ସୀତାବିଞ୍ଜରେ ରଜ ମହୋତ୍ସବ ଆରମ୍ଭ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପୁରାଣ ପ୍ରସିଦ୍ଧ ପ୍ରାଚୀନ ପ୍ରତ୍ନତାତ୍ତ୍ଵିକ ଐତିହାସିକ ପୀଠ ତଥା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜ ଠାରେ ରବିବାର ଠାରୁ ଆରମ୍ଭ ହୋଇଛି ରଜ ମହୋତ୍ସବ । ସପ୍ତମ ଶତାବ୍ଦୀରୁ ଏହି ପୀଠ ନିଜର ଗାରିମା ସୃଷ୍ଟି କରି ଆସିଛି । ବିଶାଳ ପ୍ରସ୍ତରକୋଡ଼ରେ ମା’ ସୀତା ଠାକୁରାଣୀ ତାଙ୍କ ୨ ପୁଅ ଲବ ଓ କୁଶଙ୍କ ବିଗ୍ରହକୁ ନେଇ ଏଠାରେ ବିରାଜମାନ ହୋଇଛନ୍ତି ।

        ମା’ ସୀତା ଠାକୁରାଣୀଙ୍କ ପବିତ୍ର ରଜ ସଂକ୍ରାନ୍ତି ପର୍ବ ରବିବାର ଠାରୁ ୪ ଦିନବ୍ୟାପୀ ଏଠାରେ ବଡଧୂମଧାମରେ ପାଳିତ ହେବାକୁ ଯାଉଛି । ୨୦ନଂ ଜାତୀୟ ରାଜପଥ ଢେଙ୍କିକୋଟ ଠାରୁ ମାତ୍ର ୮କି:ମି ଦୂରରେ କୃଶାଙ୍ଗୀ ସୀତାନଈ କୂଳରେ ଅବସ୍ଥିତ ମା’ ଙ୍କ ଏହି ଦର୍ଶନୀୟ ସ୍ଥାନ । ପବିତ୍ର ରଜ ସଂକ୍ରାନ୍ତିରେ ମା ‘ ସୀତା ଠାକୁରାଣୀଙ୍କ ପୀଠରେ ହେବାକୁ ଯାଉଛି ବାର୍ଷିକ ପ୍ରସିଦ୍ଧ ରଜ ସଂକ୍ରାନ୍ତିର ବିଶେଷ ପୂଜାର୍ଚ୍ଚନା । ଏହି ଉପଲକ୍ଷେ ମା’ ଙ୍କୁ ବେଶ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା ଓ ମଙ୍ଗଳ ଆଳତି, ଶହ ଶହ ମାନସିକଧାରୀ ଭକ୍ତମାନଙ୍କ ମାନସିକ ପୂଜା ନୈବେଦ୍ୟ ମା’ଙ୍କୁ ଅର୍ପଣ କରାଯିବା ସହ ଏଠାରେ ଭକ୍ତଙ୍କ ଗୁହାରି ପୂଜା ମଧ୍ୟ ଅନୁଷ୍ଠିତ ହେଉଛି ।

       ମା’ ଙ୍କ ମହିମା ଏଠାରେ ଏପରି ଯେ, ରାଜ୍ୟ ତଥା ସୁଦୂର ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବହୁ ଭକ୍ତ ମାନସିକ ରଖି ପୁତ୍ର କାମନା କରି ଏଠାକୁ ଆସି ସଫଳତା ପାଇଥାନ୍ତି । ଏଠାରେ ରହିଛି ନୈସର୍ଗିକ ତଥା ପ୍ରାକୃତିକ ରମଣୀୟ ଭଣ୍ଡାରଘର , ଚତୁର୍ମୂଖୀ ବ୍ରହ୍ମାଙ୍କ ମୂର୍ତ୍ତି । ବିଭିନ୍ନ ପ୍ରକାରର ପ୍ରାକୃତିକ ରଙ୍ଗ ତୁଳୀରେ ବିଶାଳକାୟ ପଥର ଦେହରେ ସଜ୍ଜିତ ତଥା ବ୍ୟବହାର କରାଯାଇ ରାମ-ରାବଣ ଯୁଦ୍ଧ ପଟ୍ଟଭୂମିର ସୁନ୍ଦର ଚିତ୍ର, ରାବଣଛାୟା ଫ୍ରେସ୍ କୋ-ପେଣ୍ଟିଙ୍ଗ୍ ମଧ୍ୟ ଏଠାରେ ସର୍ନିବେଶିତ ହୋଇ ରହିଛି । ବହୁ ବିରାଟକାୟ ପ୍ରସ୍ତରରେ ଖୋଦିତ ଶିଳାଲିପି ସହ ବାଲ୍ମିକୀଙ୍କ ଆଶ୍ରମ ଓ ରୋଷଶାଳା ମଧ୍ୟ ଏଠାରେ ଶୋଭା ପାଉଛି।

       ସ୍ଥାନୀୟ ଲୋକଙ୍କ ଦ୍ୱାରା ସୃପଣଖା ନାମରେ ନାମିତ ଏଠାରେ ରହିଛି ପ୍ରାୟ ୭୦ ଫୁଟ ଉଚ୍ଚର ଏକ ନଣ୍ଡା ପାହାଡ, ଯାହାର ଦୁଇ ପାର୍ଶ୍ଵରେ ଦୁଇଟି ବିଶାଳ ଶିଳାକବାଟ ପ୍ରତୀୟମାନ । କିମ୍ବଦନ୍ତୀ ଅନୁସାରେ ମା’ ସୀତା ଠାକୁରାଣୀ ଲବକୁଶଙ୍କ ଜନ୍ମ ସମୟରେ ଏହି ସ୍ଥାନରେ ଅବସ୍ଥାନ କରିଥିବା ଜନଶ୍ରୁତିରୁ ଜାଣିବାକୁ ମିଳେ । ତେବେ ଏହି ମନୋରମ ପର୍ଯ୍ୟଟନସ୍ଥଳୀରେ ସମୟ ବିତାଇବା ପାଇଁ ଅନେକ ସମୟରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏଠାରେ ଥିବା ବହୁ କାରୁକାର୍ଯ୍ୟ ସହ ଏବେ ଏହି ସ୍ଥାନଟିକୁ ଆକର୍ଷଣୀୟ କରିବାଲାଗି ପ୍ରସ୍ତର ଉପରେ ମାତା ସୀତା ଲବକୁଶଙ୍କ ସ୍ଥାୟୀ ମୂର୍ତ୍ତି ନିର୍ମିତ ହେବା ସହ ପ୍ରସ୍ତର ମାନଙ୍କରେ ରାମାୟଣର ଗାଥା ସମ୍ବଳିତ ଚିତ୍ର ଅଙ୍କା ଯାଉଛି । ପୂର୍ଣ୍ଣ ଶିଳାରାଶିରୁ ଅନୁମାନ କରାଯାଏ ଯେ,ଏହାହିଁ ଥିଲା ରାମାୟଣର ମହର୍ଷି ବାଲ୍ମୀକିଙ୍କ ତପୋଭୂମି ଓ ତପସ୍ୟାର ସ୍ଥାନ ।

      ସମଗ୍ର କେନ୍ଦୁଝର ଜିଲ୍ଲାରେ କୃଷିଭିତ୍ତିକ ଗଣପର୍ବ ରଜ ପାଳନ ନେଇ ବିଭିନ୍ନ କିସମର ରଜଦୋଳି ସହ ପୁରରୁ ପଲ୍ଲୀ ଯାଏ ସାଂସ୍କୃତିକ ରଜନୃତ୍ୟ କାର୍ଯ୍ୟକ୍ରମରେ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସୀତାବିଞ୍ଜର ମା’ ସୀତା ଠାକୁରାଣୀ ମନ୍ଦିର ଟ୍ରଷ୍ଟ ତରଫରୁ ପରମ୍ପରା ଅନୁଯାୟୀ ଏଠାରେ ଯଥାବିଧି ସମସ୍ତ ପ୍ରସ୍ତୁତି ଓ ଆୟୋଜନ କରାଯାଇଅଛି । ଚଳିତବର୍ଷ ଏହି ପବିତ୍ର ରଜ ସଂକ୍ରାନ୍ତି ପର୍ବରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ଶ୍ରଦ୍ଧାଳୁ ପର୍ଯ୍ୟଟକ ତଥା ଜନସମାଗମଙ୍କ ଭିଡକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ପାନୀୟଜଳ, ପୋଲିସ ସୁରକ୍ଷା ଓ ଶୃଙ୍ଖଳାବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି । ଏଥିସହ ଶ୍ରଦ୍ଧାଳୁଙ୍କ ଲାଗି ଫାଷ୍ଟଏଡ଼୍ ଓ ଧାଡିଦର୍ଶନର ବ୍ୟବସ୍ଥା ମଧ୍ୟ ହାତକୁ ନିଆଯାଇଥିବା ଜଣାଯାଇଛି । ଏହି ରଜ ପର୍ବରେ ବହୁ ପ୍ରକାରର ଉଠାଦୋକାନୀଙ୍କ ସମାଗମ ସହ ମୀନାବଜାର ଦୋଳି ଓ ସାଂସ୍କୃତିକ ଲୋକ ନୃତ୍ୟରରେ ମହୋତ୍ସବ ମଧ୍ୟ ଆୟୋଜନ ହୋଇଥିବା ପ୍ରକାଶ।

Leave a Reply

Your email address will not be published. Required fields are marked *