ଆଶଙ୍କାରେ ପେନସନଭୋଗୀ; ୨୫ରେ ଜିଲ୍ଲାପାଳଙ୍କୁ ଦେବେ ସ୍ମାରକପତ୍ର


କେନ୍ଦୁଝର ସାଇନ,(ଜ୍ଞାନରଞ୍ଜନ ମିଶ୍ର) କେନ୍ଦୁଝର ଜିଲ୍ଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସଭାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ୨୫ ମାର୍ଚ୍ଚ ୨୦୨୫ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ସିଭିଲ ସର୍ଭିସ ପେନସନ ଆକ୍ଟ ଦେଶର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପେନସନ ଅଧିକାରକୁ କ୍ଷୂର୍ଣ୍ଣ କରୁଥିବାରୁ ସମସ୍ତ ଉପସ୍ଥିତ ସଭ୍ୟ ଗଭୀର ଉଦବେଗ ପ୍ରକାଶ କରିଥିଲେ ।

ଏହାଦ୍ବାରା ଅଷ୍ଟମ ବେତନ କମିଶନ ପେନସନ ଅଭିବୃଦ୍ଧିର ସୁଯୋଗରୁ ୩୧ ଡିସେମ୍ବର ୨୦୨୫ ପୂର୍ବରୁ ଅବସରଗ୍ରହଣ କରିଥିବା ସରକାରୀ କର୍ମଚାରୀବୃନ୍ଦ ବଞ୍ଚିତ ହେବେ । ବୟସ ବୃଦ୍ଧି ସହିତ ବିଭିନ୍ନ ପାରିବାରିକ ବୋଝ ବଢ଼ି ଚାଲିଥିଲା ବେଳେ ଏହା ଗଭୀର ଭାବରେ ପେନସନଭୋଗୀଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବ ବୋଲି ସଭାରେ ଆଶଙ୍କା ପ୍ରକାଶ ପାଇଥିଲା । ଦେଶର ଅନେକ ରାଜ୍ୟରେ ପେନସନଭୋଗୀଙ୍କୁ ଚିକିତ୍ସା ଭତ୍ତା ପ୍ରଦାନ କରୁଥିଲେ ମଧ୍ୟ ଆମ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇନାହିଁ । ପେନସନ ସାମାଜିକ ସୁରକ୍ଷାର ଏକ ମାଧ୍ୟମ । ଏହାକୁ ସୁରକ୍ଷିତ ରଖିବା ପାଇଁ ସଙ୍ଗଠିତ ଆନ୍ଦୋଳନ ଏକାନ୍ତ ଆବଶ୍ୟକ ବୋଲି ଆଲୋଚନା କରାଯାଇ ଏହି ଆକ୍ଟ ପ୍ରତ୍ୟାହାର ଦାବିରେ ଆସନ୍ତା ୨୫ ତାରିଖ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସମ୍ପାଦକ ଶ୍ରୀ ପଣ୍ଡା କହିଛନ୍ତି । ତଥାପି ଏ ସମସ୍ୟା ସମାଧାନ ନହେଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ।

ବିଭିନ୍ନ ବ୍ଲକ ସଂଯୋଜକ ବୃନ୍ଦ ନିଜ ନିଜ ବ୍ଲକରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକତ୍ରିତ କରି ସଚେତନତା ସୃଷ୍ଟି କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା ଓ ବିଡିଓ, ଉପଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା । ଏହି ଆଲୋଚନାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଚିନ୍ତାମଣି ଜେନା, କ୍ଷୀରୋଦ କୁମାର ରାଉତ, ଭିକାରୀ ଚରଣ ସାହୁ, ନଳିନୀ ଚନ୍ଦ୍ର ଘଣା, ସୁଶୀଲ କୁମାର ନାୟକ, ଗୌରହରି ଗିରି, ବଳରାମ ରାଉତ, କାଶିନାଥ ମହାନ୍ତ, ପ୍ରସନ୍ନ କୁମାର ପରିଡ଼ା, ଦିଗାମ୍ବର ଗିରି, ଗୋପୀନାଥ ଦାଶ, ନରେନ୍ଦ୍ର କୁମାର ପ୍ରଧାନ, ଦୁର୍ଯୋଧନ ସାହୁ, ନୀଳମଣି ସାମଲ, ପ୍ରଦ୍ୟୁମ୍ନ ନାୟକ, ବୈଲୋଚନ ସାହୁ, ବାଙ୍କବିହାରୀ ମହାନ୍ତ ପ୍ରମୁଖ ନିଜ ନିଜ ମତ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *