କ୍ଷୟକ୍ଷତି ଆକଳନ ସହ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବି
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସାମୁଦ୍ରିକ ଝଡ ‘ଅର୍ଣ୍ଣବ’ର ପ୍ରଭାବରେ ରାଜ୍ୟର ଦକ୍ଷିଣ ଭାଗରେ ତାଣ୍ଡବ ରଚିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରି ଆସୁଥିଲା । ତେବେ ଏହାର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ଅନୁଭୂତ ନେଇ କୌଣସି ପୂର୍ବାନୁମାନ ନଥିଲା । ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପରେ ବୁଧବାର ମଧ୍ୟାହ୍ନରୁ କେନ୍ଦୁଝର ଜିଲ୍ଲାରେ ଯେଭଳି ଭାବେ ଗତ ଦୁଇଦିନ ଧରି ଝରୁଛି ଅବିଶ୍ରାନ୍ତ ବର୍ଷା । ଫଳରେ ଚାଷ ଜମିରେ ଲୋଟିପଡ଼ିବାର ଆଶଙ୍କା ପାଚିଲା ଧାନ, ଆଉ ଚାଷୀଙ୍କ ମନରେ ଛାଇଯାଇଛି ଅଜଣା ଆତଙ୍କ ! ଯେଉଁ ସମୟରେ ଚାଷୀ ନିଜର ଝାଳବୁହା ପରିଶ୍ରମର ଫଳ ଅମଳ କରିବାକୁ ଆଶା ବାନ୍ଧିଥିଲା, ସେହି ସମୟରେ ସାମୁଦ୍ରିକ ବାତ୍ୟାର ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଏହି ଲଗାଣ ବର୍ଷା ତା’ର ସବୁ ଆଶା ଉପରେ ପାଣି ଢାଳିଦେଇଛି।
କେନ୍ଦୁଝର ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଖରିଫ ଧାନ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଚାଷୀକୂଳକୁ ଗଭୀର ଚିନ୍ତାରେ ପକାଇଛି। ଅନ୍ୟପଟେ ବର୍ଷାର ପ୍ରକୋପରେ ଲକ୍ଷ୍ମୀପୂଜାର ଉତ୍ସବମୁଖର ପରିବେଶ ଫିକା ପଡ଼ିଯାଇଥିବାବେଳେ ବୟସ୍କ ନାଗରିକଙ୍କ ଦୈନନ୍ଦିନ ଜୀବନ ମଧ୍ୟ ଦୁର୍ବିସହ ହୋଇପଡ଼ିଛି।
ଚାଷୀ ପାଇଁ ଧାନ କେବଳ ଏକ ଫସଲ ନୁହେଁ, ତାହା ତା’ର ବର୍ଷକର ପରିଶ୍ରମ, ପରିବାରର ଆଶା ଓ ଜୀବିକାର ମୁଖ୍ୟ ଆଧାର। ଧାର କରଜ କରି, ଜମିରେ ଝାଳ ବୁହାଇ ଚାଷୀ ଯେଉଁ ଧାନ ଫସଲକୁ ଅମଳ ଅପେକ୍ଷାରେ ଚାହିଁ ବସିଥିଲା, ଅଦିନିଆ ବର୍ଷା ଏବେ ସେହି ଆଶାକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ଜଳ ଜମିବା, ପାଚିଲା ଧାନ ଗଛ ଭୂମିରେ ଲୋଟିପଡ଼ିବା ଏବଂ ଅମଳ ଉପଯୋଗୀ ଧାନ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଯଦି ବର୍ଷା ଲାଗି ରହେ, ତେବେ ଧାନ ଅମଳରେ ବିଳମ୍ବ ହେବା ସହ ଫସଲର ଗୁଣବତ୍ତା ହ୍ରାସ ପାଇବା ଆଶଙ୍କା ମଧ୍ୟ ରହିଛି। ଚାଷ ପାଇଁ ଋଣ କରିଥିବା ଚାଷୀଙ୍କ ଚିନ୍ତା ଆହୁରି ଗମ୍ଭୀର। ଫସଲ ନଷ୍ଟ ହେଲେ ଋଣ ପରିଶୋଧ କରିବେ କିପରି, ପରିବାର ଚଳାଇବେ କେମିତି ଏବଂ ଆଗାମୀ ଚାଷ ପାଇଁ ପୁଞ୍ଜି ଯୋଗାଡ଼ କରିବେ କେଉଁଠୁ ଏଭଳି ଅନେକ ପ୍ରଶ୍ନ ଏବେ ସେମାନଙ୍କୁ ଘାରିଛି।

ତେବେ ପ୍ରକୃତ କ୍ଷୟକ୍ଷତିର ପରିମାଣ କ୍ଷେତ୍ରସ୍ତରୀୟ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ। ପ୍ରାକୃତିକ ବିପର୍ଯ୍ୟୟର ଏହି ପ୍ରତିକୂଳ ପରିସ୍ଥିତିରେ ଚାଷୀଙ୍କୁ ଆଶ୍ୱାସନା ଅପେକ୍ଷା ତ୍ୱରିତ ସହାୟତାର ଆବଶ୍ୟକତା ଅଧିକ। ତେଣୁ କୃଷି ଓ ରାଜସ୍ୱ ବିଭାଗର ଅଧିକାରୀ ଚାଷ ଜମିକୁ ଯାଇ ବର୍ଷାର ପ୍ରଭାବ ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଫସଲର ସଠିକ୍ ଆକଳନ କରିବାକୁ ଦାବି ହେଉଛି। ବିଶେଷକରି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ, ଫସଲ ବୀମା ଓ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବି ଜୋର ଧରିଛି। କ୍ଷୟକ୍ଷତି ଆକଳନରେ ବିଳମ୍ବ ହେଲେ ସେମାନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିବ। ତେଣୁ ପ୍ରଶାସନ କେବଳ କାଗଜପତ୍ରରେ ଆକଳନ ସୀମିତ ନରଖି ବାସ୍ତବସ୍ଥିତି ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଯୋଗ୍ୟ ଚାଷୀଙ୍କୁ ଚିହ୍ନଟ କରି ଯଥାଶୀଘ୍ର ସହାୟତା ଦେବାକୁ ଦାବି ଜୋର ଧରିଛି ।
ଲକ୍ଷ୍ମୀପୂଜାକୁ ନେଇ ଚାରିଆଡ଼େ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିବା ବେଳେ ଅଦିନିଆ ବର୍ଷା ସେହି ଉତ୍ସବର ରଙ୍ଗକୁ ଫିକା କରିଦେଇଛି। ପୂଜାମଣ୍ଡପର ଚଳଚଞ୍ଚଳ ପରିବେଶଠାରୁ ଆରମ୍ଭ କରି ଦୋକାନବଜାରର କାରବାର ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଅନୁଭୂତ ହେଉଛି। ପୂଜା ସମୟରେ ପରିବାର ସହ ବୁଲାବୁଲି, ବଜାରରେ କିଣାକିଣି ଓ ବିଭିନ୍ନ ଉତ୍ସବରେ ଯୋଗ ଦେବାକୁ ଯୋଜନା କରିଥିବା ଲୋକଙ୍କ ଆନନ୍ଦରେ ବର୍ଷା ବାଧା ସୃଷ୍ଟି କରିଛି। ବର୍ଷା ଯୋଗୁଁ ଗ୍ରାହକଙ୍କ ଆଗମନ ପ୍ରଭାବିତ ହୋଇଥିବାରୁ ବ୍ୟବସାୟୀମାନେ ମଧ୍ୟ ଚିନ୍ତିତ। ଯେଉଁଠି ଲକ୍ଷ୍ମୀପୂଜାର ଆଲୋକ ଓ ଆନନ୍ଦରେ ସହରଠାରୁ ଗାଁ ପର୍ଯ୍ୟନ୍ତ ଉତ୍ସବମୁଖର ହେବା କଥା, ସେଠାରେ ଅଦିନିଆ ବର୍ଷା ଉତ୍ସବର ଉତ୍ସାହ ଉପରେ ମେଘ ଢାଙ୍କି ଦେଇଛି।
ଲଗାଣ ବର୍ଷା ଓ ଓଦା ପାଗ ଯୋଗୁଁ ବୟସ୍କ ନାଗରିକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଔଷଧ ଆଣିବା, ଡାକ୍ତରଖାନା ଯିବା ଓ ଅତ୍ୟାବଶ୍ୟକ କାର୍ଯ୍ୟରେ ବାହାରକୁ ଯିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବର୍ଷା ସହ ଥଣ୍ଡା ପାଗ ଲାଗି ରହିଲେ ବୟସ୍କ ବ୍ୟକ୍ତି ଓ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକଙ୍କ ପାଇଁ ଅଧିକ ସତର୍କତା ଆବଶ୍ୟକ। ଏଭଳି ସମୟରେ ପରିବାର ସଦସ୍ୟମାନେ ବୟସ୍କଙ୍କ ଯତ୍ନ ନେବା ସହ ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକ ସଚେତନତା ଓ ସହାୟତାମୂଳକ ପଦକ୍ଷେପ ନିଆଯିବା ଜରୁରୀ।
ଗୋଟିଏ ପଟେ ଚାଷୀଙ୍କ ଜୀବିକା ଉପରେ ବିପଦର ଆଶଙ୍କା, ଅନ୍ୟପଟେ ପୂଜାପାର୍ବଣର ଉତ୍ସାହ ହ୍ରାସ ଏବଂ ସାଧାରଣ ଜନଜୀବନରେ ଅସୁବିଧା ଏଭଳି ତ୍ରିମୁଖୀ ସମସ୍ୟା ଏବେ କେନ୍ଦୁଝରବାସୀଙ୍କ ଚିନ୍ତା ବଢ଼ାଇଛି। ଏଭଳିସ୍ଥିତିରେ ପାଣିପାଗ ସ୍ଥିତି ଉପରେ ନଜର ରଖିବା ସହ ଚାଷୀଙ୍କ କ୍ଷୟକ୍ଷତି ଆକଳନ, ଆବଶ୍ୟକ ସରକାରୀ ସହାୟତା ଓ ଜନସାଧାରଣଙ୍କ ସୁରକ୍ଷା ଦିଗରେ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ପ୍ରକୃତିର ଏହି ଅନିଶ୍ଚିତତା ମଧ୍ୟରେ ଚାଷୀଙ୍କ ଆଶା ଏବେ ପ୍ରଶାସନର ସହାୟତା ଉପରେ ନିର୍ଭର କରୁଛି। ବର୍ଷାରେ ଯଦି ଚାଷୀଙ୍କ ପରିଶ୍ରମ ଓ ସ୍ୱପ୍ନ କ୍ଷତିଗ୍ରସ୍ତ ହୁଏ, ତେବେ ସେମାନଙ୍କୁ ଆଶ୍ୱାସନ ସହ ଉପଯୁକ୍ତ କ୍ଷତିପୂରଣ ଦେବା ହିଁ ପ୍ରଶାସନର ପ୍ରାଥମିକତା ହେବା ଉଚିତ।
