ପୂର୍ବତନ ସୈନିକଙ୍କ ଦୁଆର ମୁହଁରେ ସ୍ଵାସ୍ଥ୍ୟ ଶିବିର
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଭାରତୀୟ ସେନା ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ପୂର୍ବତନ ସୈନିକ, ବୀର ନାରୀ, ବୀର ମାତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ କଲ୍ୟାଣ ନିମନ୍ତେ ଏକ ସ୍ୱତନ୍ତ୍ର ମଡେଲ୍ ସମନ୍ୱିତ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଛତିଶଗଡ଼ ଏବଂ ଓଡ଼ିଶା ସବଏରିଆ କମାଣ୍ଡର ବ୍ରିଗେଡିୟର୍ ଟି.ଏସ୍. ବାୱା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦୁଇଦିନିଆ ଶିବିରକୁ ଉଦଘାଟନ କରିଛନ୍ତି ।
ବାଲେଶ୍ୱର (ଚାନ୍ଦିପୁର) ଷ୍ଟେସନ ମୁଖ୍ୟାଳୟ, କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ କେନ୍ଦୁଝର ଜିଲ୍ଲା ପୂର୍ବତନ ସୈନିକ ସଂଘ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଶିବିରରେ ପୂର୍ବତନ ସୈନିକମାନଙ୍କ ପାଇଁ ଏକାଧିକ ସେବା ପ୍ରଦାନ କରାଯାଉଛି। ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ କଲେଜର ବିଶେଷଜ୍ଞଙ୍କ ଦ୍ୱାରା ଚକ୍ଷୁ, ଦନ୍ତ, ଅସ୍ଥିଶଲ୍ୟ ଏବଂ ସାଧାରଣ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ସ୍ପର୍ଶ ମାଧ୍ୟମରେ ପେନସନ ସମ୍ବନ୍ଧୀୟ ଅଭିଯୋଗର ତୁରନ୍ତ ସମାଧାନ କରାଯାଉଛି। ଇସିଏଚଏ ପଞ୍ଜୀକରଣ, ସିଏସଡି ସୁବିଧା ଏବଂ ଆଇନଗତ ସହାୟତା ପାଇଁ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି ।
ଏହି ଶିବିରରେ ପ୍ରଥମଥର ପାଇଁ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା ଗୋଟିଏ ସ୍ଥାନରେ କରାଯାଇଛି। ଏଠାରେ ମାନସିକ ଓ ସ୍ନାୟୁଗତ ରୋଗର ପରୀକ୍ଷା ସହ ଘଟଣାସ୍ଥଳରେ ହିଁ ୟୁଡିଆଇଡି କାର୍ଡ ପ୍ରଦାନ କରାଯାଉଛି । ଏହା ସହିତ ବୟସ୍କ ନାଗରିକଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି। ଏହି ଶିବିର ଦ୍ୱାରା ପ୍ରାୟ ୩୦୦୦ ରୁ ୫୦୦୦ ପୂର୍ବତନ ସୈନିକ ଓ ସେମାନଙ୍କ ପରିବାର ଉପକୃତ ହେବେ ବୋଲି ଆଶା କରାଯାଉଛି ।
ବ୍ରିଗେଡିୟର୍ ବାୱା ନିଜ ଅଭିଭାଷଣରେ କହିଛନ୍ତି ଯେ, ଦୂରଦୂରାନ୍ତରେ ରହୁଥିବା ପୂର୍ବତନ ସୈନିକ ଏବଂ ସେମାନଙ୍କ ପରିବାରକୁ ମର୍ଯ୍ୟାଦାଜନକ ସେବା ଓ ଉପଯୁକ୍ତ ସମୟରେ ସହାୟତା ଯୋଗାଇଦେବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଦ୍ୱାରା ସେନା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବ।
ଏହି କାର୍ଯ୍ୟକ୍ରମରେ ୧୪ ଏନସିସି ବାଟାଲିୟନ କ୍ୟାଡେଟମାନେ ସ୍ୱେଚ୍ଛାସେବୀ ଭାବେ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରୁଛନ୍ତି । ଏହି ଚିକିତ୍ସା ଶିବିର ମାର୍ଚ୍ଚ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ । ଏହି ପରିପ୍ରେକ୍ଷୀରେ ସମସ୍ତ ପୂର୍ବତନ ସୈନିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶିବିରରେ ଉପସ୍ଥିତ ରହି ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି।
