ଅଗଷ୍ଟ ୯ ରୁ ୧୭ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ଜିଲ୍ଲାରେ ଅତ୍ୟନ୍ତ ଆଡ଼ମ୍ବର ଓ ଦେଶଭକ୍ତି ମଧ୍ୟରେ ପାଳନ କରିବା ପାଇଁ ଦରବାରହଲ୍‌ଠାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ବୈଠକରେ ଚଳିତମାସ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପୀ ବ୍ୟାପକ କାର୍ଯ୍ୟସୂଚୀକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।

       ସ୍ଥାନୀୟ ନୋଡାଲ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଂସ୍କୃତିକ, କ୍ରୀଡ଼ା ଏବଂ ସ୍ମାରକୀ କାର୍ଯ୍ୟକ୍ରମ ସମୂହକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଇଛି। ବୈଠକ ନିଷ୍ପତି ଅନୁସାରେ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସପିଂ ମଲ୍, ରେଳଷ୍ଟେସନ ଏବଂ ଚିକିତ୍ସାଳୟ ଗୁଡ଼ିକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯିବ।

      ଏତଦ୍‌ବ୍ୟତୀତ, ଅଗଷ୍ଟ ୧୪ ଓ ୧୫ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ‘ତ୍ରିରଙ୍ଗା ଏବଂ ବିଭାଜନ ବିଭୀଷିକା’ ପ୍ରଦର୍ଶନୀ ଆୟୋଜିତ ହେବ। ଅଗଷ୍ଟ ୧୨ ତାରିଖ ପୂର୍ବାହ୍ନ ୯:୩୦ ମିନିଟ୍‌ରେ କେନ୍ଦୁଝର ଷ୍ଟାଡିୟମ୍‌ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଜିଲ୍ଲାସ୍ତରୀୟ ସାଇକେଲ ରାଲି ଅନୁଷ୍ଠିତ ହେବ। ଅଗଷ୍ଟ ୧୩ ତାରିଖ ପୂର୍ବାହ୍ନ ୯:୩୦ ରେ କେନ୍ଦୁଝର ଷ୍ଟାଡିୟମ୍‌ଠାରେ ଏକ ବିଶାଳ ତ୍ରିରଙ୍ଗା ପରେଡ୍ ସହ ସାମୂହିକ ଜାତୀୟ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ରହିଛି।

               ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାନୁଷ୍ଠାନ ପ୍ରମୁଖଙ୍କ ଦ୍ୱାରା ନିର୍ଦ୍ଧାରିତ ତିଥିରେ ‘ବନ୍ଦେ ମାତରମ୍’ ର ସାମୂହିକ ଗାନ, ଅନଲାଇନ୍ କୁଇଜ୍ ଏବଂ ‘ଜାତୀୟ ପତାକା ବିକାଶ ଯାତ୍ରା’ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ସେହିପରି ବ୍ଲକ ଓ ଗ୍ରାମପଞ୍ଚାୟତସ୍ତରରେ ମଧ୍ୟ ସାଇକେଲ ରାଲି ଏବଂ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯିବ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ଅଗଷ୍ଟ ୧୪ ଓ ୧୫ ତାରିଖ ସନ୍ଧ୍ୟା ୬:୩୦ରେ ଧରଣୀଧର ବିଶ୍ୱବିଦ୍ୟାଳୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରିବ।

            ଅଗଷ୍ଟ ୧୫ ତାରିଖ ଅପରାହ୍ନ ୨.୩୦ରେ ଜିଲ୍ଲା ସଂସ୍କୃତି ଭବନଠାରେ କବିତା ପାଠ ଓ ବକ୍ତୃତା ଉତ୍ସବ, ବିକାଶଶୀଳ କ୍ରୀଡ଼ା ଭିତ୍ତିଭୂମି ଅଧୀନରେ ୪ ଘଟିକାରେ ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡ଼ା ପ୍ରାଙ୍ଗଣରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ପ୍ରତିଯୋଗିତା ଏବଂ ସନ୍ଧ୍ୟା ୬ଟାରେ ଜିଲ୍ଲା ସଂସ୍କୃତି ଭବନରେ ଦେଶଭକ୍ତିମୂଳକ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହେବ। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଲିକଙ୍କ ସମସ୍ତ ସରକାରୀ ବିଭାଗ, ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀମାନଙ୍କୁ ସୁଚାରୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

             ପ୍ରତ୍ୟେକ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସର୍ବାଧିକ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଡେପୁଟି କଲେକ୍ଟର ଅବିନାଶ ପୁରୋହିତ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *