ମଣିଷ ମାରି ଖାଇଲା ବାଘ: ଜଙ୍ଗଲରୁ ଦୁଇ ଗୋଡ଼ ଓ ଲୁଙ୍ଗି ଉଦ୍ଧାର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ଯଶିପୁର ଥାନା ଏକତାଳି ସେକ୍ସନ ଅନ୍ତର୍ଗତ ରାଜାରାମ ସାହି ସନ୍ନିକଟ ଜଙ୍ଗଲରେ ଆଜି ଏକ ବ୍ୟକ୍ତିର ଦୁଇ ଗୋଡ଼ ଓ ପିନ୍ଧିଥିବା ଲୁଙ୍ଗି ଠାବ ହୋଇଛି। ଉକ୍ତ ବ୍ୟକ୍ତିର ମୁଣ୍ଡ, ଦୁଇ ହାତ ଓ ଶରୀର ନଥିବା ଜଣାଯାଇଛି।

       ମହାବଳ ବାଘ ଖାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳକୁ ପୁଲିସ, ବନଖଣ୍ଡ ଅଧିକାରୀ ଅଜୟ କୁମାର ସାହୁ, ସହକାରୀ ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର କୁଅଁର ଓ ବନାଞ୍ଚଳ ଅଧିକାରୀ ମହାବୀର ସିଂ ମୁର୍ମୁ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ବ୍ୟକ୍ତି ଜଣକ ଯଶିପୁର ଥାନା ଏକତାଳି ପଞ୍ଚାୟତ ବସନ୍ତପୁର ଗ୍ରାମର ସାଧୁ ନାଏକ(୫୨) ବୋଲି ଜଣାଯାଇଛି।

        ଶନିବାର ଦିନବେଳା ରାଜାରାମ ସାହି ନିକଟସ୍ଥ ଜଙ୍ଗଲରେ ମହାବଳ ବାଘ ଘୁରି ବୁଲୁଥିଲା ଏବଂ ସାଧୁକୁ ବାଘ ମାରିଥିବା ନେଇ ସ୍ଥାନୀୟ କେତେକ ଲୋକ ଅଭିଯୋଗ କରିଛନ୍ତି। ରବିବାର ସକାଳେ ଛେଳି ପାଇଁ ଡାଳ ଆଣିବାକୁ ସାଧୁ ଜଙ୍ଗଲକୁ ଯାଇ ଆଉ ଫେରିନଥିଲା। ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ। ଆଜି ସକାଳେ ଜଙ୍ଗଲରୁ ଡାଳ ଆଣିବାକୁ ଯାଇଥିବା କିଛି ଲୋକ ସାଧୁର ଗୋଡ ଓ ଲୁଙ୍ଗି ଦେଖି ଖବର ଦେଇଥିଲେ। ପୁଲିସ ଓ ବିଭାଗୀୟ ଅଧିକାରୀଙ୍କ ତଦନ୍ତ ପରେ ବାଘ ଅଥବା ଅନ୍ୟ କୌଣସି ହିଂସ୍ର ଜନ୍ତୁଙ୍କ ଆକ୍ରମଣ ତାହା ଜଣାପଡ଼ିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *