ଜାଳେଣୀ ଗ୍ୟାସର କଳାବଜାରୀ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରରେ ଜାଳେଣୀ ଗ୍ୟାସର ବ୍ୟାପକ କଳାବଜାରୀରେ ଉପଭୋକ୍ତାଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ଫଳସ୍ଵରୂପ ଉପଭୋକ୍ତା ସୋମବାର ପୂର୍ବାହ୍ନରେ କେନ୍ଦୁଝର-ବେଲଦା ଜାତୀୟ ରାଜପଥ ଉପରେ ଖାଲି ସିଲିଣ୍ଡର୍ ରଖି ରାସ୍ତା ଅବରୋଧ କରିଥିଲେ । ଖବରପାଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।

  ଦୀର୍ଘ ଦିନ ଧରି ଉପଭୋକ୍ତାମାନଙ୍କୁ ଗ୍ୟାସ୍ ମିଳୁ ନଥିବା ଅଭିଯୋଗ ହେଉଛି । ହୋମ୍ ଡ଼େଲିଭରୀ ହେଉ ନଥିବାରୁ ବରିଷ୍ଠ ନାଗରିକ, ମହିଳା ଏବଂ ଲୋକମାନେ ବାରମ୍ବାର ଶଙ୍କରପୁରସ୍ଥିତ ଗ୍ୟାସ୍ ଏଜେନ୍ସି ଡିପୋ ନିକଟକୁ ଆସି ଗ୍ୟାସ୍ ନପାଇ ଫେରୁଛନ୍ତି । ଛୁଟି ଦିନ ମାନଙ୍କରେ ଏଠାରେ ଲୋକଙ୍କୁ ଗ୍ୟାସ୍ ଦିଆଯାଉଥିବା ବେଳେ, ଅନ୍ୟ ଦିନମାନଙ୍କରେ ଲୋକଙ୍କୁ ଗ୍ୟାସ୍ ମିଳୁ ନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।

   ଶଙ୍କରପୁର ଗ୍ୟାସ୍ ଏଜେନ୍ସିରେ ବହୁ ସମୟରେ କେହି ଉପସ୍ଥିତ ରହୁ ନଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା । ବାଧ୍ୟହୋଇ ସୋମବାର ସକାଳେ କିଛି ହିତାଧିକାରୀ ନିଜ ଖାଲି ସିଲିଣ୍ଡର ରାସ୍ତା ଉପରେ ରଖି କେନ୍ଦୁଝର-ବେଲଦା ରାସ୍ତାକୁ ଶଙ୍କରପୁର ଠାରେ ଅବରୋଧ କରିଥିଲେ । ଖବର ପାଇ ପୋଲିସ ଓ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା । ରବିବାର ଗ୍ୟାସ୍ ଆସି ନଥିବା ବେଳେ ସୋମବାର ଅପରାହ୍ନରେ ଗ୍ୟାସ୍ ପହଞ୍ଚିଲେ ଗ୍ୟାସ୍ ବଣ୍ଟନ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *