ଅକ୍ଟୋବର ୯ରୁ କେନ୍ଦୁଝର ଫିଲ୍ମ ଫେଷ୍ଟିଭାଲ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଇତିହାସରେ ପ୍ରଥମଥର ପାଇଁ ଜାତୀୟସ୍ତରୀୟ କେନ୍ଦୁଝର ଫିଲ୍ମ ଫେଷ୍ଟିଭାଲ ଆସନ୍ତା ଅକ୍ଟୋବର ୯ ଓ ୧୦ ତାରିଖ ଦୁଇଦିନ ଧରି ଆୟୋଜିତ ହେବ। ଏହି ମହୋତ୍ସବରେ ଦେଶର ବିଭିନ୍ନ ଆଞ୍ଚଳିକ ଭାଷାର ସ୍ବଳ୍ପଦୈର୍ଘ୍ୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଚଳଚ୍ଚିତ୍ର ନିର୍ମାତାମାନେ ଯୋଗଦେବେ। ଏଥିସହ ବଲିଉଡ୍, ଓଲିଉଡ୍ ଓ ଦେଶର ଅନ୍ୟାନ୍ୟ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାରମାନେ ମଧ୍ୟ ଏହି ଐତିହାସିକ ପ୍ରୟାସକୁ ସମର୍ଥନ ଓ ଉତ୍ସାହ ପ୍ରଦାନ କରିବା ପାଇଁ ଉପସ୍ଥିତ ରହିବେ। ଏହି ଫିଲ୍ମ ଫେଷ୍ଟିଭାଲ୍‌କୁ ଜୁମାକ୍ସ ଷ୍ଟୁଡିଓର ଆୟୋଜନରେ ନିରାକାନ୍ତି ଆର୍ଟ ଫାଉଣ୍ଡେସନ୍ ଏବଂ ବ୍ରୋଭାଣ୍ତା ଇଣ୍ଡଷ୍ଟି ପ୍ରାଇଭେଟ୍ ଲିମିଟେଡର ମିଳିତ ସହଯୋଗରେ ଆୟୋଜନ କରାଯାଉଛି।

      ଏ ସମ୍ପର୍କରେ ବୁଧବାର ମଧ୍ୟାହ୍ନରେ ମଣ୍ଡଆସ୍ଥିତ ନିରାକାନ୍ତି ଆର୍ଟ ଫାଉଣ୍ଡେସନ୍ କାର୍ଯ୍ୟାଳୟର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଅବିନାଶ ରାଉତ ଯୋଗଦେଇ ହେବାକୁଥିବା ଏହି ମହୋତ୍ସବ ନବାଗତ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଚଳଚ୍ଚିତ୍ର କ୍ଷେତ୍ରର ବିଭିନ୍ନ ଟେକ୍ନିସିଆନଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନ କରିବା ସହ ଚଳଚ୍ଚିତ୍ର ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କମିଥିଲେ ।

      କେନ୍ଦୁଝରରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁଥ‌ିବା ଏହି ଜାତୀୟସ୍ତରୀୟ ଫିଲ୍ମ ଫେଷ୍ଟିଭାଲ୍ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ସୃଜନଶୀଳ ପ୍ରତିଭାକୁ ସାରା ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ସହ କେନ୍ଦୁଝରକୁ ଜାତୀୟ ଚଳଚ୍ଚିତ୍ର ମାନଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପହଞ୍ଚାଇବ ବୋଲି ଶ୍ରୀ ରାଉତ କହିଛନ୍ତି । ଏହି ଫିଲ୍ମ ଫେଷ୍ଟିଭାଲ୍ ସମ୍ପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ କେକିକାକଲି, ସହପ୍ରତିଷ୍ଠାତା ସୁଚିସ୍ମିତା ରାଉତ ଏବଂ ନିର୍ଦ୍ଦେଶକ ଅବିନାଶ ରାଉତ ଉପସ୍ଥିତ ରହି ମହୋତ୍ସବର ଉଦ୍ଦେଶ୍ୟ, ଆୟୋଜନ ଓ ରୂପରେଖ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *