ତି। କେନ୍ଦୁଝରରେ ଏଭଳି ଜାତୀୟସ୍ତରୀୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ଜିଲ୍ଲାର ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିବା ସହ ଚଳଚ୍ଚିତ୍ର ଓ ସୃଜନଶୀଳ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିବ ବୋଲି ନିର୍ଦ୍ଦେଶକ ଶ୍ରୀ ରାଉତ ଆଶାପ୍ରକଟ କରିଛନ୍ତି ।
