ବିକାଶର ଧାରା ଓଡ଼ିଶା ସାରା ଜିଲାସ୍ତରୀୟ କାର୍ଯ୍ୟକ୍ରମ

ପ୍ରଶାସନ, ଜନସାଧାରଣ ଓ ସରକାରଙ୍କ ମିଳିତ ପ୍ରୟାସରେ ହିଁ ଦେଶର ବିକାଶ ସମ୍ଭବ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିଲ୍ଲା ପ୍ରଶାସନ ପକ୍ଷରୁ ଦରବାରହଲ୍‌ଠାରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକରେ ଏକ ସ୍ୱତନ୍ତ୍ର ସଭାଗୃହ ବୈଠକ ଓ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ଜିଲ୍ଲାର ସମସ୍ତ ବିଭାଗ ପକ୍ଷରୁ ହାସଲ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନକୁ ସୁନ୍ଦର ଭାବେ ଚିତ୍ରିତ କରାଯାଇଥିଲା। ବିଭିନ୍ନ ବିଭାଗୀୟ ଷ୍ଟଲ୍‌ ମାଧ୍ୟମରେ ଜନସାଧାରଣ କିପରି ସରକାରୀ ସୁବିଧାରୁ ଉପକୃତ ହେଉଛନ୍ତି ତାହା ଏଥିରେ ପ୍ରଦର୍ଶିତ ହୋଇଥିଲା।


     ପ୍ରଦର୍ଶନୀର ଶୁଭାରମ୍ଭ ପରେ ଅତିଥିଗଣ ଦରବାରହଲ୍‌ଠାରେ ଆୟୋଜିତ ସଭାଗୃହ ବୈଠକ ଓ ମିଡ଼ିଆ କନେକ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ବିଶାଲ ସିଂହ ଜିଲ୍ଲାର ବିକାଶମୂଳକ କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, କୃଷକ, ଶିକ୍ଷା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହେବାରେ ଲାଗିଛି। ବିକାଶମୂଳକ ଯୋଜନା ଅନ୍ତର୍ଗତ ମହିଳା ସଶକ୍ତିକରଣରେ ସାମିଲ ଥିବା ଲକ୍ଷପତି ଦିଦି ଯୋଜନା ଆମ ଜିଲ୍ଲାରେ ସଫଳତାର ସହ ଆଗେଇ ଚାଲିଛି ବୋଲି ସେ ମତପ୍ରକାଶ କରିଥିଲେ। ଏଥିସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ୨୦୨୮ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

        ସାଂସଦ ଅନନ୍ତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ମୌଳିକ ଚିନ୍ତନରୁ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇଥାଏ। ପ୍ରଶାସନ, ଜନସାଧାରଣ ଏବଂ ସରକାର ଏହି ତିନି ଶକ୍ତି ଯେତେବେଳେ ଏକତ୍ରିତ ହୁଅନ୍ତି ସେତେବେଳେ ଦେଶର ବିକାଶ ତ୍ୱରାନ୍ୱିତ ହୁଏ। ଗତ ୨ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସରକାର ଲୋକସେବାର ମନୋଭାବ ନେଇ କାର୍ଯ୍ୟ କରୁଛି ବୋଲି ସେ ମତପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାରୀ ଯୋଜନାଗୁଡ଼ିକ ସର୍ବଦା ଲୋକଙ୍କ ସେବାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି । ଯେଉଁଥିରେ କୃଷକ, ମହିଳା ଓ ଯୁବକମାନଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାର କେନ୍ଦ୍ର ଜଙ୍ଗଲର ସୁରକ୍ଷା ଓ ବିକାଶ ପାଇଁ ବନ୍ଧନ ବିକାଶ କେନ୍ଦ୍ର ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ସେ ସୂଚନା ଦେଇଥିଲେ। କେନ୍ଦୁଝରର କୃଷି, ଜଙ୍ଗଲ ଓ ପରିବେଶକୁ ଅକ୍ଷୁର୍ଣ୍ଣ ରଖି ସନ୍ତୁଳିତ ବିକାଶ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

         ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ସରକାରୀ ଯୋଜନାର ସଫଳ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ବିଭିନ୍ନ ବିକାଶମୂଳକ ଯୋଜନାର ସମୀକ୍ଷା କରିବା ସହ ଗୁରୁତ୍ୱାରୋପ କରି କହିଥିଲେ ଯେ, ସମାଜର ଆଗଧାଡ଼ିର ବ୍ୟକ୍ତି ଯେଉଁଭଳି ସରକାରୀ ସୁବିଧା ପାଉଛନ୍ତି ସେହିଭଳି ପଛ ଧାଡ଼ିର ବ୍ୟକ୍ତି ମଧ୍ୟ ସମାନ ସୁବିଧା ପାଇବା ଜରୁରୀ।

ଏହି ଅବସରରେ ଏକ ମିଡ଼ିଆ କନେକ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ଉପସ୍ଥିତ ସାମ୍ବାଦିକ ଜିଲ୍ଲାର ବିକାଶ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ। ସେମାନଙ୍କ ଦ୍ୱାରା ଉପସ୍ଥାପିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ, ଖଣିଜ ସମ୍ପଦର ସୁପରିଚାଳନା, ବେକାର ଯୁବକଯୁବତୀଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହିତ ଜିଲ୍ଲାର କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ଅସନପାଟ ଗ୍ରାମର ପ୍ରସିଦ୍ଧ ଛଉ ନୃତ୍ୟର ବିକାଶ, ଆଦିବାସୀ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଏକ ଜନଜାତି ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା ଏବଂ ଲୋପ ପାଇଯାଉଥିବା କଣ୍ଢେଇ ନାଚର ପୁନଃରୁଦ୍ଧାର ଏବଂ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପେନସନ ବ୍ୟବସ୍ଥା ଲାଗୁ କରିବାକୁ ପରାମର୍ଶ ଦେଇଥିଲେ।

      ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ମତ ରଖିଥିଲେ।

       ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସହ ଅନ୍ୟ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *