ଶୃଙ୍ଖଳା, ସମୟ ପରିଚାଳନା ଓ ସୃଜନଶୀଳତାରେ ଗୁରୁତ୍ଵ ଦେବାକୁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ


ପିଏମଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବିଦ୍ୟାଳୟ କେବଳ ପାଠ ପଢାର ସ୍ଥାନ ନୁହେଁ,ଏହା ଜୀବନ ଗଢ଼ିବାର ଏକ ପବିତ୍ର କ୍ଷେତ୍ର। ଏଠାରେ ଜ୍ଞାନ ସହିତ ଜୀବନର ମୂଲ୍ୟବୋଧ ଓ ଶୃଙ୍ଖଳା ଶିକ୍ଷା ଦାନ କରାଯାଏ, ପିଲାଙ୍କ ଚରିତ୍ର ଗଠନର ପ୍ରଥମ ସୋପାନ ବିଦ୍ୟାଳୟରୁ ହିଁ ଆରମ୍ଭ ହୋଇଥାଏ ବୋଲି ରବିବାର ପିଏମଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି ।

      ୧୯୫୦ ମସିହାରେ ସାଧାରଣ ପରିସ୍ଥିତିରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ଆଜି ଏକ ପ୍ରତିଷ୍ଠିତ ଶିକ୍ଷା ପୀଠରେ ପରିଣତ ହୋଇଛି ଏବଂ ଏହାର ଉନ୍ନତି ପଛରେ ଅନେକ ଶିକ୍ଷାପ୍ରେମୀ ବ୍ୟକ୍ତି, ଶିକ୍ଷକ ଓ ସ୍ଥାନୀୟ ଲୋକଙ୍କ ତ୍ୟାଗ ଓ ସମର୍ପଣ ରହିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ପ୍ରେରିତ ଏହି ବିଦ୍ୟାଳୟର ଶିକ୍ଷା ପ୍ରଣାଳୀକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏଠାରେ କେବଳ ପାଠ୍ୟଜ୍ଞାନ ନୁହେଁ, ବରଂ ନୈତିକତା, ଶୃଙ୍ଖଳା ଓ ମୂଲ୍ୟବୋଧର ଶିକ୍ଷା ମଧ୍ୟ ଦିଆଯାଉଛି। ଏହି ବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିବା ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ଦେଶର ନିଜ ପ୍ରତିଭା ପ୍ରମାଣ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି ବୋଲି କହିଥିଲେ।
    ଶିକ୍ଷା କେବଳ ଚାକିରି ପାଇଁ ନୁହେଁ, ବରଂ ଜୀବନ ଗଢ଼ିବାର ଏକ ମାଧ୍ୟମ। ଆଜିର ଯୁଗରେ ପାଠ୍ୟଜ୍ଞାନ ସହିତ ଦକ୍ଷତା,ସୃଜନଶୀଳତା ଓ ନୂତନ ଚିନ୍ତାଧାରା ଅତ୍ୟାବଶ୍ୟକ। ସମୟର ମୂଲ୍ୟ ବୁଝି ଶୃଙ୍ଖଳିତ ଜୀବନ ଅନୁସରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଅନାବଶ୍ୟକ କାର୍ଯ୍ୟରୁ ଦୂରରେ ରହି ଲକ୍ଷ୍ୟମୁଖୀ ହେବାକୁ ଆହ୍ୱାନ କରିଥିଲେ।ବିଦ୍ୟାଳୟର ଏକ ନୂତନ ଅଡିଟୋରିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ବିଦ୍ୟାଳୟ ପିଏମଶ୍ରୀ ଯୋଜନାରେ ସାମିଲ ହୋଇଥିବାରୁ ଏଠାରେ ଆଧୁନିକ ଭିତ୍ତିଭୂମି, ଡିଜିଟାଲ୍ ଶିକ୍ଷା, ସ୍ମାର୍ଟ କ୍ଲାସ୍‌ରୁମ୍ ଓ ନବସୃଜନମୂଳକ ପାଠ୍ୟ ପ୍ରଣାଳୀର ଉନ୍ନତି ହେବ। ଓଡ଼ିଶାର ପ୍ରାୟ ୮୦୦ଟି ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ସ୍କୁଲଗୁଡ଼ିକୁ ଦେଶର ମଡେଲ ଶିକ୍ଷା ପ୍ରତିଷ୍ଠାନ ଭାବେ ବିକଶିତ କରାଯିବ।

   ବିଦ୍ୟାଳୟର ଏକ ନୂତନ ଅଡିଟୋରିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ବିଦ୍ୟାଳୟ ପିଏମଶ୍ରୀ ଯୋଜନାରେ ସାମିଲ ହୋଇଥିବାରୁ ଏଠାରେ ଆଧୁନିକ ଭିତ୍ତିଭୂମି, ଡିଜିଟାଲ୍ ଶିକ୍ଷା, ସ୍ମାର୍ଟ କ୍ଲାସ୍‌ରୁମ୍ ଓ ନବସୃଜନମୂଳକ ପାଠ୍ୟ ପ୍ରଣାଳୀର ଉନ୍ନତି ହେବ। ଓଡ଼ିଶାର ପ୍ରାୟ ୮୦୦ଟି ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ସ୍କୁଲଗୁଡ଼ିକୁ ଦେଶର ମଡେଲ ଶିକ୍ଷା ପ୍ରତିଷ୍ଠାନ ଭାବେ ବିକଶିତ କରାଯିବ।

      ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି। ୨୦୨୬-୨୭ ବର୍ଷର ବଜେଟ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧୯୯୭ କୋଟି ଟଙ୍କାରୁ ଅଧିକ ପ୍ରାବଧାନ କରାଯାଇଛି। ଗତ ଦେଢ ବର୍ଷରେ ପ୍ରାୟ ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ସହ ଆଗାମୀଦିନରେ ଆହୁରି ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି। ପ୍ରତ୍ୟେକ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
    ଭିତ୍ତିଭୂମି ଉନ୍ନୟନ ସମ୍ପର୍କରେ ଘୋଷଣା କରି କହିଥିଲେ ଯେ, ୬କୋଟି ୩୪ଲକ୍ଷ ଟଙ୍କା ବ୍ୟୟରେ ସରେଇ-ହାତିଶିଳା ରାସ୍ତା ନିର୍ମାଣ କାମ ଚାଲିଛି ଏବଂ କୁଶଳେଶ୍ୱର ମନ୍ଦିରର ବିକାଶ ପାଇଁ ୩କୋଟି ୭ଲକ୍ଷ ଟଙ୍କା ବିନିଯୋଗ କରାଯିବ।
   ଏହି କାର୍ଯ୍ୟକ୍ରମରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ଜିଲ୍ଲାପାଳ ବିଶାଲ ସିଂହ, ଆୟୋଜକ କମିଟି ସଭାପତି ହାଡିବନ୍ଧୁ ପଟ୍ଟନାୟକ, ସମ୍ପାଦକ ରାମଚନ୍ଦ୍ର ନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *