ମହୋତ୍ସବ ଅବସରରେ ୨୬୭ କୋଟି ଟଙ୍କା ବିନିଯୋଗରେ ୪୧ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୩୪ କୋଟି ମୂଲ୍ୟରେ ୧୪ଟି ପ୍ରକଳ୍ପର ଲୋକାର୍ପଣ
କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ଓ କେନ୍ଦୁଝର-ବଡ଼ବିଲ- ଯୋଡ଼ା ଅଞ୍ଚଳକୁ ରାଜ୍ୟର ସୁଦୃଢ଼ ଅର୍ଥନୈତିକ ଜୋନରେ ପରିଣତ କରାଯିବ
ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ମାଧ୍ୟମରେ ସାମଗ୍ରିକ ଉନ୍ନତିର ରୋଡମ୍ୟାପ
ଆନନ୍ଦପୁରରେ ହେବ ଇନଡୋର ଓ ଫୁଟବଲ ଷ୍ଟାଡିୟମ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପ୍ରାଚୀନକାଳରୁ ଏକ ପ୍ରସିଦ୍ଧନଗରୀ ଭାବେ ଖ୍ୟାତି ଲାଭ କରିଛି l ଓଡ଼ିଶାର ଧର୍ମ ପରମ୍ପରାରେ ଆନନ୍ଦପୁରର ସ୍ୱତନ୍ତ୍ରତା ରହିଛି ବୋଲି ଆନନ୍ଦପୁର ମହୋତ୍ସବର ଉଦ୍ଯାପନୀ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ଆନନ୍ଦପୁର ଅଞ୍ଚଳର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ପୁଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ ଏହି ପବିତ୍ର ଭୂମି ଧର୍ମୀୟ ସମନ୍ୱୟ ଓ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଦୃଷ୍ଟାନ୍ତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
ଆନନ୍ଦପୁର ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ଗ୍ରାମୀଣ ଓ ଲୋକସଂସ୍କୃତିକୁ ଲୋକମାନଙ୍କ ସମ୍ମୁଖରେ ଆଣିବାର ଏକ ପ୍ରଭାବଶାଳୀ ମଞ୍ଚ। ଏହା ମାଧ୍ୟମରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରାଯାଉଛି ଓ ଲୋକନୃତ୍ୟ, ଲୋକସଙ୍ଗୀତ ପରମ୍ପରାକୁ ସୁରକ୍ଷିତ ରଖାଯାଉଛି।

କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଜୋର ଦେଇ ସେ କହିଥିଲେ ଯେ ଉତ୍ତର ଓଡ଼ିଶାର ଉନ୍ନତି ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଛି ଓ ଏହା ମାଧ୍ୟମରେ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହେବ । କେନ୍ଦୁଝରରେ ବୃହତ ଇସ୍ପାତ କାରଖାନା ସ୍ଥାପନ ପାଇଁ ପ୍ରକ୍ରିୟା ଆଗେଇ ଚାଲିଥିବା ସହ ଜିଲ୍ଲାକୁ ଏକ ଶିଳ୍ପସମୃଦ୍ଧ କେନ୍ଦ୍ର ଭାବେ ଗଢ଼ିବା ଲକ୍ଷ୍ୟ ରଖାଯାଇଛି।
ଏଥିସହ କେନ୍ଦୁଝର-ବଡବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ଶକ୍ତିଶାଳୀ ଅର୍ଥନୈତିକ କରିଡର ଭାବେ ବିକଶିତ କରାଯିବ। ଡାଟା ସେଣ୍ଟର, ଟେକ୍ସଟାଇଲ୍ ପାର୍କ, ଷ୍ଟାଡିୟମ ଓ ରାସ୍ତା ଭଳି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଜିଲ୍ଲାରେ ଆରମ୍ଭ ହୋଇଛି । ଯାହା ଅଞ୍ଚଳର ସାମଗ୍ରିକ ଉନ୍ନତିକୁ ଆଗକୁ ନେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଖୁବ୍ ଶୀଘ୍ର ଆନନ୍ଦପୁରରେ ଇନଡୋର ଓ ଫୁଟବଲ ଷ୍ଟାଡିୟମ ହେବ । ଏହି ଷ୍ଟାଡିୟମ ନିର୍ମାଣରେ ଯାହା ଅର୍ଥ ଆବଶ୍ୟକ ହେବ ସେ ସମସ୍ତ ଖର୍ଚ୍ଚ ଆମ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମହିଳା ଓ ଗରିବ ଲୋକଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା, କନ୍ୟା ବିବାହ ଓ କନ୍ୟା ସୁମଙ୍ଗଳ ଯୋଜନାର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ। ଏହା ମାଧ୍ୟମରେ ଗରିବ ପରିବାରର ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ସେ କହିଥିଲେ।
ମହୋତ୍ସବ ଅବସରରେ ଆନନ୍ଦପୁର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୬୭ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗରେ ୪୧ ଗୋଟି ଉନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ୩୪ କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚରେ ୧୪ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଆନନ୍ଦପୁର ତାଙ୍କ ହୃଦୟରେ ରହିଛି । ସେ ନିଜର ଜନ୍ମସ୍ଥାନ ଗଞ୍ଜାମ ଜିଲ୍ଲାକୁ ମା’ ଦେବକୀଙ୍କ ସହ ତୁଳନା କରିବା ସହ କେନ୍ଦୁଝର ଜିଲ୍ଲାକୁ ମା’ ଯଶୋଦାଙ୍କ ସହ ତୁଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ବିଶାଳ ସିଂହ, ଉପଜିଲ୍ଳାପାଳ ଆନନ୍ଦପୁର ନୀଳମାଧଵ ସୁନା, ଆନନ୍ଦପୁର ମହୋତ୍ସବ କମିଟି ସଦସ୍ୟ ରାମଚନ୍ଦ୍ର ସାହୁ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
