ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଶୁକ୍ରବାର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ୧୯୩୮ ଜାନୁୟାରୀ ୨୦ ତାରିଖରେ ଜନ୍ମିତ ସ୍ୱର୍ଗତଃ ପଟ୍ଟନାୟକ ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ । ଓଡ଼ିଶୀ, ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ସଙ୍ଗୀତ ତଥା ଅନେକ ଚଳଚ୍ଚିତ୍ର ସଙ୍ଗୀତ ଗାନ କରି ସେ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପରିଚିତ ଥିଲେ ।

       ୧୯୫୮ ମସିହାରେ ପ୍ରଥମଥର ପାଇଁ ‘ମା’ ଚଳଚ୍ଚିତ୍ରରେ କଣ୍ଠଦାନ କରିବା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ । ବିଶେଷକରି ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଗୋଟିଏ ପରେ ଗୋଟେ ଗୀତ ବେଶ୍ ଲୋକପ୍ରିୟତା ସାଉଁଟିଥିଲା । ସେ ଓଡ଼ିଶା ସରକାରଙ୍କଠାରୁ ୭ ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର ଲାଭ କରିଥିଲେ । ସେ ଗାଇଥିବା ଗୀତ ଗୁଡିକ ମଧ୍ୟରେ ‘ଯାଆରେ ମାଝି ଯାଆ’, ‘ଇନ୍ଦ୍ରଧନୁର ସପ୍ତରଙ୍ଗ’, ‘ରେ ଆତ୍ମନ୍ ନିଦ୍ରା ପରିହର’, ‘ମା ତୁମେ ଜଗତର ସାହା ଭରସା’, ‘ଉଆଁସି ରାତି ପାହିଲା ମାଝି’ ଆଦି ଅନ୍ୟତମ । ଓଡ଼ିଆ ଓ ହିନ୍ଦୀ ସମେତ ଅନେକ ଆଞ୍ଚଳିକ ଭାଷାରେ ମଧ୍ୟ ସେ ଗୀତ ଗାଇଛନ୍ତି । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *